ଗଜପତି ଓଏଏସ ଏବଂ ଓଆରଏସ ମିଳିତ ସଂଘର କାର୍ଯ୍ୟବନ୍ଦ ଆନ୍ଦୋଳନ 

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଭୁବନେଶ୍ୱର ସ୍ଥିତ ବିଏମସିର ଅତିରିକ୍ତ କମିଶନର ତଥା ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣର ପ୍ରତିବାଦ ଏବଂ ସଂପୃକ୍ତ ଅପରାଧୀ ମାନଙ୍କ ବିରୁଦ୍ଧରେ ତୁରନ୍ତ ଗିରଫ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦାବିରେ ଆଜି ଗଜପତି ଜିଲ୍ଲା ଓଏଏସ ଓ ଓଆରଏସ ମିଳିତ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ତଥା ସମୂହ ଛୁଟି ଆନ୍ଦୋଳନ କରାଯାଇଛି ।

ଏହି ଆନ୍ଦୋଳନ କାର୍ଯ୍ୟକ୍ରମରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟ ଓ ଜିଲ୍ଲାର ସମସ୍ତ ବ୍ଲକ୍ ବିଡ଼ିଓ , ତହସିଲଦାର ପ୍ରମୁଖ କାର୍ଯ୍ୟରତ ସମସ୍ତ ଓଏଏସ ଏବଂ ଓଆରଏସ ପ୍ରଶାସନିକ ଅଧିକାରୀ ମାନେ ସାମିଲ ଥିବା ଯୋଗୁଁ ବିଭିନ୍ନ ସ୍ତରରେ ବିଭିନ୍ନ କାର୍ଯ୍ୟାଳୟରେ ବିଭିନ୍ନ ଫାଇଲ ତଥା ପ୍ରଶାସନିକ କାର୍ଯ୍ୟରେ ବାଧାପ୍ରାପ୍ତ ଦେଖାଦେଇଛି।

ଆଜି ଓଡିଶା ପ୍ରଶାସନିକ ସେବା ସଂଘ ଗଜପତି ଜିଲ୍ଲା ଶାଖା ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଫାଲଗୁନୀ ମାଝୀଙ୍କ ନେତୃତ୍ବରେ ଜିଲ୍ଲାର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ, ବରିଷ୍ଠ ପ୍ରଶାସନିକ ଅଧିକାରୀ ତଥା ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁଙ୍କ ପ୍ରତି ହୋଇଥିବା ମରଣାନ୍ତକ ପ୍ରତିବାଦରେ ଏକ ଶାନ୍ତି ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଶ୍ରୀ ବିଜୟ କୁମାର ଦାସଙ୍କୁ ୯ ଦଫା ଦାବି ସମ୍ମିଳିତ ଏକ ଦାବୀପତ୍ର ପ୍ରଦାନ କରିଥିଲେ ।

ଦାବୀ ଗୁଡ଼ିକ ମଧ୍ୟରେ ସଂପୃକ୍ତ ଆସାମୀ ମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେମାନଙ୍କ ପ୍ରତି ଦୃଷ୍ଟାନ୍ତ ମୂଳକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା, ପ୍ରଶାସନିକ ଅଧିକାରୀ ମାନଙ୍କ ସୁରକ୍ଷା ପ୍ରଦାନ ଓ ପିଏସଓ: ନିଯୁକ୍ତି ପ୍ରଭୃତି ଅନ୍ତର୍ଭୁକ୍ତ ।

ଆଜିଠାରୁ ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ସେମାନଙ୍କ ୯ ଦଫା ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ସମସ୍ତେ ମାସ-ଲିଭ୍ ତଥା ସମୂହ ଛୁଟିରେ ରହିବେ ବୋଲି ଜିଲ୍ଲାପାଳଙ୍କୁ ଦିଆ ଯାଇଥିବା ଦାବୀ ପତ୍ରରେ ଦର୍ଶାଇ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.