ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ଏମ୍ଏମ୍ଡିଆର୍ (MMDR) ସଂଶୋଧନ ଆଇନ ୨୦୨୬କୁ ପ୍ରତ୍ୟାହାର ଦାବି କରି ଓଡ଼ିଶାରେ ଆନ୍ଦୋଳନ ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି କପିଳାସ ଛକରୁ ତେଜସ୍ବୀ ଗ୍ରାଉଣ୍ଡ ପର୍ଯ୍ୟନ୍ତ ଏକ ବିଶାଳ ରାଲି ଅନୁଷ୍ଠିତ ହେବାକୁ ଯାଉଛି। ଆୟୋଜିତ ହେବାକୁଥିବା ଏହି ରାଲିରେ ପ୍ରାୟ ୨୫ରୁ ୩୦ ହଜାର ଲୋକଙ୍କୁ ସାମିଲ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ତେଜସ୍ବୀ ଗ୍ରାଉଣ୍ଡ ନିକଟରେ ଏକ ବିରାଟ ସାଧାରଣ ସଭା ଅନୁଷ୍ଠିତ ହେବ। ଏହାପରେ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି। ଆୟୋଜକଙ୍କ କହିବା ଅନୁଯାୟୀ ଏହି ଆଇନ ଲାଗୁ ହେଲେ ରାଜ୍ୟର ଖଣିଜ ସମ୍ପଦ ଏବଂ ଓଡ଼ିଶାର ଆର୍ଥିକ ସ୍ୱାର୍ଥ ଗଭୀର ଭାବେ ପ୍ରଭାବିତ ହେବ। ଏହି ପ୍ରତିବାଦ ରାଲିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ସଭାପତି ଭକ୍ତ ଚରଣ ଦାସ, AICC ଇଞ୍ଚାର୍ଜ ଲାଲଜି ଦେଶାଇ ଏବଂ CLP ନେତା ରାମଚନ୍ଦ୍ର କଦମଙ୍କ ସମେତ ବହୁ ମାନ୍ୟଗଣ୍ୟ କଂଗ୍ରେସ ନେତା ଓ କର୍ମୀ ଯୋଗଦେବେ।





