ଘୋଷିତ ହେଲା କବି ବ୍ରଜନାଥ ରଥ ସମ୍ମାନ-୨୦୨୬: ବିଶିଷ୍ଟ ଲେଖକ ପ୍ରଫୁଲ୍ଲ ତ୍ରିପାଠୀଙ୍କୁ ସାରସ୍ୱତ ସମ୍ମାନ, କବି ବାସୁଦେବ ସୁନାନୀ ପାଇବେ ସ୍ମୃତି ସମ୍ମାନ ଏବଂ କାଳୀପଦ ପ୍ରଧାନ ପାଇବେ ସ୍ମୃତି ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): କବି ବ୍ରଜନାଥ ଫାଉଣ୍ଡେସନ ଟ୍ରଷ୍ଟର ବୈଠକ ବିଶ୍ୱତାରା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ଅବସରପ୍ରାପ୍ତ ପ୍ରାଧ୍ୟାପକ ଡକ୍ଟର ରମାକାନ୍ତ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବାଲେଶ୍ଵରର ବହୁ ବିଶିଷ୍ଟ କବି, ଲେଖକ ଓ ଟ୍ରଷ୍ଟର ସଦସ୍ୟମାନେ ଯୋଗ ଦେଇଥିଲେ। ଉପସ୍ଥିତ ଟ୍ରଷ୍ଟର ସଦସ୍ୟ ଓ କବି ଲେଖକଙ୍କ ବିଚାର କ୍ରମେ ୨୦୨୬ ମସିହା ପାଇଁ ବିଶିଷ୍ଟ ଲେଖକ ଓ ଗବେଷକ ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କୁ ‘କବି ବ୍ରଜନାଥ ରଥ ସାରସ୍ୱତ ସମ୍ମାନ’, ବିଶିଷ୍ଟ କବି ଡକ୍ଟର ବାସୁଦେବ ସୁନାନୀଙ୍କୁ ‘କବି ବ୍ରଜନାଥ ରଥ ସ୍ମୃତି ସମ୍ମାନ’ ତଥା କବି ବ୍ରଜନାଥ ରଥଙ୍କ ରଚନାକୁ ବଙ୍ଗଳା ଭାଷାକୁ ଅନୂଦିତ କରିଥିବା ଅନୁବାଦକ ଡକ୍ଟର କାଳୀପଦ ପ୍ରଧାନଙ୍କୁ ‘କବି ବ୍ରଜନାଥ ରଥ ସ୍ମୃତି ସମ୍ବର୍ଦ୍ଧନା’ ପ୍ରଦାନ କରାଯିବ ବୋଲି ଘୋଷଣା କରାଯାଇଥିଲା। ଏହା ବ୍ୟତୀତ କବି ଡକ୍ଟର ରଥଙ୍କ ବିଶ୍ୱଶ୍ରୀ ପ୍ରେସର ଅନୁଗାମୀ ଲକ୍ଷ୍ମଣ ଚନ୍ଦ୍ର ବର୍ଦ୍ଧନଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯିବ ବୋଲି ସ୍ଥିର କରାଯାଇଛି। ଏଠାରେ ଉଲ୍ଲେଖ କରାଯାଇ ପାରେ ଯେ ପ୍ରତିବର୍ଷ ଜାନୁଆରୀ ୧୨ ତାରିଖ କବି ଡକ୍ଟର ରଥଙ୍କ ଜନ୍ମଦିନ ଓ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ବିଶ୍ୱତାରା ଓଡ଼ିଆ ଗବେଷଣା ଗ୍ରନ୍ଥାଗାରର ପ୍ରତିଷ୍ଠା ଦିବସରେ ସାରସ୍ୱତ ସମ୍ମାନ ପାଇଁ ୨୫ ହଜାର ନଗଦ ଅର୍ଥ ରାଶି, ସ୍ମୃତି ସମ୍ମାନ ପାଇଁ ୫ ହଜାର ନଗଦ ଅର୍ଥ ରାଶି ସହ ଅଙ୍ଗବସ୍ତ୍ର ଓ ସମ୍ମାନ ପତ୍ର ପ୍ରଦାନ କରାଯାଇଥାଏ । ଟ୍ରଷ୍ଟର ଏହି ପୁରସ୍କାର ବା ସମ୍ମାନର ଘୋଷଣା କାର୍ଯ୍ୟକ୍ରମରେ ଟ୍ରଷ୍ଟି ଶ୍ରୀମତୀ ପୁଷ୍ପଲତା ରଥ, ଟ୍ରଷ୍ଟ ସଦସ୍ୟ ମନସ୍ୱିନୀ ଦେବୀ, ବ୍ୟୋମନାଥ ରଥ, ବିଧୁନାଥ ରଥ, ବ୍ରହ୍ମନାଥ ରଥ, ଡାକ୍ତର ମୃତ୍ୟୁଞ୍ଜୟ ମିଶ୍ର, ଡକ୍ଟର କାଳିକିଙ୍କ ଦାଶ ସମେତ ଡକ୍ଟର ଅରବିନ୍ଦ ଗିରି, ଡକ୍ଟର ଶିରୀଷ ଚନ୍ଦ୍ର ଜେନା, ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ଔପନ୍ୟାସିକ ସୃଷ୍ଟିଧର ପରିଡା, ଡକ୍ଟର ରାଧାରଂଜନ ପଟନାୟକ, ନାଟ୍ୟକାର ହେମେନ୍ଦ୍ର ମହାପାତ୍ର, ଗାଳ୍ପିକା ପୁଷ୍ପାଞ୍ଜଳି ନାୟକ, କବି ଅଭୟ ଦାସ, ଇଂ ହୃଷିକେଶ ସାହୁ ଆଦି ଉପସ୍ଥିତ ଥିଲେ। ଚଳିତ ବର୍ଷ ଜାନୁଆରୀ ୧୨ ତାରିଖରେ କବି ଡ଼ଃ ବ୍ରଜନାଥ ରଥଙ୍କର ୯୧ତମ ଜୟନ୍ତୀ ସମାରୋହ ଓ ତାଙ୍କ ଦ୍ୱରା ସ୍ଥାପିତ ବିଶ୍ୱତାରା ଓଡ଼ିଆ ଗବେଷଣା ଗ୍ରନ୍ଥାଗାରର ୧୯ତମ ପ୍ରତିଷ୍ଠା ଦିବସ କବିଙ୍କର ବାସଭବନ ‘ବ୍ରଜଭୂମି’ରେ ପାଳିତ ହେବ ବୋଲି କବି ବ୍ରଜନାଥ ରଥ ଫାଉଣ୍ଡେସନ ଟ୍ରଷ୍ଟର ସଦସ୍ୟ ବ୍ୟୋମନାଥ ରଥ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.