୫୮ତମ ଦିଶା ବୈଠକରେ ବ୍ୟବସ୍ଥା କେମିତି?

୫୭ତମ ବୈଠକରେ ଜନପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ୫୮ତମରେ ଗଣମାଧ୍ୟମ ପାଇଁ ସ୍ଥାନ ନାହିଁ! ଖାଦ୍ୟ ସ୍ଥାନରେ କୁକୁର-ଉଠିଲା ପ୍ରଶ୍ନ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ଜିଲ୍ଲାର ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର ସମୀକ୍ଷା ପାଇଁ ଆୟୋଜିତ ଦିଶା ବୈଠକରେ ଆଲୋଚନା ଯେତିକି ଗୁରୁତ୍ୱପୂର୍ଣ୍ଣ, ବୈଠକର ବ୍ୟବସ୍ଥା ମଧ୍ୟ ସେତିକି ଗୁରୁତ୍ୱ ବହନ କରେ। କିନ୍ତୁ ୫୮ତମ ଦିଶା ବୈଠକର ବ୍ୟବସ୍ଥାକୁ ନେଇ ଏବେ ଉଠିଛି ଏକାଧିକ ପ୍ରଶ୍ନ। ଏହି ପ୍ରସଙ୍ଗରେ ୫୭ତମ ଦିଶା ବୈଠକର ବ୍ୟବସ୍ଥାକୁ ନେଇ ମଧ୍ୟ ତୁଳନା ଆସୁଛି। ୫୭ତମ ବୈଠକରେ କୋରାପୁଟ ସାଂସଦ, ନବରଙ୍ଗପୁର ସାଂସଦ, କୋରାପୁଟ, ଜୟପୁର, କୋଟପାଡ଼, ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗୀ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପୌର ଅଧ୍ୟକ୍ଷ ଏବଂ ଜିଲ୍ଲାର ବିଭିନ୍ନ ବ୍ଲକର ଅଧ୍ୟକ୍ଷମାନଙ୍କ ପାଇଁ ଖାଦ୍ୟ ଗ୍ରହଣ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା ଥିବା କୁହାଯାଉଛି। ଅନ୍ୟପକ୍ଷରେ କର୍ମଚାରୀ ଓ ସାମ୍ବାଦିକଙ୍କ ପାଇଁ ଅଲଗା ବ୍ୟବସ୍ଥା ଥିବା ନେଇ ତଥ୍ୟ ସାମ୍ନାକୁ ଆସିଛି। କିନ୍ତୁ ୫୮ତମ ବୈଠକ ପରେ ଖାଦ୍ୟ ବ୍ୟବସ୍ଥାକୁ ନେଇ ଦୃଶ୍ୟ ଭିନ୍ନ ବୋଲି ଅଭିଯୋଗ ହୋଇଛି। ଖାଦ୍ୟ ଖାଇବା ପାଇଁ ଯେଉଁ ସ୍ଥାନରେ କିଛି କର୍ମଚାରୀ ଓ ସାମ୍ବାଦିକଙ୍କ ସମେତ ଅନ୍ୟମାନେ ବସିଥିଲେ, ସେହି ସ୍ଥାନରେ କୁକୁର ମଧ୍ୟ ଖାଉଥିବା ଦୃଶ୍ୟ ଦେଖାଯାଇଥିବା ନେଇ ଚର୍ଚ୍ଚା ହେଉଛି। ଏହାକୁ ନେଇ ପ୍ରଶ୍ନ ଉଠୁଛି—ଜନପ୍ରତିନିଧିଙ୍କ ପାଇଁ ସ୍ୱତନ୍ତ୍ର ଖାଦ୍ୟ ବ୍ୟବସ୍ଥା ହୋଇପାରୁଛି, ତେବେ ଗଣମାଧ୍ୟମ ଓ ଅନ୍ୟମାନଙ୍କ ପାଇଁ ସ୍ୱଚ୍ଛ ଓ ସୁବ୍ୟବସ୍ଥିତ ସ୍ଥାନ କାହିଁକି ନୁହେଁ? ବୈଠକ ଚାଲିଥିବା ସମୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବସିବାକୁ ଯଥେଷ୍ଟ ସ୍ଥାନ ନଥିବା ନେଇ ଜଣେ ସାମ୍ବାଦିକ ସାଂସଦଙ୍କୁ ପ୍ରଶ୍ନ କରିଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। ଏହା ପରେ ବୈଠକ ଶେଷର ଖାଦ୍ୟ ବ୍ୟବସ୍ଥାର ଦୃଶ୍ୟ ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି।ଏଠାରେ ମୁଖ୍ୟ ପ୍ରଶ୍ନ—ଖାଦ୍ୟ ସ୍ଥାନକୁ କୁକୁର ଆସିଲା କେଉଁଠୁ? ଖାଦ୍ୟ ପରିବେଷଣ ସମୟରେ ସ୍ୱଚ୍ଛତା ଓ ଶୃଙ୍ଖଳା ରକ୍ଷା ପାଇଁ କିଏ ଦାୟିତ୍ୱରେ ଥିଲେ? ଏବଂ ଗଣମାଧ୍ୟମ ପାଇଁ ଯଥାଚିତ ବସିବା ବ୍ୟବସ୍ଥା କାହିଁକି ହୋଇପାରିଲା ନାହିଁ? ୫୭ତମ ବୈଠକର ବ୍ୟବସ୍ଥା ସହ ୫୮ତମ ବୈଠକର ଚିତ୍ରକୁ ତୁଳନା କଲେ ଏବେ ସାଧାରଣରେ ଗୋଟିଏ ପ୍ରଶ୍ନ ଘୁରୁଛି—ବୈଠକର ମାନ ବଢ଼ୁଛି, ନା ବ୍ୟବସ୍ଥାର ମାନ କମୁଛି? ଉକ୍ତ ବିଷୟରେ ବିଭାଗୀୟ ଅଧିକାରୀ କୁ ପଚାରିବାରୁ. ପ୍ରଶ୍ନ ର ଉତ୍ତର ଦେଲେ ନାହିଁ। ଏହି ଘଟଣାରେ ସମ୍ପୃକ୍ତ କର୍ତ୍ତୃପକ୍ଷ ଘଟଣାର ବାସ୍ତବତା ଓ ବ୍ୟବସ୍ଥା ସମ୍ପର୍କରେ ସ୍ପଷ୍ଟୀକରଣ ଦେବା ଆବଶ୍ୟକ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.