ତେରେସିଙ୍ଗା ବସ୍ତି ସ୍କୁଲ ପରିସରରେ ଜମୁଛି ପାଣି; ହନ୍ତସନ୍ତ ଶିକ୍ଷାର୍ଥୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଳକ ତେରେସିଙ୍ଗା ବସ୍ତି ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟର ସ୍ଥିତି ବର୍ଷାଦିନେ ବେହାଲ ହୋଇଉଠିଛି। ସାମାନ୍ୟ ବର୍ଷାରେ ସ୍କୁଲ ପରିସରରେ ଜମୁଛି ପାଣି। ଅସ୍ବାସ୍ଥ୍ୟକର ପରିବେଶ ମଧ୍ୟରେ ଚାଲିଛି ପାଠ ପଢ଼ା। ଏହି ବିଦ୍ୟାଳୟରେ ସର୍ବମୋଟ ୧୦୮ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏହା ସହ ସ୍କୁଲ ପରିସର ମଧ୍ୟରେ ଏକ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ରହିଛି। କିନ୍ତୁ ଦୁଃଖର ବିଷୟ ସମସ୍ୟା କାହାକୁ ଦେଖା ଯାଉନି। ଗ୍ରାମରେ ସାମାନ୍ୟ ବର୍ଷା ହେଲେ ଡ୍ରେନର ଅଳିଆ ଆବର୍ଜନା ଆଣ୍ଠୁଏ ପାଣି ସ୍କୁଲ ପରିସରକୁ ପ୍ରବେଶ କରୁଛି। ଏଠାରେ ମାସ ମାସ ଧରି ଦୂଷିତ ପାଣି ଜମି ରହିବା ଯୋଗୁଁ ଦୁର୍ଗନ୍ଧ ସହ ମଶାମାଛିଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ସ୍କୁଲର ଶହ ଶହ କୋମଳମତି ଛାତ୍ରଛାତ୍ରୀ ଓ ଅଙ୍ଗନବାଡି କେନ୍ଦ୍ରକୁ ଆସୁଥିବା ଶିଶୁ ସମେତ ଗର୍ଭବତୀ ମହିଳାମାନେ ଏହି ଆଣ୍ଠୁଏ ଅପରିଷ୍କାର ପାଣିରେ ଯିବା ଆସିବା କରିଥାନ୍ତି। ଏହା ଯେ ଦିନେ ବଡ଼ ଅଘଟଣ ନ ଘଟିବ କିଏ କହିବ। ଏନେଇ ସ୍କୁଲର ପ୍ରଧାନ ଶିକ୍ଷକ ବିଭୁତି ଭୂଷଣ ସେଠ କହିଛନ୍ତି, ବିଦ୍ୟାଳୟର ଏହି ସମସ୍ୟା ନେଇ ଗତ ବର୍ଷରୁ ଗ୍ରାମ୍ୟ ଉନ୍ନୟନ ସମିତି, ସରପଞ୍ଚ, ସମିତି ସଭ୍ୟ, ବ୍ଲକ ଅଧ୍ୟକ୍ଷା, ବିଡ଼ିଓଙ୍କୁ ଜଣାଯାଇଛି କିନ୍ତୁ ଏଯାଏଁ କୌଣସି ସୁଫଳ ମିଳିନାହିଁ। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଅବିଭାବକ ମହଲରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.