ପାଞ୍ଚ ଦିନିଆ ପଣସ ଚିପ୍ସ ପ୍ରସ୍ତୁତି ପ୍ରଶିକ୍ଷଣ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ମନୋରଂଜନ ରାୟ): କନ୍ଧମାଳ ଜିଲ୍ଲା ଲଘୁ ବନଜାତ ଦ୍ରବ୍ୟରେ ଭରପୁର। ଯାହାକୁ ବ୍ୟବହାର କରି ଅଞ୍ଚଳବାସୀ ଜୀବନ ଜୀବିକା ନିର୍ବାହ କରିଥାନ୍ତି। ଏଠାରେ ଶାଳପତ୍ର, ଶିଆଳି ପତ୍ର, ମହୁଲ, ଆମ୍ବ, ପଣସ ଇତ୍ୟାଦି ଗଛ ଭରପୂର ଥିବାରୁ ସେଥିରୁ ଅଞ୍ଚଳବାସୀ ବିଭିନ୍ନ ଜିନିଷ ସଂଗ୍ରହ କରିଥାନ୍ତି।

ସରକାର ସଂଗ୍ରହ କାରୀଙ୍କୁ ଏହାର ଉପଯୁକ୍ତ ବିକ୍ରୀ ମୂଲ୍ୟ ପାଇବା ପାଇଁ ପ୍ରଚେଷ୍ଟା ଜାରି ରଖିଥିବା ବେଳେ କ.ନୂଆଗାଁ ସ୍ଥିତ ଜନ ବିକାଶ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ପାଞ୍ଚ ଦିନିଆ ତାଲିମ କାର୍ଯ୍ୟକ୍ରମ ଗତ ମାସ ୨୯ ତାରିଖ ଠାରୁ ଆରମ୍ଭ ହୋଇ ଆଜି ଉଦଯାପିତ ହୋଇ ଯାଇଛି।

ଏଥିରେ କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଆଡିମାହା ଓ ସିର୍ତ୍ତିଗୁଡ଼ା ପଞ୍ଚାୟତର ୩୦ ଟି ଗ୍ରାମରୁ ପ୍ରତି ଦିନ ଭିନ୍ନ ଭିନ୍ନ ଗ୍ରାମରୁ ୪୦ ଜଣ ସ୍ଵୟଂ ସହାୟକ ଦଳର ସଦସ୍ୟା ମାନେ ଯୋଗଦାନ କରି ତାଲିମ ଗ୍ରହଣ କରିଛନ୍ତି। ଏହି ପ୍ରଶିକ୍ଷଣ ଶିବିରକୁ ଜନ ବିକାଶ ଅନୁଷ୍ଠାନର ନିର୍ଦ୍ଦେଶକ ମଦନ ସୁଆଲ ସିଂ ଉଦଘାଟନ କରିବା ସହ ବନଜାତ ଦ୍ରବ୍ୟକୁ ବିନିଯୋଗ କରି ତାର ଉଚିତ୍ତ ପ୍ରାପ୍ଯ ଏବଂ ଅଧିକ ରୋଜଗାର କ୍ଷମ ହେବା ସହିତ ସ୍ଵାବଲମ୍ବୀ ହୋଇ ପରିବାର ଓ ଗ୍ରାମ ବିକାଶରେ ସହାୟକ ହେବା ପାଇଁ କହିଥିଲେ।

ଏଥିରେ ଭିନ୍ନ ଭିନ୍ନ ଦିନରେ ଅତିଥି ଭାବେ ବ୍ଲକର ଜି.ପି.ଇ.ଓ ସ୍ମୃତି ସାଗର ପ୍ରଧାନ,ପିଇଓ ଅନିଲ କୁମାର ପଟ୍ଟନାୟକ,ଓଡ଼ିଶା ଜୀବିକା ମିଶନ ସଂଯୋଜିକା ରିତୁ ସିଂ, ବନ ଧନ ବିକାଶ କେନ୍ଦ୍ର ଆଇ.ଟି.ଡି.ଏ.ର ସଂଯୋଜକ ଜୋନାଥନ ଦିଗାଲ, ଆଡିମାହା ପଞ୍ଚାୟତର ସରପଞ୍ଚ ଶାନ୍ତି ମଳିକ ପ୍ରମୁଖ ଯୋଗଦାନ କରି ତାଲିମ ଗ୍ରହଣ କାରୀଙ୍କୁ ଉତ୍ସାହିତ କରିଥିଲେ।

ଉକ୍ତ ତାଲିମ ଶିବିରକୁ ଘୁ.ଉଦୟଗିରୀ ସ୍ଥିତ ଗୁଡ ସମରିଟାନ୍ ଅନୁଷ୍ଠାନର ପ୍ରଶିକ୍ଷକ ଶିବରାମ ଦିଗାଲ, ସୁଗମ ନାୟକ ଓ ଉତ୍ତମ ପ୍ରଧାନ ଯୋଗ ଦେଇ ଛୋଟ ଛୋଟ ଯାନ୍ତ୍ରିକ ଉପକରଣ ମାଧ୍ୟମରେ ପଣସରୁ ତିଆରି ହାଲୁଆ, ଚିପ୍ସ ଏବଂ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରକ୍ରିୟା କରଣ, ବଜାରୀ କରଣ ଏବଂ ଲାଭ ବିଷୟରେ ତାଲିମ ଦେଇଥିଲେ।

ଏହା ସହ ଶାଳପତ୍ର ଓ ସିଆଳିପତ୍ର ଖଲି ଉପରେ ମଧ୍ୟ ତାଲିମ ଦିଆଯାଇଥିଲା। ଏହି ଶିବିରଟି ବାଙ୍ଗାଲୋର ସ୍ଥିତ ଆଜିମ ପ୍ରେମଜୀ ଫାଉଣ୍ଡେସନ ସହାୟତା କରିଥିବା ବେଳେ ଜନ ବିକାଶ ସ୍ଵେଚ୍ଛାସେବୀ ଅନୁଷ୍ଠାନ ତତ୍ତ୍ଵାବଧାନରେ ସଂଯୋଜକ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.