ନର୍ଲାରେ ଧାନ କଟା ଯନ୍ତ୍ରର ବହୁଳ ବ୍ୟବହାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଅଞ୍ଚଳରେ ଦେଖାଦେଇଛି ଶ୍ରମିକ ସମସ୍ୟା। ଚାଷ ଉପରେ ଏହାର ସିଧା ପ୍ରଭାବ ପଡୁଛି। ପୂର୍ବରୁ ଚାଷୀମାନେ ଶ୍ରମିକ ଲଗେଇ ଚାଷ କାର୍ଯ୍ୟ କରୁଥିଲେ। ଏବେ ଶ୍ରମିକ ସମସ୍ୟା ଯୋଗୁଁ ମେସିନ ଗୁଡିକ ଉପରେ ଭରଷା କରି ଚାଷ କାର୍ଯ୍ୟ କରୁଥିବା ଦେଖିବାକୁ ମିଳୁଛି। ଶ୍ରମିକ, ହଳ ଲଙ୍ଗଳ ବଦଳରେ ଥ୍ରେସର, ହାର୍ଭେଷ୍ଟର, ପାୱାର ଟିଲର, ଟ୍ରାକ୍ଟର, ଟ୍ରାନ୍ପ୍ ପ୍ଲାଣ୍ଟର ଭଳି ଯନ୍ତ୍ର ପାତି ଗୁଡିକ ଚାଷ କାର୍ଯ୍ୟରେ ବହୁଳ ଭାବରେ ବ୍ୟବହୃତ ହେଉଥିବା ଦୃଶ୍ୟମାନ ହେଉଛି। ଧାନ କାଟିବା ପାଇଁ ଖଳା କର, ଧାନ କାଟି ଆଣି ଖଳାରେ ଟ୍ରାକ୍ଟର ସାହାଯ୍ୟରେ କିମ୍ବା ଗୋରୁ ସାହାଯ୍ୟରେ ମଳିବା ଭଳି ପ୍ରକ୍ରୀୟା ଚାଲି ଆସୁଥିଲା। ହେଲେ ଏବେ ଗତ ପାଞ୍ଚ ବର୍ଷ ହୋଇ ଗଲାଣି ଥ୍ରେସର ଓ ହାରଭେଷ୍ଟର ଭଳି କୃଷି ଯନ୍ତ୍ର ଧାନ ଅମଳର ମୁଖ୍ୟ ମାଧ୍ୟମ ସାଜିଥିବା ଦେଖିବାକୁ ମିଳୁଛି। ଏବେ ଧାନ ଅମଳର ସିଜନ ଚାଲିଛି। ଏଇ ୧୦/୧୫ ଦିନ ମଧ୍ୟରେ ଛୋଟ ଓ ମଧ୍ୟମ ସମୟ ଅବଧିର ଧାନ ଅମଳ ସରିଯିବ। ଅଧିକ ସମୟ ଅବଧିର ଧାନ ମାତ୍ର ୧୦ ପ୍ରତିଶତ ୧୫ ରୁ ୨୦ ଦିନ ପରେ ଅମଳ କରାଯିବ। ଏବେ ନର୍ଲା ଅଞ୍ଚଳର ଚାଷୀ ବିଲ ଗୁଡିକରେ ହାର୍ଭେଷ୍ଟର ସବୁ ଲଗେଇ ଦିନରାତି ଧାନ କାଟୁଥିବା ଦେଖିବାକୁ ମିଳୁଛି। ଧାନ ସଂଗ୍ରହ ତ ସୁବିଧାରେ ହୋଇଯାଉଛି। ଚାଷୀକୁ ନା ଖଳା କରିବାକୁ ପଡୁଛି ନା ପାଳ ସଂଗ୍ରହର ଝନଝଟ। ଚାଷୀ ମେସିନ ଗୁଡିକ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ହେବାକୁ ପଡୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.