ଫକୀରମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ବାଲେଶ୍ଵର ସହରରେ ବୁଲିଲା ତ୍ରିରଙ୍ଗା ପଦଯାତ୍ରା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଆଜି ପୂର୍ବାହ୍ଣ ଆଠ ଘଟିକାରେ ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କ ଦ୍ଵାରା ମହାବିଦ୍ୟାଳୟ ପରିସରରୁ ସରକାରଙ୍କ ପ୍ରାୟୋଜିତ “ହର୍ ଘର୍ ତିରଙ୍ଗା” କାର୍ଯ୍ୟକ୍ରମ ଅନ୍ତର୍ଗତ ଏକ ବିଶାଳ “ତ୍ରିରଙ୍ଗା ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଛି। ଏହି ଶୋଭାଯାତ୍ରା ମହାବିଦ୍ୟାଳୟର ମୁଖ୍ୟ ପରିସରରୁ ଆରମ୍ଭ ହୋଇ ଷ୍ଟେସନ ଛକ ଏବଂ ପୋଲିସ ଲାଇନ୍ ଦେଇ ପୁନଃ ମହାବିଦ୍ୟାଳୟକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଶୋଭାଯାତ୍ରାରେ ପାଞ୍ଚଶହରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଶହେରୁ ଊର୍ଦ୍ଧ୍ବ ଅଧ୍ୟାପକ ଅଧ୍ୟାପିକା ଓ ମହାବିଦ୍ୟାଳୟର କର୍ମଚାରୀମାନେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଫିରୋଜ କୁମାର ପାଢ଼ୀ ଶୋଭାଯାତ୍ରାର ନେତୃତ୍ୱ ନେଇଥିବା ବେଳେ ବାଣିଜ୍ୟ ବିଭାଗମୁଖ୍ୟ ଡକ୍ଟର ଅଭିଜିତ ଦାସ ଏହାର ପରିଚାଳନା କରିଥିଲେ। ଏହି ପଦଯାତ୍ରାରେ ପୋଲିସ ପ୍ରଶାସନ, ଜିଲ୍ଲାର ଟ୍ରାଫିକ ପୋଲିସ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରୀମାନଙ୍କ ଦ୍ଵାରା ଆବଶ୍ୟକ ଅନୁସାରେ ପୂର୍ଣ୍ଣ ସହାୟତା ମିଳିଥିଲା। ଏଥିରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ପାଞ୍ଚଶହଟି ତ୍ରିରଙ୍ଗା ପତାକା ପ୍ରଦାନ କରାଯାଇ ଥିଲା ବେଳେ ରାଷ୍ଟ୍ରୀୟ ଐକ୍ୟ ଏବଂ ସ୍ୱାଧୀନତାର ଗୌରବମୟ ଚେତନା ସ୍ୱରୂପ ମହାବିଦ୍ୟାଳୟ ତରଫରୁ ପ୍ରଦତ୍ତ ଶହେ ମିଟର ବିଶିଷ୍ଟ ଏକ ବିଶାଳ ତ୍ରିରଙ୍ଗା ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ପଦଯାତ୍ରାରେ ପ୍ରଦର୍ଶନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.