ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ଫୁପଗାଁ ଓ ବଙ୍ଗୋମୁଣ୍ଡା ଠାରେ ମଙ୍ଗଳବାର ସନ୍ଧ୍ୟାରେ ପୃଥକ ଭାବେ ଦୁଇଟି ଦୁର୍ଘଟଣା ଘଟିଛି। ଉଭୟ ସ୍ଥାନରେ ଘଟିଥିବା ଦୁର୍ଘଟଣାରେ ଦୁଇ ଜଣ ବାଇକ୍ ଆରୋହୀ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି। ଫୁପଗାଁଠାରେ ଘଟିଥିବା ଦୁର୍ଘଟଣାରେ ନୁଆଗାଁ ଗ୍ରାମର ଦେବେନ୍ଦ୍ର ଶବର(୩୫) ଗୁରୁତର ହୋଇଛନ୍ତି। ସେହିପରି ବଙ୍ଗୋମୁଣ୍ଡା ଖେଲପଡ଼ିଆ ନିକଟସ୍ଥ ରାସ୍ତାରେ ଘଟିଥିବା ଦୁର୍ଘଟଣାରେ ବଙ୍ଗୋମୁଣ୍ଡା ଗ୍ରାମର ବିକି ଛତ୍ରିଆ(୨୩) ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ କୋକସରା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ଭବାନୀପାଟଣା ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଉଭୟ ସ୍ଥାନରେ ଘଟିଥିବା ଦୁର୍ଘଟଣାର କାରଣ ରାସ୍ତାରେ ହାରଭେଷ୍ଟର (ଧାନକଟା ମେସିନ୍) ଧାନ କାଟିବା ପରେ କାଦୁଅ ସଫା ନକରି ରାସ୍ତାରେ ନେବା ଆଣିବା କାରଣରୁ ବାଇକ୍ ସ୍ଲିପ୍ ହୋଇ ଦୁର୍ଘଟଣା ହୋଇଥିବା ଜଣାପଡିଛି। ବର୍ତ୍ତମାନ କୋକସରା ଅଞ୍ଚଳରେ ଜୋରସୋରରେ ଧାନ କଟା ଚାଲିଛି। ଚାଷୀମାନେ ଧାନ କାଟିବା ପାଇଁ ହାରଭେଷ୍ଟର ସାହାଯ୍ୟ ନେଇଛନ୍ତି। ତେବେ କିଛି ଟ୍ରାକ୍ଟର ଓ ହାରଭେଷ୍ଟର ମାଲିକ ଜମିରୁ ଧାନ କାଟି ସାରିବା ପରେ ମେସିନ୍ ସଫା ନକରି ନେବା ଆଣିବା କରିବା ଯୋଗୁଁ ରାସ୍ତାରେ ପସ୍ତର ପସ୍ତର କାଦୁଅ ପଡିରହିଛି। ଯାହା ଫଳରେ ଲୋକେ ଅନେକ ହଇରାଣ ହରକତ ହେବା ସହ ଦୁର୍ଦ୍ଦଶା ଭୋଗୁଛନ୍ତି। କାଦୁଅ ଯୋଗୁଁ ବାଇକ୍ ସ୍ଲିପ୍ ହୋଇ ଚାଲକ ମାନେ ଭାରସାମ୍ୟ ହରାଇ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିବା ନଜିର ରହିଛି। ତେଣୁ ପ୍ରଶାସନ ଏ ଦିଗରେ ଦୃଷ୍ଟିଦେଇ ସମ୍ପୃକ୍ତ ଗାଡ଼ି ମାଲିକ ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣରେ ଦାବି ହୋଇଛି।




