ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢୀପଦର ସ୍ଥିତ ଦେବଗିରି ମଠ ଠାରେ ମହାପ୍ରଭୁ ଦଧିବାମନଜୀଉଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ମଠର ମ୍ୟାନେଜିଂ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ଛେରାପହଁରା କରିଥିବାବେଳେ ସେବାୟତ ତପିବର ଦାସ, ପୁଜକ ସନ୍ତୋଷ ପାଢ଼ୀ, ସେବକ ଟିକେ ଗଉଡ, ଟ୍ରଷ୍ଟ ବୋର୍ଡ଼ ସଦସ୍ୟ ବିଜୟ ଧଙ୍ଗଡାମାଝୀ, ରଜନୀ ଗଉଡ, ବିଷ୍ଣୁ ଗଉଡ, ସଞ୍ଜୟ ଧଙ୍ଗଡାମାଝୀ, ସୁରେନ୍ଦ୍ର ମାଝୀ, ସତ୍ରୁଘନ ଧଙ୍ଗଡାମାଝୀ, ଦେବରାଜ ଗଉଡ, ଲୋକନାଥ ଗଉଡ, ପ୍ରଦୀପ ଧଙ୍ଗଡାମାଝୀ, ବିଭିଷଣ ଧଙ୍ଗଡାମାଝୀ, ଗୌନ୍ତିଆଙ୍କ ପ୍ରତିନିଧି ଖିରାବ୍ଧି ମାଝୀ ଓ କାନ୍ତ ମାଝୀ, ଶିକ୍ଷାବିତ ଅଶୋକ ଧଙ୍ଗଡାମାଝୀ, ଧନେଶ୍ଵର ମାଝୀ, ଧନେ ହେର୍ଣ୍ଣା, ଡମବୁଡା ଗଉଡ, ଗଙ୍ଗାଧର ଗଉଡ, ଦେବାଧି ଭୋଇ, ବିଭିଷଣ ଦାସ, ରୋମାଞ୍ଚଳ ଦାସ ପ୍ରମୁଖ ସହଯୋଗ କରିଥିଲେ। ସକାଳୁ ବିଭିନ୍ନ ନିତିକାନ୍ତି ସଂପାଦିତ ହେବାପରେ ଅପରାହ୍ନରେ ଟ୍ରଷ୍ଟ ବୋର୍ଡ଼ର ବରିଷ୍ଠ ସଦସ୍ୟ ସଞ୍ଜୟ ଧଙ୍ଗଡାମାଝୀ, ସେବାୟତ ବିଭିଷଣ ଦାସ ଓ ଗୋପାଳ ସେବକ ଟିକେ ଗଉଡ ଏକ ଭବ୍ୟ ଶୋଭାଯାତ୍ରାରେ ମହାପ୍ରଭୁ ଦଧିବାମନଙ୍କ ପାଖରୁ ଆଜ୍ଞା ମାଳ ଆଣି ରଥରେ ପହଞ୍ଚିଥିଲେ। ରଥରେ ଆଜ୍ଞାମାଳ ଲାଗି ହେବାପରେ ଟ୍ରଷ୍ଟି ସୁନୀଲ କୁମାର ଧଙ୍ଗଡାମାଝୀ ଗୈାନ୍ତିଆଙ୍କ ପ୍ରତିନିଧି, ଡାହୁକ, ମଠର ସେବାୟତ, ପୂଜକ, ସେବକ ଆଦିଙ୍କୁ ପାଗ ଭିଡିଥିଲେ। ଏହାପରେ ଡମ୍ ବଜା ଓ ଘଣ୍ଟ ବାଦ୍ୟର ତାଳେ ତାଳେ ମହାପ୍ରଭୁ ଦଧିବାମନ ଭକ୍ତଙ୍କ ଗହଣରେ ଆସି ରଥାରୁଢ଼ ହୋଇଥିଲେ। ଶିଶୁମାନଙ୍କୁ ରଥଛୁଆଁ କରାଇବା ପରେ ରଥଟଣା ହୋଇଥିଲା। ରଥ ବାଟରେ ମଠର ସେବାୟତ ସ୍ବର୍ଗତ ଦୁର୍ବାଦଳ ଦାସଙ୍କ ବାସଭବନରେ ଅଟକିଥିଲା। ଯାଦବ ରମଣୀମାନେ ବନ୍ଦାପନା କରିବାପରେ ମହାପ୍ରଭୁ ମାଉସୀ ମନ୍ଦିରରେ ବିଜେ କରିଥିଲେ। ରଥ ଉପରେ ଡାହୁକ ବିଜୟ ଧଙ୍ଗଡାମାଝୀଙ୍କ ଡ଼ାକ ସହ ଗଣା ବଜା ଓ ଯାଦବ ରମଣୀଙ୍କ ବନ୍ଦାପନା ଦେବଗିରି ରଥଯାତ୍ରାର ପ୍ରମୁଖ ଆକର୍ଷଣ ଥିଲା। ଏହି ରଥଯାତ୍ରା ଦେଖିବାପାଇଁ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା। ନର୍ଲା ପୋଲିସ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ମୁତୟନ ହୋଇଥିଲେ।