ଡ଼ଙ୍ଗରିଆଙ୍କ ପାଇଁ ନିୟମଗିରୀରେ ଉଦଘାଟିତ ହେଲା ନିରୋଗଶାଳା

ଓଡ଼ିଆ ବାର୍ତ୍ତା/ କଲ୍ୟାଣସିଂହପୁର (ପଦ୍ମନ ଭତ୍ରା): ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ପାର୍ସାଲି ପଞ୍ଚାୟତ ଟାମକସିଲ ଗାଁରେ ନିୟମଗିରୀ ସୁରକ୍ଷା ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଏକ ନିରୋଗଶାଳା ଉଦ୍ଘାଟନୀ ସମାରୋହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟ ଅଧକ୍ଷ ଅନୁବ୍ରତ ବାରା, ଜିଲ୍ଲା ମାନବ ସମ୍ବଳ ବିକାଶ ସଭାପତି ମାନସ ରଞ୍ଜନ ରଥ, ଅଲ ଓଡ଼ିଶା ଆଦିବାସୀ ସଂଘ ରାଜ୍ୟ ମହିଳା ଆବାହକ ବିଦୁ ଲତା ହୁଇକା ଓ ଅତିଥି ଭାବରେ ରାୟଗଡା ପୌର ପାଲିକା ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡା ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଏହି ନିରୋଗଶାଳା ହେବା ଯୋଗୁଁ ଡ଼ଙ୍ଗରିଆ ମାନଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା କିଛି ମାତ୍ରାରେ ସୁଧାର ଆସିପାରିବ ବୋଲି ମତ ପ୍ରକାଶ କରିଥିଲେ। ଏଥି ସହ ନିୟମଗିରୀ ଅଞ୍ଚଳର ଆଦିବାସୀ ଡଙ୍ଗରିଆ କନ୍ଧ ସମ୍ପ୍ରଦାୟ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ଚିନ୍ତା ପ୍ରକାଶ କରାଯାଇଥିଲା। ସଭାରେ ବକ୍ତାମାନେ ନିଜ ନିଜର ବକ୍ତବ୍ୟରେ ବର୍ତ୍ତମାନ ବହୁରାଷ୍ଟ୍ରୀୟ କମ୍ପାନୀଗୁଡିକ ନିୟମଗିରୀ ଅଞ୍ଚଳକୁ ପ୍ରବେଶ କରି ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମି ଉପରେ ଅଧିକାର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। ଯାହା ଫଳରେ ଆଦିବାସୀଙ୍କ ଦୈନଦିନ ଜୀବନଶୈଳୀ ସହ ଜୀବିକା ଓ ପରମ୍ପରାଗତ ଉପରେ ଗୁରୁତର ପ୍ରଭାବ ପଡୁଛି ବୋଲି ସେମାନେ ଅଭିଯୋଗ କରି କହିଥିଲେ। ଅନ୍ୟପଟେ, ନିରୀହ ଆଦିବାସୀଙ୍କୁ ଭୟ ଦେଖାଇ ତାଙ୍କ ସରଳତାର ଫାଇଦା ଉଠାଯାଉଥିବା ଓ ମିଥ୍ୟା ଅଭିଯୋଗରେ ସେମାନଙ୍କୁ ଆତଙ୍କବାଦୀ କାର୍ଯ୍ୟକଳାପ ସହ ଯୋଡ଼ାଯାଉଥିବା ନେଇ ମଧ୍ୟ ଗୁରୁତର ଅଭିଯୋଗ ଉଠିଥିଲା। ଏଭଳି ଘଟଣାରେ ଗୋଟିକ ପରେ ଗୋଟିକ ଆଦିବାସୀ ନିର୍ଯ୍ୟାତନାର ଶିକାର ହେଉଥିବା ଦାବି କରାଯାଇଥିଲା। ସଭା ଶେଷରେ ଆଦିବାସୀଙ୍କ ଅଧିକାର ସୁରକ୍ଷା, ଜଳ, ଜଙ୍ଗଲ, ଜମି ରକ୍ଷା ଓ ନିରୀହ ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ବନ୍ଦ କରିବା ପାଇଁ ସରକାର ଓ ପ୍ରଶାସନଙ୍କ ତୁରନ୍ତ ହସ୍ତକ୍ଷେପ ନେବା ନିମନ୍ତେ ଦାବି କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.