ଏଚଆଇଭି ପାଇଁ ଟୀକା ଉତ୍ପାଦନ କ୍ଷେତ୍ରରେ ଗବେଷଣା କରି ବାଲେଶ୍ଵରର ସୌମ୍ୟସାଗର ଲାଭ କଲେ ପେଟେଣ୍ଟ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରବାସୀଙ୍କ ପାଇଁ ପୁଣି ଗର୍ବ କରିବାର ଅବସର ଆଣିଛନ୍ତି ବାଲେଶ୍ଵରର ଜନ୍ମିତ ଜଣେ ପୁଅ ସୌମ୍ୟସାଗର। ହଁ ବାଲେଶ୍ଵରର ସୁଏଲପୁରରେ ରହୁଥିବା ସୌମ୍ୟ ସାଗର ଦେ, ଯିଏକି ବର୍ତ୍ତମାନ ଆମେରିକାର ନେବ୍ରାସ୍କା ମେଡିକାଲ୍ ସେଣ୍ଟର ବିଶ୍ଵବିଦ୍ୟାଳୟରେ ପିଏଚ୍‌ଡି କରୁଛନ୍ତି, ତାଙ୍କୁ ଏଚ୍‌ଆଇଭି ପାଇଁ ଟୀକା ଉତ୍ପାଦନ କ୍ଷେତ୍ରରେ କାମ କରିବାକୁ ତାଙ୍କ ବିଶ୍ଵବିଦ୍ୟାଳୟ ମନୋନୀତ କରିବା ସହ ପୁରସ୍କୃତ ମଧ୍ୟ କରିଛି। ଏହି କାର୍ଯ୍ୟ ନୂତନ ଟୀକା ପ୍ରସ୍ତୁତି ଉପରେ ଗୁରୁତ୍ଵ ଦେଉଛି, ଯାହା ବର୍ତ୍ତମାନର ଏଫ୍‌ଡିଏ ଟୀକା ତୁଳନାରେ ଅଧିକ ଚିକିତ୍ସା ପ୍ରଭାବ ପକାଇଥିବା ବେଳେ ସଂପ୍ରତି ଏହାକୁ ମୂଷାମାନଙ୍କ ଉପରେ ପରୀକ୍ଷା କରାଯାଉଛି। ଖୁବ୍ ଶୀଘ୍ର ଏହାକୁ ମାଙ୍କଡ଼ମାନଙ୍କ ଉପରେ ପରୀକ୍ଷା କରାଯିବା ପରେ ରୋଗୀମାନଙ୍କ ପାଇଁ ଏହାର ପରୀକ୍ଷଣ କରାଯିବ। ସୌମ୍ୟ, ଯିଏକି ବାଲେଶ୍ବରର ସେଣ୍ଟ୍ ଭିନସେଣ୍ଟ କନଭେଣ୍ଟ ସ୍କୁଲ୍‌ରେ ୯୦% ସହିତ ଦଶମ ବୋର୍ଡ ଉତ୍ତୀର୍ଣ୍ଣ ହେବା ସହିତ ଏଫ୍‌.ଏମ୍ କଲେଜରୁ ୮୧% ସହିତ +୨ ପାସ୍ କରିବା ପରେ ଭବିଷ୍ୟତରେ ଏକ ଭିନ୍ନ ରାସ୍ତା ବାଛିଥିଲେ। ଓଜେଇଇ ପରୀକ୍ଷାରେ (ଓଜେଇଇ ରିଆଙ୍କ୍ ୧୫୧୬) ଭିଏସ୍‌ଏସ୍‌ୟୁଟି, ବୁର୍ଲାରେ ସିଟ୍ ପାଇବା ପରେ ମଧ୍ୟ ଇଞ୍ଜିନିୟରିଂ ନ କରିବାକୁ ସେ ସ୍ଥିର କରିଥିଲେ। ସେ ପ୍ରତିଷ୍ଠିତ କେଭିପିୱାଇ (କିଶୋର ବୈଜ୍ଞାନିକ ପ୍ରୋତ୍ସାହନ ଯୋଜନା)ରେ ୮୨୮ ଅଲ୍ ଇଣ୍ଡିଆ ରିଆଙ୍କ୍ ହାସଲ କରିଥିଲେ, ଯାହା ତାଙ୍କୁ ଆଇଆଇଏସ୍‌ଇଆର୍ ତ୍ରିଭେନ୍ଦ୍ରମରେ ବିଏସ୍-ଏମ୍‌ଏସ୍ ଡିଗ୍ରୀ ହାସଲ କରିବାକୁ ସୁଯୋଗ ଆଣି ଦେଇଥିଲା। ବିଏସ୍-ଏମ୍‌ଏସ୍ ସମାପ୍ତ କରିବା ପରେ, ସୌମ୍ୟ ପ୍ରଥମେ ଆମେରିକାର ନର୍ଦ୍ଦନ ଇଲିନୋଇସ୍ ବିଶ୍ଵବିଦ୍ୟାଳୟରେ ଜଣେ ଗବେଷଣା ବୈଜ୍ଞାନିକ ଭାବରେ ଯୋଗ ଦେଇଥିଲେ ଏବଂ ସେଠାରେ ବର୍ତ୍ତମାନ ସେ ପିଏଚ୍‌ଡି କରୁଛନ୍ତି। ତାଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ଏଚ୍‌ଆଇଭି, ପାର୍କିନ୍‌ସନ୍ ରୋଗ, ପ୍ରୋଷ୍ଟେଟ୍ କର୍କଟ ଭଳି ରୋଗ ପାଇଁ ଟୀକା ତିଆରି କରିବା ଏବଂ ସଫଳତାର ସହିତ ଅଧ୍ୟୟନ ସମାପ୍ତ କରିବା ପରେ ଭାରତକୁ ଫେରି ଏଠାକାର ସ୍ଵାସ୍ଥ୍ୟସେବାକୁ ଉନ୍ନତ କରିବା ପାଇଁ ଏକ ଔଷଧ କମ୍ପାନୀରେ କାମ କରିବା। ତାଙ୍କର ଏଇ ବିରଳ ସଫଳତା ବାଲେଶ୍ଵର ପାଇଁ ଗୌରବ ଓ ସମ୍ମାନ ଆଣି ଦେଇଥିବା ବେଳେ ତାଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦନ ଜ୍ଞାପନ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.