ଘଣ୍ଟମାଳ ୟୁପି ସ୍କୁଲର ବାର୍ଷିକ ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଘଣ୍ଟମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାପନ ହୋଇଯାଇଛି। ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରୀବିକ୍ରମ ଷଢଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଢଳଦେବ ମୁଣ୍ଡ ଯୋଗଦାନ କରିଥିଲେ। ଗୁରୁବାର ଅନୁଷ୍ଠିତ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମରେ ପ୍ରଥମେ ସ୍ଥାନୀୟ ଶିବ ମନ୍ଦିରରୁ ପ୍ରଧାନ ଶିକ୍ଷକ ତ୍ରୀବିକ୍ରମ ଷଢଙ୍ଗୀଙ୍କ ନେତୃତ୍ୱରେ ଛାତ୍ରଛାତ୍ରୀ ମଶାଲ ନେଇଆସି ମଞ୍ଚରେ ସ୍ଥାପନ କରିଥିଲେ। ଅତିଥି ବୃନ୍ଦ ଗଣପତିଙ୍କ ଠାରେ ଦୀପ ପ୍ରଜ୍ୱଳନ କରିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ଷଢଙ୍ଗୀ ସ୍ୱାଗତ ଭାଷଣ ଦେବା ସହ ବାର୍ଷିକ ବିବରଣୀ ପଠନ କରିଥିଲେ। ବିଦ୍ୟାଳୟରେ ସ୍ଥାୟୀ ମଞ୍ଚ ନଥିବା ଓ ରୋଷେଇ ଘର ସମସ୍ୟା ଯୋଗୁଁ ଅସୁବିଧା ଦେଖାଦେଉଥିବା କଥା ତାଙ୍କ ବିବରଣୀରେ କହିଥିଲେ ପ୍ରଧାନ ଶିକ୍ଷକ। ସମ୍ମାନୀତ ଅତିଥି ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା ଅଳ୍ପଦିନ ମଧ୍ୟରେ ବିଦ୍ୟାଳୟରେ ରହିଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥି ଭାବରେ ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ଗୋହୀରାପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଜିତ ପଣ୍ଡା, ସର୍ବେସାଇ ଏଡିବଲ ଅଏଲର ନର୍ଲା ଫିଲ୍ଡ ଅଫିସର ପ୍ରିତିମୟୀ ମିଶ୍ର, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ୱାର୍ଡ ସଦସ୍ୟା ପ୍ରମିଳା ମାଝୀ ପ୍ରମୁଖ ଯୋଗଦାନ କରିଥିବା ବେଳେ, ଶିକ୍ଷାବିତ ତଥା କଳାହାଣ୍ଡି କଳାକାର ସଂଘର ସାଧାରଣ ସମ୍ପାଦକ ଶେଷଦେବ ମିଶ୍ର ମୁଖ୍ୟବକ୍ତା ଭାବରେ ଯୋଗଦାନ କରି ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ ଦେଇଥିଲେ। ପ୍ରଧାନ ଶିକ୍ଷକ ଶ୍ରୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ଗୁଣ୍ଡିଚାରାଣୀ ବାଡତିଆ, ରେଖା ଖେତାନ, ଅମ୍ବିକା ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। କେଶପଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିଅର୍ଜୁନ ସିଂ ମଞ୍ଚ ପରିଚାଳନା କରିଥିଲେ। ଇତ୍ୟବସରରେ ବିଦ୍ୟାଳୟର ତିନିଜଣ ଶିକ୍ଷୟତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଅତିଥି ବୃନ୍ଦ। ଗତ ମାସରେ ଅନୁଷ୍ଠିତ ହୋଇଥିବା ବିଦ୍ୟାଳୟର ବାର୍ଷିକ କ୍ରୀଡା ର କୃତୀ ପ୍ରତିଯୋଗୀ ମାନଙ୍କୁ ମଞ୍ଚରେ ପୁରସ୍କାର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ଦ୍ୱିତୀୟ ଅଧିବେସନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ଶ୍ରୀ ଷଢଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.