ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ ଦିନକୁ ଦିନ ବୃଦ୍ଧି ପାଉଛି। ବର୍ଷ ସାରା ଜଙ୍ଗଲି ହାତୀପଲ ଦୁର୍ଗମ ଅଞ୍ଚଳର ବିଭିନ୍ନ ଗାଁକୁ ଯାଇ ଫସଲ ନଷ୍ଟ କରିବା ସହ ଅନେକ ଗରିବଙ୍କ ଘରଦ୍ବାର ଭଙ୍ଗାରୁଜା କରୁଛନ୍ତି। ଗତ କିଛିଦିନ ବ୍ୟବଧାନ ପରେ ପୁଣି ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି ମୂଷାନାଲ ସେକ୍ସନ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ଢୋଡ଼ୱାଲୀ ଗାଁରେ। ସୂଚନାଯୋଗ୍ୟ ପାହାଡପଦର ପଞ୍ଚାୟତ ଅନ୍ତର୍ଗତ ପଟାଙ୍ଗପଦର ଗାଁର ଦୁଇ ପରିବାର କିଛି ବର୍ଷ ହେବ ବେନଗାଁ ପଞ୍ଚାୟତର ଢୋଡ଼ୱାଲୀ ଗାଁରେ ରହି ପୋଡୁ ଚାଷ କରି ଆସୁଥିଲେ। ହେଲେ ରବିବାର ବିଳମ୍ବିତ ରାତିରେ ୨୨ ଟିକିଆ ହାତୀପଲ ଲାଞ୍ଜିଗଡ଼ ନିକଟସ୍ଥ ଝିମିରି ଜଙ୍ଗଲରୁ ଗାଁ ମୁହାଁ ହୋଇ ଗାଁ ମୁଣ୍ଡରେ ଭୀଷଣ ଗର୍ଜନ କରିଥିଲେ। ଗର୍ଜନ ଶୁଣି ଦୁଇ ପରିବାର ଜୀବନ ବିକଳରେ ଘର ଛାଡି ନିକଟସ୍ଥ ଗାଁ ଘୋଡ଼ାପୋଖରୀକୁ ଚାଲି ଯାଇଥିଲେ। ହେଲେ ସକାଳୁ ଗାଁକୁ ଆସିକି ଦେଖିବା ବେଳକୁ ଏପଟେ ସର୍ବସ୍ୱାନ୍ତ କରି ଦୁଗୀ ମାଝୀ ଓ ପୁରାଣା ମାଝୀଙ୍କ ଘର ସମ୍ପୂର୍ଣ୍ଣ ଭାଙ୍ଗିବା ସହିତ ଧାନ, ଚାଉଳ, ମାଣ୍ଡିଆ, ବିରି ଓ ଆସବାବପତ୍ର ମାଡି ଚକଟି ଦେଇଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ହାତୀପଲ ଗାଁ ନିକଟରେ ଥିବା ଝିମିରି ଜଙ୍ଗଲରେ ରହିଥିବା ବେଳେ ଲୋକେ ଲାଞ୍ଜିଗଡ ଠାରୁ ବେନଗାଁ ଦେଇ ସେହି ରାସ୍ତାରେ ଯାତାୟାତ ପାଇଁ ଭୟଭୀତ ହୋଇପଡିଛନ୍ତି। ଏନେଇ ଖବର ପାଇ ମୂଷାନାଲ ସେକ୍ସନ ଭାରପ୍ରାପ୍ତ ବନପାଳ ମହେଶ କୁମାର ମହାପାତ୍ର, ବନରକ୍ଷୀ ସୁରେନ୍ଦ୍ର ଶବର, ନିରାକାର ଦାସ, ଗଜସାଥି ସୁରେନ୍ଦ୍ର ପୂଝରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି। ତେବେ ଏହି ଅଞ୍ଚଳରେ ଏଭଳି ଘଟଣା ବାରମ୍ବାର ଘଟୁଥିବା ବେଳେ କ୍ଷତିଗ୍ରସ୍ତ ପରିବାରକୁ ସରକାର ଓ ବନବିଭାଗ ପକ୍ଷରୁ କ୍ଷତିପୂରଣ ଯୋଗାଇ ଦେବାକୁ ଦୁଇ ବେସାହାରା ପରିବାର ଆକୁଳ ନିବେଦନ କରିଛନ୍ତି। ଏହି ଗରୀବ ନିରିହ ପରିବାରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅର୍ନ୍ତଭୁକ୍ତ କରି ଗୃହନିର୍ମଣ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।





