କୋକସରା ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସଦର ମହକୁମା ପଞ୍ଚାୟତ ଚିଲିଗୁଡା ସର୍ବମଙ୍ଗଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଶୁକ୍ରବାର ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ମେଳା ଅନୁଷ୍ଠିତ ହୋଇଛି। ଉଦଘାଟନୀ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ସଭାପତିତ୍ବ କରିଥିଲେ। ଏଥିରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ବିଆରସିସି ତଥା ଏବିଇଓ ତୋଫାନ ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ‘ସୁରଭି’ କାର୍ଯ୍ୟକ୍ରମ ହେଉଛି ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭା ଅନ୍ୱେଷଣର ଏକ ବଳିଷ୍ଠ କାର୍ଯ୍ୟକ୍ରମ ଓ ଏହାଦ୍ୱାରା ଛାତ୍ରଛାତ୍ରୀଙ୍କର ଅର୍ନ୍ତନିହିତ ଗୁଣାବଳୀର ବିକାଶ ସାଧନ ହେବ ବୋଲି ମଞ୍ଚାସୀନ ଅତିଥି ମାନେ ବକ୍ତବ୍ୟ ରଖିଥିଲେ। ଏହି କ୍ରମରେ କନିଷ୍ଠ, ବରିଷ୍ଠ ଓ ଉଚ୍ଚ ମାଧ୍ୟମିକ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ଗୋଷ୍ଠୀ ଶିକ୍ଷା ଅଧିକାରୀ ମହେଶ କୁମାର ଭାଟି ସଭାପତିତ୍ବରେ ଅନୁଷ୍ଠିତ ଦ୍ଵିତୀୟ ଅଧିବେଶନ ତଥା ପୁରସ୍କାର ବିତରଣ ଉତ୍ସବରେ କୋକସରା ପଞ୍ଚାୟତ ସମିତି ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଜବାହର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁଧୀର କୁମାର ପଣ୍ଡା ମୁଖ୍ୟବକ୍ତା, ତହସିଲଦାର କ୍ଷୀରୋଦ ବିହାରୀ ଭାରତ ନାଗ, ଅବସରପ୍ରାପ୍ତ ଶିକ୍ଷକ ଭୁରିସ୍ରବା ଜାଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୋଫାନ ମାଝୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥି ମାନଙ୍କ ଦ୍ଵାରା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହୋଇଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା। ଏହି କ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବ୍ଳକସ୍ତରରେ କୃତିତ୍ୱ ଅର୍ଜୁନ କରିଥିବା ଛାତ୍ରଛାତ୍ରୀ ମାନେ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗଦାନ କରିବା ନେଇ ସୂଚନା ରହିଛି। କାର୍ଯ୍ୟକ୍ରମକୁ ନୋଡାଲ ସିଆରସିସି ବୈକୁଣ୍ଠ ଜାଲ ଓ ଶିକ୍ଷୟିତ୍ରୀ ଯଶୋଧାରା ବାଗ ସଂଯୋଜନା କରିଥିଲାବେଳେ ପ୍ରଥମ ଅଧିବେଶନରେ ପ୍ରଶାନ୍ତ ଶବର ଓ ଦିତୀୟ ଅଧୀବେଶନରେ ଶିକ୍ଷକ ସଞ୍ଜିବ ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ। ବ୍ଳକର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ସହ ଶିକ୍ଷକ, ଶିକ୍ଷୟତ୍ରୀ ଓ ସମସ୍ତ ସିଆରସିସି ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.