ଅଣଜଳସେଚିତ ଜମିକୁ ଜଳସେଚନ ଦାବୀ; ରେତ୍ କେନାଲକୁ ରୁପ୍ରାରୋଡ ଯାଏଁ ସମ୍ପ୍ରସାରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ପୂର୍ବତନ ସରପଞ୍ଚ ହରି ପ୍ରସାଦ ପଧାନ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଚାଷୀ ଇନ୍ଦ୍ର ଦେବତାଙ୍କୁ ଭରଷା କରି ଚାଷ କାର୍ଯ୍ୟ କରିଥାନ୍ତି । ସମୟାନୁଯାୟୀ ଭଲ ଭାବରେ ବର୍ଷା ହେଲା ତ ଠିକ୍ । ନହେଲେ ମରୁଡିର କଷା ଘାତରେ ପେଷି ହୋଇଥାନ୍ତି ନର୍ଲା ଅଞ୍ଚଳର ଚାଷୀ କୂଳ । ଅସୁରଗଡର ସାଗର(ପୁଷ୍କରିଣୀ), ତୁଳାପଡାର ବଣାମୁଡା ସାଗର(ପୁଷ୍କରିଣୀ), ନର୍ଲାର ଗାଡିଆ ଯୋର କେନାଲ, ଭାନପୁର କମେଗାଁର କେନାଲ ଭଳି କେତେକ ଛୋଟିଆ ପ୍ରକଳ୍ପ ଯୋଗେ ଅଞ୍ଚଳର ମାତ୍ର ୧୦ ପ୍ରତିଶତ ଚାଷୀ ଉପକୃତ ହୋଇଥାନ୍ତି । ତାହା ପୁଣି ମାତ୍ର ଖରିଫ୍ ଋତୁରେ। ଉପରୋକ୍ତ ନଦୀ ଗୁଡିକ ଚିରଶ୍ରୋତା ହୋଇ ନଥିବା ବେଳେ ଖରାଦିନେ ନଦୀ, ପୋଖରୀ ସବୁ ଶୁଖି ଯାଉଥିବାରୁ ପାଣି ଅଭାବ ଯୋଗୁଁ ରବି ଚାଷ ହୋଇପାରି ନଥାଏ ନର୍ଲା ଅଞ୍ଚଳରେ । ଚିପୁଲ ନାଲା କେନାଲ ଆରମ୍ଭରୁ ମୃତ ପ୍ରାୟ । ଗତ ୧୫ ବର୍ଷ ତଳେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିବା କଟକୀ ନାଲା କେନାଲ ଚାଷୀଙ୍କୁ ଉପହାସ କରୁଛି । ଉଦ୍ଗାଟନ ଦିନରୁ ନର୍ଲା ଲାଞ୍ଜିଗଡ ସୀମା ଅଞ୍ଚଳର ଚାଷୀ ମୁନ୍ଦାଏ ପାଣି ପାଇ ନାହାନ୍ତି ଏହି ପ୍ରକଳ୍ପରୁ । ଏହି କ୍ରମରେ ୨୦୦୩/୨୦୦୪ ରେ ନର୍ଲା ବ୍ଲକ ଶାନ୍ତପୁର ଗ୍ରାମ ପଞ୍ଚାୟତର କୁଟିଂ ପଦରରେ ରେତ ନଦୀ ଉପରେ ୨୭୩.୮୧ କୋଟି ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପଟି ନର୍ଲା,ସଦର ଭବାନୀପାଟଣ. କେସିଙ୍ଗା ଓ ଲାଞ୍ଜିଗଡ ବ୍ଲକର ୮୫୦୯ ହେକ୍ଟର ଚାଷ ଜମିକୁ ଜଳ ସେଚିତ କରୁଛି । ସେଥି ମଧ୍ୟରୁ ଭବାନୀପାଟଣା ବ୍ଲକ ଅଞ୍ଚଳର ୩୪୩୨.୭୨ ହେକ୍ଟର, କେସିଙ୍ଗା ବ୍ଲକର ୧୨୮୧.୦୪, ଲାଞ୍ଜିଗଡ ବ୍ଲକ ଅଞ୍ଚଳର ୫୮୦ ଓ ନର୍ଲା ବ୍ଲକ ଅଞ୍ଚଳର ୩୨୦୫.୬୩ ହେକ୍ଟର ଚାଷ ଜମିକୁ ଜଳସେଚିତ କରୁଛି । ଖରିଫ୍ ଋତୁରେ ୮୫ ପ୍ରତିଶତ ଓ ରବି ଋତୁରେ ୩୦ ପ୍ରତିଶତ ଜମିକୁ ଜଳ ସେଚିତ କରି ଚାଷୀଙ୍କୁ ଫସଲ ଉତ୍ପାଦନ ପାଇଁ ଜଳ ଯୋଗାଇ ଆସୁଛି । ନର୍ଲା ବ୍ଲକ ଅଞ୍ଚଳରେ ରହିଥିବା ଏହି ଜଳ ସେଚନ ପ୍ରକଳ୍ପଟିର ବାମ କେନାଲ ଭବାନୀପାଟଣା, କେସିଙ୍ଗା ଓ ଲାଞ୍ଜିଗଡ ବ୍ଲକ ଅଞ୍ଚଳର ୫୩୦୩.୭୬ ହେକ୍ଟର ଜମିକୁ ଜଳ ଯୋଗାଣ କରୁଥିବା ବେଳେ ଡାହାଣ କେନାଲ ମାଧ୍ୟମରେ ନର୍ଲା ବ୍ଲକର ୩୨୦୫.୩୯ ହେକ୍ଟର ଜମିକୁ ଜଳ ସେଚିତ କରୁଛି । ନର୍ଲା ବ୍ଲକ ଶାନ୍ତପୁର ଗ୍ରାମ ପଞ୍ଚାୟତର କୁଟିଙ୍ଗପଦର ରେ ଅବସ୍ଥିତ ଏହି ମଧ୍ୟମ ଜଳ ସେଚନ ପ୍ରକଳ୍ପଟି ନର୍ଲା ବ୍ଲକ ଅଞ୍ଚଳକୁ କମ ଓ ବାହ୍ୟ ବ୍ଲକକୁ ଅଧିକ ଜଳସେଚିତ କରୁଥିବାରୁ ନର୍ଲା ଅଞ୍ଚଳର ଚାଷୀଙ୍କ ମନରେ ଏଥିପାଇଁ ଅନେକ ଦୁଃଖ ରହିଯାଇଛି । ନର୍ଲା ବ୍ଲକ ଅଞ୍ଚଳର ନିଶାଣପୁର ଗ୍ରାମ ପଞ୍ଚାୟତ ପର୍ଯ୍ୟନ୍ତ ଡାହାଣ କେନାଲ ଆସି ରହିଯାଇଛି । ଏ ସମସ୍ତ ସମସ୍ୟାକୁ ନେଇ ରୁପ୍ରାରୋଡ ଗ୍ରାମ ପଞ୍ଚାୟତର ଚାଷୀଙ୍କ ଅନୁରୋଧ କ୍ରମେ ପୂର୍ବତନ ସରପଞ୍ଚ ତଥା ବିଶିଷ୍ଟ ସମାଜସେବୀ ହରିପ୍ରସାଦ ପଧାନ ମାନ୍ୟବର ମୁଖ୍ୟ ମନ୍ତ୍ରୀ ମୋହନ ମାଝୀଙ୍କୁ ରେତର ଡାହାଣ କେନାଲକୁ ବଲବସପୁର ଯାଏଁ ତଥା ରୁପ୍ରାରୋଡ ଗ୍ରାମ ପଞ୍ଚାୟତ ଯାଏଁ ସମ୍ପ୍ରସାରଣ କରି ଜଳସେଚନର ସୁବିଧା କରାଗଲେ ମରୁଡି ପ୍ରପିଡିତ ଏହି ଅଞ୍ଚଳର ଚାଷୀକୂଳ ଉପକୃତ ହୁଅନ୍ତେ ବୋଲି ଅଞ୍ଚଳର ଶତାଧିକ ଚାଷୀଙ୍କ ଦସ୍ତଖତ ସମ୍ବଳିତ ଏକ ପତ୍ର ଲେଖି ଜଣାଇଛନ୍ତି । ଅଞ୍ଚଳର ଚାଷୀଙ୍କ ହିତ ଦୃଷ୍ଟିରୁ ଏଥିପ୍ରତି ଯଦି ସରକାର ବିହିତ ପଦକ୍ଷେପ ଗ୍ରହଣ ନକରନ୍ତି ତାହେଲେ ଆଗାମୀ ଦିନରେ ଅଞ୍ଚଳର ଚାଷୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ଏନେଇ ନର୍ଲା ବିଧାୟିକା ମନୋରମା ମହାନ୍ତି ‘ଓଡ଼ିଆ ବାର୍ତ୍ତା’ କୁ କହିଛନ୍ତି ଯେ – ରାକ୍ସି, ସରିଆଁ, ରୁପ୍ରାରୋଡ ସମେତ ୭ ଗୋଟି ପଞ୍ଚାୟତକୁ ଜଳସେଚନ କରିବା ଲକ୍ଷ୍ୟ ନେଇ ରେତ୍ ଜଳସେଚନ ପ୍ରକଳ୍ପକୁ ସଂପ୍ରସାରଣ କରାଯିବା ପାଇଁ ବିଧାନସଭାରେ ପ୍ରଶ୍ନ ଆଗତ କରାଯାଇଛି । ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ଅଞ୍ଚଳକୁ ରେତ୍ ଡ୍ୟାମରୁ ତତ୍କାଳ ଜଳସେଚନର ସୁବିଧା ଯୋଗାଇ ଦେବାପାଇଁ ସେ ସରକାରଙ୍କ ପାଖରେ ଦାବୀ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.