ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଏସିପିଏଲ୍ ସଭାଘରେ ‘ଭଲ କବିତାର ଖୋଜ୍’ ପକ୍ଷରୁ ବିଶିଷ୍ଟ କବି ବିପିନ ନାୟକଙ୍କ ସମ୍ମାନାର୍ଥେ ‘କବି ବିପିନ୍ ନାୟକ ସନ୍ଧ୍ୟା’ ଅନୁଷ୍ଠିତ ହୋଇଯାଇଛି। ‘ଭଲ କବିତାର ଖୋଜ୍’ ସବୁବେଳେ ନୂତନତ୍ବକୁ ଖୋଜୁଥିବା ବେଳେ ତାର ୭୭ତମ ଆସର ଜଣେ ଏପରି କବିଙ୍କୁ ଉତ୍ସର୍ଗ କରିଥିଲା ଯିଏ କବିତାର ଡାଳପତ୍ର ସହିତ ଜୀବନ ବଞ୍ଚନ୍ତି। ସେ ହେଲେ ବ୍ରହ୍ମପୁର ନିବାସୀ ବିଖ୍ୟାତ କବି ବିପିନ ନାୟକ। ତାଙ୍କ ଜନ୍ମମାସରେ ‘ଭଲ କବିତାର ଖୋଜ୍’ ଏପରି ଏକ ସାରସ୍ୱତ ମିଳନୀ ସନ୍ଧ୍ୟା ଆୟୋଜନ କରିଥିବାରୁ କବି ଶ୍ରୀ ନାୟକ ଭାବପୂର୍ଣ୍ଣ ଭାଷାରେ କୃତଜ୍ଞତା ଜଣାଇ କହିଥିଲେ ଯେ, ସାହିତ୍ୟ ଏକାଡେମୀ ପୁରସ୍କାରରେ ଯେତିକି ଆନନ୍ଦ ପାଇନଥିବି ଆଜି ବାଲେଶ୍ୱରର ଏଇ ଆସର ମୋତେ ତହିଁ ଅଧିକ ଏକ ଅପୂର୍ବ ଆନନ୍ଦ ଦେଇ ମୋତେ ଅଭିଭୂତ କରିଦେଲା। ଭଲ କବିତା ସବୁବେଳେ ଅଲଭ୍ୟ। ଅଲଭ୍ୟ ବୋଲି ହିଁ ସେ ଭଲ କବିତା। ସହଜ ଲବ୍ଧ କୌଣସି କଥା ଭଲ ହୋଇପାରେନା। କବିତା ମୁଁ କେମିତି ଲେଖିଛି ଜାଣେନା କିନ୍ତୁ କବିତା ଲେଖିବା ବେଳେ ମୁଁ ଭାବ ଓ ଅନୁଭବ ସହିତ ମୋର ଯାତ୍ରାକୁ ନିରନ୍ତର ଜାରି ରଖିଛି। କୌଣସି ତତ୍ତ୍ଵ ବା ପାଶ୍ଚାତ୍ୟ ଥିଓରି ମୋତେ ଜଣା ନାହିଁ। ଶବ୍ଦ ସହିତ ମୋର ଲଢେଇ ହୁଏ। ଶବ୍ଦକୁ ଭାଙ୍ଗେ ଓ ଗଢେ। କବିତା ଆଉ କଣ କି? ଶବ୍ଦର ସ୍ଥାପତ୍ୟ। ତାକୁ ଭାବର ବିନ୍ୟାସରେ କବିଟିଏ ଆକାର ଦେଇଥାଏ। ମୁଁ ତାହା ହିଁ କରି ଆସିଛି ବୋଲି କବି ଶ୍ରୀ ନାୟକ ନିଜ ସମ୍ପର୍କରେ କହିବା ବେଳେ ଭାବପ୍ରବଣ ହୋଇ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ‘ଭଲ କବିତାର ଖୋଜ୍’ର ଆବାହକ କବି କୃଷ୍ଣ କୁମାର ମହାନ୍ତି ଅତିଥିଙ୍କୁ ମଞ୍ଚ ଆବାହନ କରିଥିବା ବେଳେ ଅନ୍ୟତମ ଆବାହକ କବି ଶ୍ରୀଦେବ ସଭାକାର୍ଯ୍ୟ ପରିଚାଳନାରେ ଭାଗ ନେଇ କବି ଶ୍ରୀ ନାୟକଙ୍କ କବିତା ନିର୍ମାଣର ଗୁମର ବିଷୟରେ ଅଭିବ୍ୟକ୍ତି ରଖିଥିଲେ। ‘ଭଲ କବିତା ଖୋଜ୍’ ନିର୍ବାହକ କବି ଉତ୍ପଳ ମହାନ୍ତି ଅତିଥି ପରିଚୟ ଦେବା ସହିତ ଧନ୍ୟବାଦ ଦେଇଥିଲେ। ଏହି ଭାବ ଗମ୍ଭୀର ଆସରରେ କବି ପ୍ରଶାନ୍ତ ଦାସ, ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ଅଭୟ ଦାସ, ଗାଳ୍ପିକ ଗଙ୍ଗାଧର ବିଶ୍ୱାଳ, କବି ରଞ୍ଜନ ବାଗ୍, ଶୁଭେନ୍ଦୁ ଦାସ, କମଳିନୀ କାସ୍ତ, ପ୍ରୀତିଲେଖା ଦାସ, ଦେବଯାନୀ ଦାସ, ଡକ୍ଟର ସନ୍ତୋଷ କୁମାର ନାୟକ, ସିତାଂଶୁ ଲେଙ୍କା, ସତ୍ୟ ସାହୁ, କେ ଶ୍ୟାମବାବୁ ଦୋରା, ବସନ୍ତ ବେହେରା, ସଞ୍ଜୟ ପଣ୍ଡା, ରାଜେଶ ଗିରି ପ୍ରମୁଖ କବି ଓ ଲେଖକ ଉପସ୍ଥିତ ରହି କବି ବିପିନ ନାୟକଙ୍କ ସମ୍ପର୍କରେ ସ୍ମୃତି ରୋମନ୍ଥନ କରିବା ସହିତ ତାଙ୍କ କବିତା ଆବୃତ୍ତି କରିଥିଲେ।