ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରେମୁଣା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବର୍ଦ୍ଧନପୁରସ୍ଥିତ ମଣିନାଗେଶ୍ୱର ମନ୍ଦିର ନିକଟରେ ଗଣେଶ ପୂଜା ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି। ବାଲେଶ୍ୱର ବିଜୁ ଛାତ୍ର ଜନତା ଦଳ, ଏମ୍ଏନ୍ ବଏଜ୍ କ୍ଲବ୍ ଓ ଡେଭିଲ୍ ବଏଜ୍ କ୍ଲବ୍ର ମିଳିତ ଉଦ୍ୟମରେ ଆୟୋଜିତ ଏହି ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ଶିବିରକୁ ରେମୁଣାର ପୂର୍ବତନ ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ଜିଲ୍ଲା ଛାତ୍ର ବିଜେଡି ସଭାପତି ହରେକୃଷ୍ଣ ପ୍ରଧାନ, ସଦର ବ୍ଲକ ସମ୍ପାଦକ ସଞ୍ଜୟ କୁମାର ବଳ, ରସାଳପୁର ପଞ୍ଚାୟତ ସଭାପତି ବିସ୍ମୟ ଦାସ ଓ ମେଡିକାଲ ଅଫିସର ଡାକ୍ତର ନମ୍ରତା କର ପ୍ରମୁଖ ଉପସ୍ଥିତ ରହି ଉଦ୍ଘାଟନ କରିଥିଲେ। ଏହି ଅବସରରେ ପୂର୍ବତନ ଜୟଦେବକସବା ସରପଞ୍ଚ ପ୍ରଶାନ୍ତ ନାୟକ, ସଦର ବ୍ଲକ ଉପଦେଷ୍ଟା ହଳଧର ସେଠୀ, ସନ୍ୟାସୀ ମଣ୍ଡଳ, ଚିନ୍ତାମଣି ମହାଳିକ, ଛାତ୍ରନେତା ରାକେଶ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଅତିଥିମାନେ ଆୟୋଜକ ଛାତ୍ର ବିଜେଡି ନେତା ଜୟନ୍ତ କୁମାର ମଲ୍ଲିକ, ଏମ୍ଏନ୍ ବଏଜ୍ କ୍ଲବ୍ର ସଭାପତି ଗୋପୀ କିଷାନ ବଳ, ସମ୍ପାଦକ ବିଜୟ କୁମାର ରାଉତ, ଡେଭିଲ୍ ବଏଜ୍ କ୍ଲବ୍ର ସଭାପତି ଦିବ୍ୟଜ୍ୟୋତି ବେହେରାଙ୍କ ସମେତ ଛାତ୍ର ବିଜେଡି ଓ ଉଭୟ କ୍ଲବ୍ର ସମସ୍ତ କର୍ମକର୍ତ୍ତାଙ୍କୁ ଏଭଳି ମହତ୍ କାର୍ଯ୍ୟ ଆୟୋଜନ ପାଇଁ ଶୁଭେଚ୍ଛା ଜଣାଇଥିଲେ।





