ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପକ୍ଷରୁ ଜଳେଶ୍ଵରରେ ଉଦଯାପିତ ହେଲା ତ୍ରିଦିବସୀୟ ଜଉକଣ୍ଢେଇ କାର୍ମଶାଳା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜଳେଶ୍ୱର ବ୍ଲକ ଅନ୍ତର୍ଗତ କାଳିକସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ‘ଆମ ସଂସ୍କୃତି ଆମ ଖେଳନା’ କାର୍ଯ୍ୟକ୍ରମ ଆଧାରରେ ତିନି ଦିନ ବ୍ୟାପି ଏକ ଜଉକଣ୍ଢେଇ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।ଉଦଘାଟନୀ ଦିବସରେ ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜିତା ଟୁଡୁ ପୌରୋହିତ୍ୟ କରିଥିଲେ।

ଖ୍ୟାତନାମା ଶିଳ୍ପୀ କେଶୁ ଦାସ, ମାୟା ନାୟକ, ରାକେଶ ବେହେରା ଏବଂ କଳା ଶିକ୍ଷକ ଶକ୍ତିପଦ ମଣ୍ଡଳ ପ୍ରମୁଖ ଏଠାରେ ଉପସ୍ଥିତ ରହି ପିଲାମାନଙ୍କୁ ଖେଳନାର ଗୁରୁତ୍ଵ ବିଷୟରେ ଅବଗତ କରାଇଥିଲେ। ଶିଳ୍ପୀ କେଶୁ ଦାସ ତାଙ୍କ ଅଭିବ୍ୟକ୍ତିରେ ଭାରତୀୟ ଖେଳନା ପରିବେଶ ଅନୁକୂଳ ଯୁକ୍ତ ଓ ସୁଲଭ ହେବା ସହିତ ଆମ ଅର୍ଥନୀତିକୁ ସମୃଦ୍ଧ କରିବାରେ ସାହାଯ୍ୟ କରିଥାଏ ବୋଲି କହିବା ସହିତ ଆମେ ସାଧାରଣତଃ ଚାଇନା ଏବଂ ଆମେରିକୀୟ ଖେଳନା ଗୁଡ଼ିକ ଅଧିକ ଦାମ ଦେଇ କିଣୁଛୁ। ଫଳରେ ସେମାନଙ୍କ ଦେଶର ଅର୍ଥନୈତିକ ଅଗ୍ରଗତି ଘଟୁଛି କିନ୍ତୁ ଆମ ଦେଶର କାରିଗର ହତାଶ ହୋଇ ଜୀବିକା ହରାଇବା ସହ ପରବର୍ତ୍ତୀ ପିଢ଼ି ଏ କର୍ମ ପ୍ରତି ବିମୁଖ ହେଉଛନ୍ତି ବୋଲି କହିଥିଲେ।

କଣ୍ଢେଇ ଯେମିତି ସମସ୍ତଙ୍କର ପ୍ରିୟ ,ସେହିଭଳି କଣ୍ଢେଇ ପ୍ରସ୍ତୁତି ଏକ ସୌଖିନ କଳା ଅଟେ। ଏହି କଳାରେ ପାରଙ୍ଗମ ହୋଇ ପାରିଲେ ତଥା ସୁନ୍ଦର ଖେଳନା ପ୍ରସ୍ତୁତ କରିପାରିଲେ ଆମେ ଏହାକୁ ଦେଶ ବିଦେଶରେ ଉପଲବ୍ଧ କରାଇ ପାରିବା ସହିତ ଏହା ମାଧ୍ୟମରେ ଆମର ସଂସ୍କୃତି, ଐତିହ,ପରଂପରା ଓ ଶିଳ୍ପ ନୈପୁଣ୍ୟତା ଆଦିକୁ ବିଶ୍ଵ ବିଦିତ କରାଇ ପାରିବା ବୋଲି କେଶୁ ଦାସ ପରାମର୍ଶ ଦେଇଥିଲେ।

ଜଉ ବା ଗାଲାକୁ ଆମେ ସାଧାରଣତଃ ବଣିଆ ବା ସୁନାରୀ ଓ କାଠ କାମରେ ବଢ଼େଇ ମାନଙ୍କ କାମରେ ଲାଗେ ବୋଲି ଜାଣିଥାଉ। କିନ୍ତୁ ଏହି ଜଉକୁ କାଦୁଅ ନିର୍ମିତ ଶୁଖିଲା କଣ୍ଢେଇ ଉପରେ ପ୍ରଲେପ ଦେଇ ନାନା ରଙ୍ଗ ବେରଙ୍ଗ କଣ୍ଢେଇ ତିଆରି କରିହୁଏ ବୋଲି ହୁଏତ ଖୁବ୍ କମ୍ ଲୋକ ଜାଣିଥିବେ। ଏହି କଣ୍ଢେଇ କଳାକୁ ବିଦ୍ୟାଳୟର ୧୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ବହୁତ ଆଗ୍ରହ ସହକାରେ ଶିଖିଥିଲେ।

ଦ୍ୱିତୀୟ ଦିବସରେ ଛାତ୍ରଛାତ୍ରୀ କଣ୍ଢେଇ ପ୍ରସ୍ତୁତ କରି, ଏଥିରେ ଜଉ ପ୍ରଲେପ କରି ସୁନ୍ଦର ତଥା ବିଭିନ୍ନ କିସମର ଖେଳନା ଗଢ଼ିଥିଲେ। ତୃତୀୟ ଦିବସରେ ବିଦ୍ୟାଳୟରେ ଏକ କଣ୍ଢେଇ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ପିଲାମାନେ ନିଜ ନିଜର କଣ୍ଢେଇ ପ୍ରଦର୍ଶନ କରିବା ସହିତ ପ୍ରସ୍ତୁତି କଳା ସମ୍ପର୍କରେ ଏକ ପୃଷ୍ଠା ସମ୍ବଳିତ ସନ୍ଦର୍ଭ ଲେଖି ଶିଳ୍ପୀମାନଙ୍କୁ ପ୍ରଦାନ କରିଥିଲେ। ଶେଷରେ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା ।

ଏହି କର୍ମଶାଳା କଳା ଶିକ୍ଷକ ଶକ୍ତିପଦ ମଣ୍ଡଳଙ୍କ ତତ୍ତ୍ଵାବଧାନରେ ତିନି ଦିନ ଧରି ଚାଲିଥିଲା। ଏହାକୁ ସୁଚାର ରୂପେ ପରିଚାଳନା କରିବାରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସାହଯ୍ୟ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.