ଓସାକା ପକ୍ଷରୁ ହାଇଦ୍ରାବାଦରେ ନୁଆଁଖାଇ ଭେଟଘାଟ

ଶାଶ୍ଵତଙ୍କୁ ‘ତେଲେଙ୍ଗାନା କୋସଲ ଓସାକା କଳାକାର’ ସମ୍ମାନ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ): ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ ଓସାକା ତରଫରୁ ନୁଆଁଖାଇ ମୌଳିକ ପରମ୍ପରାକୁ ବଜାୟ ରଖି ଧୁମଧାମରେ ଆୟୋଜିତ ହୋଇଯାଇଛି । ବଂଜାରା ହିଲସ୍ ସ୍ଥିତ ଆଦିବାସୀ ଭବନ ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶେଷ ଆକର୍ଷଣ ଥିଲା ହାଇଦ୍ରାବାଦ ଭଲି ମହାନଗରୀରେ ଛତର ଯାତ୍ରା ସହ ମହିଳା ମାନଙ୍କ ନେତୃତ୍ୱାଧୀନ ଇଷ୍ଟଦେବୀ ପୂଜା ପରେ ତଳେ ବସି ଏକାଠୀ ସମସ୍ତେ ନୁଆଁ ଚୁରା କୁଁଡା ପ୍ରସାଦ ସେବନ। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ହଲଧର ନାଗ ଯୋଗଦେଇ ପଶ୍ଚିମ ଓଡିଶାର ସମୃଦ୍ଧ ଭାଷା ସାହିତ୍ୟ ଉପରେ ଆଲୋକପାତ କରିବା ସହ ସମ୍ବଲପୁରୀ କୋଶଲୀ ଭାଷାର ସରକାରୀ ମାନ୍ୟତା ପାଇଁ ସମସ୍ତଙ୍କୁ ଚେଷ୍ଟା କରିବା ପାଇଁ ଅନୁରୋଧ କରିଥିଲେ । ଏହି ଅବସରରେ ମାନ୍ୟବର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମଧ୍ୟ ନୁଆଁଖାଇ ବାର୍ତ୍ତା ପଠାଇଥିଲେ । ସେହିପରି ସମ୍ବଲପୁର ନାନ୍ଦେତ୍ ନାଗାବଲି ଟ୍ରେନ୍ ପ୍ରତ୍ୟେକ ଦିନ ଚଳାଚଳ ପାଇଁ ଓସାକାର ବହୁଦିନର ଦାବୀକୁ ମାନ୍ୟବର ବରଗଡ ସାଂସଦ ଶ୍ରୀ ପ୍ରଦୀପ ପୁରୋହିତ ପୁରଣ ପାଇଁ ଚେଷ୍ଟିତ ଥିବାରୁ ଓସାକା ପକ୍ଷରୁ ତାଙ୍କୁ ଧନ୍ଯବାଦ ଦିଆଯାଇଥିଲା। ସେ ମଧ୍ୟ ତାଙ୍କ ନୁଆଁଖାଇ ବାର୍ତ୍ତା ପଠାଇଥିଲେ । ଆୟକର ବିଭାଗର ଏଡିସନାଲ କମିଶନର ଆଶୁତୋଷ ପ୍ରଧାନ, ହୃଦରୋଗ ବିଶେଷଜ୍ଞ ଡ ଆନନ୍ଦ ଅଗ୍ରୱାଲ, ଡ ଦୀପକ ସାହା ଙ୍କୁ ସମ୍ମାନିତ କରିବା ସହ ବହୁମୂଖୀ କଳା ପ୍ରତିଭା ଶାଶ୍ଵତ କୁମାର ତ୍ରିପାଠୀଙ୍କୁ “ତେଲେଙ୍ଗାନା କୋସଲ ଓସାକା କଳାକାର” ସମ୍ମାନ ପ୍ରଦାନ କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ର ଅଗ୍ରଣୀ ଅନୁଷ୍ଠାନ ରୁମକୁଝୁମାନା ଗ୍ରୁପ୍ ର ସାଂସ୍କୃତିକ କାର୍ଯ୍ୟକ୍ରମ, ଯୁବ ଗାୟିକା ଇଶ୍ବରୀ ବେହେରା, ତପସ୍ୱିନୀ ଦାସ, ଗାୟକ ଶାନ୍ତନୁ ମୁନାଙ୍କର ଗୀତର ତାଳେ ତାଳେ ଦର୍ଶକ ଝୁମି ଉଠିଥିଲେ। ଉଦଘୋଷିକା ସସ୍ମିତା ପରମଗୁରୁଙ୍କର ମଞ୍ଚ ପରିଚାଳନା ବେଶ୍ ଆକର୍ଷଣୀୟ ଥିଲା। ଏହି କାର୍ଯ୍ୟକ୍ରମରେ ରଘୁ ରଣା ଓ ସାଥୀଙ୍କ ପଶ୍ଚିମ ଓଡିଶା ହାଟ ଏବଂ ମେହେର ବରପାଲିର ସମ୍ବଲପୁରୀ ବସ୍ତ୍ରାଳୟ ପ୍ରଦର୍ଶନୀ ଓ ବିକ୍ରି ଷ୍ଟଲ ଆକର୍ଷଣର ଅନ୍ୟ ଏକ କେନ୍ଦ୍ର ଥିଲା। ପଶ୍ଚିମ ଓଡିଶାର ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତି ପାଇଁ ସୁବର୍ଣ୍ଣପୁରରୁ ରାନ୍ଧୁଣିଆ ମଧ୍ୟ ଆସିଥିଲେ। ଯୁବ ଉଦ୍ୟୋଗପତି ମହେଶ ଅଗ୍ରୱାଲ, ଶିକ୍ଷାବିତ ଡ. ଶିବପ୍ରସାଦ ବେହେରା, କବି ଭିକାରି ଚରଣ ମିଶ୍ର ଉପସ୍ଥିତ ରହି ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ‘ଓସାକା’ ର ସମସ୍ତ କାର୍ଯ୍ୟକର୍ତା ସହ କବି ଅର୍ଜୁନ କୁମାର ସାହୁ, ନିଗମ ନାଥ, ଅଲେଖ ଡାଂଗ୍ ସହଯୋଗ କରିଥିଲେ। ଶେଷରେ ଓସାକା ର ସଭାପତି ସୁନିଲ କୁମାର ଗଡତ୍ୟା ଏବଂ ସଂପାଦକ ସନ୍ଦୀପ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେବା ସହ ସଂଧ୍ୟା ପର୍ଯ୍ୟନ୍ତ ପ୍ରାୟ ସାତ ଶହ ପରିବାର କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ। ଆଗାମୀ ଦିନରେ ପଶ୍ଚିମ ଓଡିଶାର ଉନ୍ନତି ପାଇଁ ‘ଓସାକା’ ର ପ୍ରଚେଷ୍ଟା ରେ ସମସ୍ତଙ୍କୁ ସହଭାଗୀ ହେବା ପାଇଁ ନିବେଦନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.