ୟୁଏଏସ ପୋର୍ଟାଲକୁ ନର୍ଲା ବ୍ଳକ ପ୍ରାଥମିକ ଶିକ୍ଷକ ସଂଘର ବିରୋଧ; ବିଇଓଙ୍କୁ ଦାବିପତ୍ର ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନ‌ର୍ଲା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ୟୁନିଫାଏଡ ଅଟୋମେସନ ସିଷ୍ଟମ (ୟୁଏଏସ୍)କୁ ବିରୋଧ କରାଯାଇଛି। ଏନେଇ ନର୍ଲା ବିଇଓ ତପିମଣି ଜାନୀଙ୍କୁ ସଂଘ ପକ୍ଷରୁ ଗୁରୁବାର ଦିନ ଦାବିପତ୍ର ପ୍ରଦାନ କରାଯାଇଛି। ସଂଘ ସଭାପତି ମୀନକେତନ ସାହୁ ଓ ସମ୍ପାଦକ ଅମିତ କୁମାର ଶର୍ମାଙ୍କ ନେତୃତ୍ୱରେ ସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ତଥା ବ୍ଲକର ଅନେକ ଶିକ୍ଷକ ଏଥିରେ ଯୋଗ ଦେଇଥିଲେ। ନର୍ଲା ବ୍ଲକ ଉପ ସଭାପତି ହର ପ୍ରସାଦ ସାହୁ, ଉପଭାନେତ୍ରୀ ପୁଷ୍ପଲତା କୁମାର, ଯୁଗ୍ମ ସମ୍ପାଦକ ହେମନ୍ତ ସାହୁ, ଦିଗାମ୍ବର କୁମାର ଓ କ୍ଷିତିଶ ଚନ୍ଦ୍ର ମାଝୀ, କୋଷାଧ୍ୟକ୍ଷ ଦିଲିପ କୁମାର ପଧାନ, ବ୍ଲକ ସଂଯୋଜକ ଦିଗାମ୍ବର ବେହେରା ପ୍ରମୁଖ ୟୁଏଏସ୍ ପୋର୍ଟାଲକୁ ବିରୋଧ କରିବା ସହ ଶିକ୍ଷକ ସଂଘ ଦର୍ଶାଇଛି ଯେ ସରକାର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରୟାସ କରୁଛନ୍ତି ଏହା ସ୍ଵାଗତ ଯୋଗ୍ୟ ପଦକ୍ଷେପ, ମାତ୍ର ବିଦ୍ୟାଳୟ ଗୁଡ଼ିକରେ ଭିତ୍ତିଭୂମି ସୁଦୃଢ ନକରି ନୂତନ ଶିକ୍ଷକ ନିଯୁକ୍ତି ନକରି ସରକାର ଅନେକ ଅଣଶୈକ୍ଷିକ କାର୍ଯ୍ୟ ଶିକ୍ଷକମାନଙ୍କ ଉପରେ ଲଦି ଦେବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ। ଜାତୀୟ ଶିକ୍ଷାନୀତି ୨୦୨୦ ଅନୁସାରେ ବିଦ୍ୟାଳୟ ମାନଙ୍କରେ ଚଳିତ ବର୍ଷରୁ ଶିଶୁ ବାଟିକା ଶ୍ରେଣୀକୁ ନୂତନ ଭାବେ ଯୋଗ କରାଯାଇଛି। ମାତ୍ର ଶିକ୍ଷାଦାନ ପାଇଁ ନୂତନ ଶିକ୍ଷକ ନିଯୁକ୍ତି କରାଯାଇନାହିଁ। ଅଧିକାଂଶ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଅନୁପାତରେ ଶିକ୍ଷକ ନାହାଁନ୍ତି। ଏହା ବ୍ୟତୀତ ବିଦ୍ୟାଳୟରେ ୟୁଏଏସ ବ୍ୟବସ୍ଥା ପ୍ରଚଳନ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବିଦ୍ୟାଳୟରେ ୟୁଏଏସ ବ୍ୟବସ୍ଥା କରାଗଲେ ଶିକ୍ଷକମାନେ ଅଧିକାଂଶ ସମୟ ବ୍ୟସ୍ତ ରହିବେ ଫଳରେ ଶିକ୍ଷଣ ଓ ଶିକ୍ଷାଦାନ କାର୍ଯ୍ୟ ବ୍ୟାହତ ହେବ। ସରକାରଙ୍କ ପକ୍ଷରୁ ଶିକ୍ଷକମାନଙ୍କୁ ଯେଉଁ ଟାବଲେଟ୍ ଯୋଗାଇ ଦିଆଯାଇଥିଲା ତାହା ଚାର୍ଜ ରଖୁଥିବା ବେଳେ ସଠିକ୍ ଭାବରେ କାର୍ଯ୍ୟ କରୁନାହିଁ। ଶିକ୍ଷକମାନଙ୍କ ପାଖରେ ସେମାନଙ୍କର ଯେଉଁ ବ୍ୟକ୍ତିଗତ ମୋବାଇଲ ରହିଛି ସେମାନେ ନିଜସ୍ଵ ଖର୍ଚ୍ଚରେ ଡାଟା ପ୍ୟାକ୍ ପକାଇ ସରକାର କାର୍ଯ୍ୟ କରିବା ପାଇଁ ଅନିଚ୍ଛା ପ୍ରକାଶ କରୁଛନ୍ତି। ଅନେକ ବିଦ୍ୟାଳୟରେ ବିଦ୍ୟୁତ ନଥିବା ବେଳେ ଦିନସାରା ନେଟୱର୍କର ସମସ୍ୟା ଲାଗିରହିଛି। ଭାରତ ବର୍ଷର ସର୍ବନିମ୍ନ ଗ୍ରେଡ୍ ପେଏ ହାରରେ ଦରମା ପାଉଥିବା ପ୍ରାଥମିକ ଶିକ୍ଷକମାନଙ୍କୁ ଆର୍ଥିକ ଓ ମାନସିକ ଭାବେ ଚାପଗ୍ରସ୍ତ କରାନଯାଇ ଏହି ସବୁ ଘଟଣାକୁ ସରକାର ବିଚାରକୁ ନେଇ ସମାଧାନ କରିବା ପରେ ୟୁଏଏସ ପୋର୍ଟାଲ ଲାଗୁ କରିବା ପାଇଁ ଶିକ୍ଷକ ସଂଘ ଦାବି କରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.