ତରଙ୍ଗେଲରେ ଡଙ୍ଗରିଆ କନ୍ଧଙ୍କ ମେରିଆ ପର୍ବ

ଗାଁରେ ରୋଗ ଦୂର ଓ ଭଲ ଫସଲ ପାଇଁ ପଶୁ ବଳି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଯାହାଙ୍କର ନିଆରା ପରବ ହେଉଛି ‘ମେରିଆ’। ଚଳିତ ବର୍ଷ ଏହି ପର୍ବ ଶାନ୍ତିପୂର୍ଣ୍ଣ ଭାବେ ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ତରଙ୍ଗେଲ ଗାଁରେ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୨୧ ବର୍ଷ ପରେ ଅନୁଷ୍ଠିତ ଏହି ପର୍ବକୁ ନେଇ ଏହି ଅଞ୍ଚଳ ଉତ୍ସବ ମୂଖର ହୋଇଉଠିଥିଲା। ଆଉ ପାରମ୍ପାରିକ ନାଚଗୀତରେ ବାଦ୍ୟର ତାଳେ ତାଳେ ରାତିସାରା ଝୁମି ଉଠିଥିଲେ କନ୍ଧ ସଂପ୍ରଦାୟର ଆବାଳ ବୃଦ୍ଧ ବନିତା।

ଧରଣୀପେନୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ପାଳନ ହୁଏ ମେରିଆ ପର୍ବ।କେଉଁ ଏକ ସ୍ମରଣାତିତ କାଲରୁ ଆଦିବାସୀ ମାନେ ନିଜର ଧରଣୀପେନୁ ତଥା ପ୍ରକୃତି ରାଣୀ ବଣ, ପାହାଡ଼, ଝରଣାକୁ ପୂଜାର୍ଚନା କରି ଆସୁଛନ୍ତି। ସେମାନେ ପୂର୍ବରୁ ପ୍ରକୃତି ପୂଜା ଉପରେ ବିଶ୍ୱାସ କରୁଥିବା ବେଳେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି। ଏଥିରୁ ଅନ୍ୟତମ ଆଦିବାସୀଙ୍କ ନିଆରା ପରମ୍ପରା ଟୋକି ପର୍ବ ଓ ମେରିଆ ପର୍ବ।

ଉକ୍ତ ଅଞ୍ଚଳରେ ଏହି ପର୍ବକୁ ପୌଷମାସରେ ହିଁ ପାଳନ କରୁଥିବା ବେଳେ ଆଜି ୨୧ବର୍ଷ ପରେ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ବାଣପାହାଡ଼ ଘେରା ଲାଞ୍ଜିଗଡ ବ୍ଲକ ବେନଗାଁ ପଞ୍ଚାୟତ ଅନ୍ତର୍ଗତ ତରଙ୍ଗେଲ ଗାଁରେ। ଏହି ଟୋକି ମରା ପର୍ବ ତଥା ମେରିଆ ପର୍ବ ରବିବାର ଶାନ୍ତି ଶୃଙ୍ଖଳାର ସହିତ ଉଦଯାପିତ ହୋଇଯାଥିବା ବେଳେ ଏନେଇ ତରଙ୍ଗେଲ ଗାଁ ଉତ୍ସର୍ବ ମୁଖର ହୋଇଉଠିଛି।

ଏହି ଅବସରରେ ଗାଁ ଧରଣୀପେନୁ ଦେବୀ ସମେତ ସମସ୍ତ ଦେବାଦେବୀଙ୍କ ଶକ୍ତି ପିଠ ଗୁଡ଼ିକରେ ରୀତିନୀତି ଅନୁଯାୟୀ ଆଦିବାସୀଙ୍କ ମନ୍ତ୍ର ପାଠରେ ପୂଜାର୍ଚନା କରାଯାଇଥିଲା। ଆଦିବାସୀଙ୍କ ବିଶ୍ୱାସ ଅଛି ଯେ ପୂର୍ବପୁରୁଷରୁ ରହି ଆସିଛି ଏହି ମେରିଆ ପର୍ବରେ ଗୃହପାଳିତ ପଶୁ ପକ୍ଷୀ ମାନଙ୍କୁ ବଳି ଦେବା ଦ୍ୱାରା ଗାଁର ରୋଗଶୋକ ଦୂର ହେବା ଶହ ପୋଡୁ ଚାଷ ତଥା କ୍ଷେତରେ ଭଲ ଫସଲ ଅମଳ ହୁଏ ବୋଲି।

ଏନେଇ ମୁଖ୍ୟ ପୂଜକ ତଥା ଗାଁ ଯାନୀ ସୋମବାରୁ ମାଝୀ, ପାଠ ଯାନୀ ସନା ମାଝୀ ସମେତ ଗାଁ ମୁଖିଆ ଶୁକ୍ରୁ ମାଝୀ ରୀତିନୀତି ଅନୁସାରେ ପୂଜାର୍ଚନା କରିଥିବା ବେଳେ ପୁରାତନ ଯୁଗର ଆଦିବାସୀଙ୍କ ମନ୍ତ୍ର ପାଠରେ ଅଞ୍ଚଳଟି ପ୍ରକମ୍ପିତ ହୋଇଥିଲା।

ଆଦିବାସୀଙ୍କ ନିଶାନ ବିର ବାଦ୍ୟରେ ଗାଁଟି ଗର୍ଜିଉଠିଥିବା ବେଳେ ଆସିଥିବା ଅତିଥି ମାନଙ୍କୁ ସମ୍ମାନର ସହିତ ଖଟିଆ ଉପରେ ବସାଇ କାନ୍ଧରେ ବୋହି ନାଚିନାଚି ମନ୍ଦିର ବେଢା ଚାରିପାର୍ଶରେ ପରିକ୍ରମା କରିବା ଏକ ନିହାର ପରମ୍ପରା ରହିଛି। ଏହି ମେରିଆ ପର୍ବରେ ରାଜୁ ମାଝୀ, ନବୀ ମାଝୀ, ପ୍ରଶାନ୍ତ ମାଝୀ, ଲାଚାନା ମାଝୀ, ଜୟ ମାଝୀ, ଜଗନ୍ନାଥ ମାଝୀ, ରବି ମାଝୀଙ୍କ ସମେତ ତରଙ୍ଗେଲ ଗାଁର ସମସ୍ତ ଯୁବ ଗୋଷ୍ଠି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.