ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ଗୁନାଖାଲ ଛକଠାରେ ଏକ ସ୍କୁଟିକୁ ଶନିବାର ଦିନ ଏକ ଟ୍ରେଲର ପଛପଟୁ ଆସି ଧକ୍କା ଦେବାରୁ ସ୍କୁଟି ଚାଳକ ତଥା ମହିଳା କନଷ୍ଟେବଳ ଟ୍ରେଲର ତଳେ ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ସେହି ସମୟରେ ଅଗରେ ଯାଉଥିବା ମୋଟର ସାଇକଲରେ ମଧ୍ୟ ଧକା ହୋଇଥିଲା | ଘଟଣାର ୨ ଜଣ ବ୍ୟକ୍ତି ଗୁରୁତର ହୋଇଛନ୍ତି । ମୃତକ ହେଲେ କାର୍ଯ୍ୟରତ ପୋଲିସ କନଷ୍ଟେବଳ ଲାବଣ୍ୟା ଗାଣ୍ଟା (୨୪) । ତାଙ୍କ ଘର ଖେଦାପଡ଼ା ପଞ୍ଚାୟତ ଖେଦାପଡ଼ା ଡମ୍ ସାହିରେ । ସେହିପରି ଗୁରୁତର ଦୁଇଜଣ ହେଲେ ବିଷମକଟକ ବ୍ଲକ ବେଥିଆପଡ଼ା ପଞ୍ଚାୟତର ମୁନିଗାଁର କାନ୍ତାରାଓ କାଡ୍ରାକା (୪୦) ଓ ସୁବାରାଓ କାଡ୍ରାକା (୪୦) । ଦୁଇ ଜଣ ଜେକେପୁରରୁ ଗାଁକୁ ଫେରୁଥିବା ପ୍ରକାଶ କରିଛନ୍ତି । ଗୁରୁତର ଅବସ୍ଥାରେ ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାରୁ ପ୍ରକାଶ ଯେ ଲାବଣ୍ୟା ସକାଳୁ ଘରୁ ବାହାରି ରାୟଗଡ଼ା ଶ୍ରଦ୍ଧା ଶ୍ରୀକ୍ଷେତ୍ରକୁ ବାହୁଡା଼ ଯାତ୍ରା ଡ୍ୟୁଟିରେ ଆସୁଥିଲେ । ଉକ୍ତ ରାସ୍ତାରେ ବିପରୀତ ଦିଗରୁ ଅନ୍ୟ ଏକ ବାଇକରେ ଦୁଇଜଣ ଆସୁଥିଲେ। ତେବେ ନିକଟସ୍ଥ ହମ୍ପସରେ ବ୍ରେକ ମାରିବା ବେଳେ ପଛପଟୁ ସ୍କୁଟିକୁ ଟ୍ରେଲର ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଲାବଣ୍ୟା ସ୍କୁଟିରୁ ପଡିଯିବା ବେଳେ ଟ୍ରେଲର ତାଙ୍କ ଉପରେ ମାଡ଼ି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଉକ୍ତ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରେଲରକୁ ଜବତ କରିଛନ୍ତି ।