ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରେ ଆନନ୍ଦ ଉହ୍ଲାସ ଓ ଶାନ୍ତି ଶୃଙ୍ଖଳାର ସହ ତିନି ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପବିତ୍ର ଘୋଷ ଯାତ୍ରା ଶୁକ୍ରବାର ସକାଳ ୬ ଘଣ୍ଟା ସମୟରେ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀ ଜୀଉ ମାନଙ୍କ ସମସ୍ତ ରୀତି ନୀତି ଆରମ୍ଭ ହୋଇଯାଇଥିଲା । ପୂର୍ବଦିନ ନେତ୍ରୋତ୍ସବ ଅନୁଷ୍ଠିତ ହେଇଥିଲା । ନବ ଯୌବନ ଦର୍ଶନ ଦେଇଥିଲେ ତିନି ଠାକୁର । ଶୁକ୍ରବାର ଦିନ ତମାମ ପୂଜାପାଠ ପରେ ଅପରାହ୍ନ ୪ ଟା ବେଳେ ତିନି ବିଗ୍ରହ ପହଣ୍ଡି ବିଜେ କରିଥିଲେ । ନର୍ଲାର ବରିଷ୍ଠ ନାଗରିକ ଜଗନ୍ନାଥ ପ୍ରେମୀ ଚନ୍ଦ୍ର ଶେଖର (ମନ୍ମଥ) ପୂଝାରୀ ଓ ଚୁଳମଣି ଗଉଡିଆ ଛେରା ପହରା କରିଥିଲେ। ଶ୍ରୀ ଜୀଉ ମାନେ ମନ୍ଦିରରୁ ରଥ ରଖାଯାଇଥିବା ଚାରି ଛକଯାଏଁ ଘଣ୍ଟ, ଶଙ୍ଖ ବାଦ୍ୟରେ ପହଣ୍ଡିରେ ଯାଇଥିଲେ । ଯୁବ ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହ କୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ଭକ୍ତ ଗରୁଡ ବିଗ୍ରହକୁ ଧରିଥିଲେ । ମଧୁସୂଦନ ପାଢ଼ୀ ମନ୍ମୟ ଚାନ୍ଦ, ସଞ୍ଜୟ ପଣ୍ଡା, ସୁଶାନ୍ତ ଚାନ୍ଦ, ପ୍ରଭୋବ ଚାନ୍ଦ, ମହେଶ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁଧର୍ମା ପଣ୍ଡା, ନାରାୟଣ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପଦ୍ମନାଭ ପଣ୍ଡା, ମନ୍ମୟ ଚାନ୍ଦ (ଜିତୁ), ପ୍ରଶାନ୍ତ ପଣ୍ଡା ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ। ପ୍ରଭୁଙ୍କ ଆସନ ପରିପାଟି କଥା ବାସନ୍ତୀ ସାହୁ, ମନ ସାହୁ ବୁଝିଥିବା ବେଳେ ମହିଳା ଭକ୍ତ ମାନେ ଠାକୁର ମାନଙ୍କୁ ଚାମର କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ଦିପୁ ପାତ୍ର ଏବଂ ତାଙ୍କ ଟିମ, ତ୍ରିଲୋଚନ ମାଝୀ, ଘାସିରାମ ମାଝୀ, ବିମଲ କୁମାର କେଡିଆ, ମହେନ୍ଦ୍ର ଗଉଡ଼, ସନ୍ତୋଷ କର, ତ୍ରିଲୋଚନ ଗୌଡ ପ୍ରମୁଖ ରଥ ଟଣାରେ ସହଯୋଗ କରିଥିଲେ । କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ରଥାରୁଢ ପୂର୍ବରୁ କେଡିଆ ପରିବାର ତରଫରୁ ବିମଲ କୁମାର କେଡିଆଙ୍କ ଭୋଗଲାଗି ନୈବେଦ୍ୟ କରାଯିବା ପରେ ଶ୍ରୀ ଜୀଉମାନେ ରଥାରୁଢ ହୋଇଥିଲେ । ତିନିଠାକୁର ପହଣ୍ଡି ସାରି ରଥାରୁଢ ହେବାପରେ ଅପରାହ୍ନ ଠିକ୍ ୬.୦୦ ସମୟରେ ରଥ ଟଣାଯାଇଥିଲା । ମୁଖ୍ୟ ପୂଜକ ପଦ୍ମନାଭ ପଣ୍ଡା, ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ମଧୁ ପାଢ଼ୀ, ସଞ୍ଜୟ ପଣ୍ଡା ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ । ପାଗ ଅନୁକୂଳ ଥିବାରୁ ପ୍ରତିବର୍ଷ ଭଳି ନର୍ଲା ରଥଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ପହଣ୍ଡି ସମୟରୁ ରଥଟଣା ଯାଏଁ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା । ସେପଟେ ମାଉସୀ କାଳିଆ, ବଳିଆ ଓ ଦେବୀ ସୁଭଦ୍ରାଙ୍କୁ ଅପେକ୍ଷା କରି ରହିଥିଲେ ମଧ୍ୟ ରଥ ମାଉସୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲା । ବାଟରେ ରହିଯାଇଥିଲା ରଥ । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ପ୍ରତିବର୍ଷ ଠାକୁରଙ୍କ ବାଟରେ ରହଣିର ସମସ୍ତ ଦାଇତ୍ୱ ନେଇଥାନ୍ତି । ଭୋଗରାଗ ସହ ରାତି ୧୦ ଟା ଯାଏଁ ଭଜନ କୀର୍ତ୍ତନ ରେ ଆପ୍ୟାୟିତ କରିଥାନ୍ତି ତିନି ଠାକୁରଙ୍କୁ । ପ୍ରବଳ ଭକ୍ତ ସମାଗମ ଲାଗି ରହିଥାଏ । ଶନିବାର ଅପରାହ୍ନ ୫ ଟାରେ ପୁଣି ଅନୁଷ୍ଠିତ ହେବ ଦ୍ଵିତୀୟ ଦିନ ରଥଯାତ୍ରା । ଚଳିତ ବର୍ଷ ପ୍ରଥମ ଥର ପାଇଁ ଧାରା ବିବରଣୀର ବ୍ୟବସ୍ଥା କରିଥିଲା ପରିଚାଳନା ସମିତି । ମୋହନ ଭଟ୍ଟ, ଚକ୍ରଧର ସା, ତପନ କୁମାର ଭୋଇ, ସୁବାସ ବରାଡ, ମଧୁସୂଦନ ରାଉତ ପ୍ରମୁଖ ଧାରା ବିବରଣୀ ପ୍ରଦାନ କରିଥିଲେ । ଚଳିତ ବର୍ଷ ନର୍ଲା ସମେତ ଅଞ୍ଚଳର ସମସ୍ତ ୧୦ ଗୋଟି ରଥଯାତ୍ରାରେ ପ୍ରବଳ ଭିଡ ଯୋଗୁଁ କିଛି ବ୍ୟତିକ୍ରମର ଆଶଙ୍କାରେ ଆମେ ଯାତ୍ରା ଗୁଡିକ ଉପରେ ତୀକ୍ଷ୍ମଣ ନଜର ରଖିଥିଲୁ ବୋଲି ନର୍ଲା ଥାନା ଭାରପ୍ରାପ୍ତ ଅଧିକାରୀ ସର୍ବେଶ୍ଵର ସାମନ୍ତରାୟ ମତବ୍ୟକ୍ତ କରିଛନ୍ତି । ନର୍ଲା ଚାରିଛକ ରଥଯାତ୍ରାରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରି ଠାକୁରଙ୍କ ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା । ନର୍ଲା ଅଞ୍ଚଳର ନର୍ଲା ସମେତ ତୁଳାପଡା, ମାଣ୍ଡେଲ, ବୁଢ଼ୀପଦର ଦେବଗିରି ମଠ, ଲାଖଗୁଡା, ରୁପ୍ରାରୋଡ, ରୁପ୍ରା, ସରିଆଁ, ସେରଗଡ, ପଲମ୍, ଉଲିକୁପା ଏସବୁ ସ୍ଥାନରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ରଥଟଣା ସମ୍ପନ୍ନ ହୋଇଯାଇଛି । ତୁଳାପଡ଼ା ରେ ନବ ପ୍ରତିଷ୍ଠିତ ଜଗନ୍ନାଥ ମନ୍ଦିରର ରଥଟଣା ଭବ୍ୟ ଭାବରେ ଅନୁଷ୍ଠିତ ହୋଇଥିଲା। ନର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଶୃଙ୍ଖଳା ବଜାୟ ରଖିଥିଲେ । ନର୍ଲା ବିଦ୍ୟୁତ ବିଭାଗ ତରଫରୁ ଏସଡିଓ କମଲେଶ ପଧାନ ଙ୍କ ତତ୍ତ୍ଵାବଧାନରେ ନର୍ଲା, ରୁପ୍ରାରୋଡ, ତୁଳାପଡ଼ା, ରୁପ୍ରା ପ୍ରଭୃତି ସ୍ଥାନରେ ରଥଟଣା ସମୟରେ ବିଦ୍ୟୁତ ତାର ସୁପରିଚାଳନା ବ୍ୟବସ୍ଥା କରଯାଇଥିଲା । ନର୍ଲା ରେ ଶନିବାର ଦିନ ଅପରାହ୍ନରେ ପୁଣି ଦ୍ୱିତୀୟ ଦିନ ରଥଟଣା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି ।