ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ଓ ନିୟମଗିରି ପାହାଡ଼ର ସୁରକ୍ଷା ପାଇଁ ଆଦିବାସୀଙ୍କ ବଜ୍ର ଶପଥ
ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ):
ଜୀବନର ଶେଷ ରକ୍ତବିନ୍ଦୁ ଥିବା ଯାଏ କୌଣସି କମ୍ପାନି କିମ୍ବା ସରକାରଙ୍କୁ ନିୟମଗିରିରୁ ମୁଠାଏ ମାଟି ଦେବେ ନାହିଁ ବୋଲି ଡଙ୍ଗରିଆ ଓ ଝରଣିଆ କନ୍ଧ ଆଦିବାସୀମାନେ ବଜ୍ରଶପଥ ନେଇଛନ୍ତି। ନିୟମଗିରି ପର୍ବତ ଶିଖର ଧାଙ୍ଗଡ଼ାଭଟାଠାରେ ଗତ ଫେବ୍ରୁଆରି ୨୭ରୁ ମାର୍ଚ୍ଚ ୧ ତାରିଖ ତିନିଦିନ ଧରି ଆୟୋଜିତ ନିୟମ ରଜା ପର୍ବରେ ରକ୍ତଚାଉଳ ଧରି ଏମାନେ ବଜ୍ରଶପଥ ନେଇଛନ୍ତି। ନିୟମଗିରି ସୁରକ୍ଷା ସମିତିର ଡାକରାରେ ପ୍ରତିବର୍ଷ ଫେବ୍ରୁଆରି ଶେଷ ସପ୍ତାହରେ ତିନିଦିନ ଧରି ଆୟୋଜିତ ଏହି ପର୍ବରେ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଶହ ଶହ ଡଙ୍ଗରିଆ ଯୋଗ ଦେଇଥିଲେ। ସେମାନେ ମାଟିପୂଜା, ଜଳପୂଜା କରିବା ପରେ ନିୟମରଜାଙ୍କଠାରେ ବୋଦା, ଘୁଷୁରୀ, କୁକୁଡ଼ା,ପାରା ଆଦି ବଳି ଦେଇଥିଲେ। ଡଙ୍ଗରିଆମାନେ ନାରୀ ଅଧିକାରକୁ ପ୍ରଧାନ୍ୟ ଦେଇଥିବାରୁ ସକାଳେ ନିୟମରଜାଙ୍କୁ ପ୍ରଥମେ ବେଜେନ୍ (ନାରୀ ପୂଜକ)ମାନେ ପୂଜାର୍ଚ୍ଚନା କରିଥିଲେ। ରାତିରେ ଜାନୀ (ପୁରୁଷ ପୂଜକ)ମାନେ ପୂଜା କରିଥିଲେ। ତା ପରେ ଦଳଦଳ ହୋଇ ଡଙ୍ଗରିଆମାନେ କୁଇ ଭାଷାରେ ଗୀତ ଗାଇ ଗାଇ ଗୁଡ଼ି (ପାରମ୍ପରିକ ପୂଜାସ୍ଥଳ)ରେ ଢାପ, ନିସାନର ତାଳେ ତାଳେ ନାଚିଥିଲେ। ଆଦିମ ଜନଜାତି ଡଙ୍ଗରିଆ ଓ ଝରଣିଆ କନ୍ଧମାନେ ପ୍ରକୃତିର ଉପାସକ। ତାଙ୍କ ଦେବଦେବୀ ହେଲେ ଧରଣୀ ପେନୁ (ଧରିତ୍ରୀ ମାତା), ହୋରୁ ପେନୁ (ଡଙ୍ଗର ଦେବତା), ଏୟୁ ପେନୁ (ଝରଣା ବା ଜଳ ଦେବତା) ଇତ୍ୟାଦି। ନିୟମଗିରି ପର୍ବତ ହିଁ ତାଙ୍କ ଦେବତା। ନିୟମରାଜା ବୋଲି ସେମାନେ ଅନାଦି କାଳରୁ ପୂଜା କରି ଆସୁଛନ୍ତି। ଡଙ୍ଗରିଆମାନଙ୍କର ଜୀବନ ଜୀବିକା ଓ ସଂସ୍କୃତି ପ୍ରାକୃତିକ ସଂପଦରେ ପରିପୂର୍ଣ୍ଣ। ନିୟମଗିରି ସେମାନଙ୍କ ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି। ମାଟି ତଳେ ଭରି ରହିଛି ବକ୍ସାଇଟ୍, ଯାହା ଉପରେ ବହୁରାଷ୍ଟ୍ରୀୟ କମ୍ପାନି ଓ ସରକାରଙ୍କର ଲୋଲୁପ ନଜର ପଡ଼ିଛି। ତେଣୁ ରକ୍ତଚାଉଳ ଧରି ସେମାନେ ନିୟମଗିରି ନ ଛାଡ଼ିବାକୁ ଶପଥ ନେଇଥିଲେ।
ନିୟମଗିରି ପର୍ବତ ଶିଖରରେ ତିନି ଦିନଧରି ଚାଲିଥିବା ନିୟମରାଜା ପରବ ସମ୍ପନ୍ନ ହୋଇଛି। ଏଥିରେ ନିୟମଗିରି ଅଞ୍ଚଳରେ ବାସ କରୁଥିବା ଡଙ୍ଗରିଆ ଓ ଝରଣିଆ କନ୍ଧମାନେ ଜଳ, ଜମି ଓ ଜଙ୍ଗଲର ସୁରକ୍ଷା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଜଳ,ଜମି ଏବଂ ଜଙ୍ଗଲର ସୁରକ୍ଷା ତଥା ନିୟମଗିରିକୁ ବହୁରାଷ୍ଟ୍ରୀୟ କମ୍ପାନିଠାରୁ ବଞ୍ଚାଇବା ପାଇଁ ଏହି ଅଞ୍ଚଳର ଆଦିବାସୀମାନେ ସେମାନଙ୍କ ଆରାଧ୍ୟ ଦେବତା ନିୟମରାଜାକୁ ପୂଜା କରି ଆସୁଛନ୍ତି। ପ୍ରକୃତିର ନିୟମଗିରି ପର୍ବତ ଉପରେ ପ୍ରାୟ ୧୧୨ ଖଣ୍ଡ ଗାଁର ଆଠ ହଜାରରୁ ଅଧିକ ଡଙ୍ଗରିଆ ଏବଂ ଝରଣିଆ କନ୍ଧ ବସବାସ କରିଥାନ୍ତି। ଏହି ଆଦିବାସୀମାନେ ପର୍ବତ ଉପରେ କାନ୍ଦୁଲ, ମାଣ୍ଡିଆ, କୋଲଥ, ମକା, କମଳା, କଦଳୀ, ସପୁରୀ ଆଦି ଚାଷକରି ନିଜର ଜୀବିକା ନିର୍ବାହ କରିଥାନ୍ତି। କିନ୍ତୁ ବହୁ ରାଷ୍ଟ୍ରୀୟ କମ୍ପାନୀ ହାତରେ ଖଣିକୁ ରାଜ୍ୟ ସରକାର ଶାଗମାଛ ଦରରେ ଟେକିଦେଇ ଆଦିବାସୀଙ୍କ ଜୀବନ ଜୀବିକାକୁ ଛଡ଼ାଇ ନେବା ପାଇଁ ଯେଉଁ ଅପଚେଷ୍ଟା କରୁଛନ୍ତି ତାକୁ ଡଙ୍ଗରିଆ ଓ ଝରଣୀଆ ଆଦିବାସୀ ଦିର୍ଘ ବର୍ଷ ହେଲା ତୀବ୍ର ବିରୋଧ କରିଆସୁଛନ୍ତି। ଆଦିବାସୀ ଡଙ୍ଗରିଆ ଓ ଝରଣିଆ କନ୍ଧମାନଙ୍କ ବିଶ୍ଵାସ ରହିଛି ଯେ, ସେମାନଙ୍କ ଆରାଧ୍ୟ ଦେବତା ନିୟମରାଜାକୁ ବଳିଦେଇ ସନ୍ତୁଷ୍ଟ କଲେ ସମସ୍ତ ରୋଗ କଷ୍ଟରୁ ମୁକ୍ତି ମିଳିବା ସହ ସେମାନଙ୍କ ଫସଲ ଉତ୍ପାଦନ ବଢ଼ିଥାଏ। ତେଣୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ନିୟମଗିରି ପର୍ବତ ଶିଖର ଉପରେ ଥିବା ନିୟମରାଜାଙ୍କ ଧରଣୀପେନୁ ଠାରେ ଆଦିବାସୀ ଡଙ୍ଗରିଆ ଓ ଝରଣିଆ କନ୍ଧମାନେ ପୂଜାର୍ଚ୍ଚନା କରିବା ସହ ପାରମ୍ପାରିକ ପୋଷାକ ଓ ଅସ୍ତ୍ର ଶସ୍ତ୍ର ଧରି ନାଚଗୀତ କରିଥିଲେ। ଧରଣୀପେଜୁ ଠାରେ କୁକୁଡ଼ା, ପାରା, ବୋଦା ଓ ପୋଡ଼ ଆଦି ବଳିଦେଇ ନିୟମରାଜାକୁ ସନ୍ତୁଷ୍ଟ କରିବା ସହ ରକ୍ତ ଚାଉଳ ଧରି ଜୀବନର ଶେଷ ରକ୍ତବିନ୍ଦୁ ଥିବା ପର୍ଯ୍ୟନ୍ତ ନିୟମଗିରିର ସୁରକ୍ଷା ପାଇଁ ଶପଥ ନେଇଥିଲେ। ନିୟମଗିରି ପାହାଡର ଶିଖରରେ ତିନି ଦିନ ପରେ ରବିବାର ଆଦିବାସୀଙ୍କ ଏହି ନିୟମରାଜା ପରବ ଉଦଯାପିତ ହୋଇଛି। ତିନିଦିନ ଧରି ଚାଲିଥିବା ଏହି ନିୟମରାଜା ପର୍ବରେ ବିଭିନ୍ନ ଜନ ଆନ୍ଦୋଳନ ସଂଗଠନ, ସେଚ୍ଛାସେବୀ, ପରିବେଶବିତ ଓ ପ୍ରକୃତିପ୍ରେମୀ ଯୋଗ ଦେଇଥିବା ବେଳେ ନିୟମଗିରି ସୁରକ୍ଷା ସମିତିର ସଭାପତି ଲଦ ସିକକା, ଦଧି ପୁଷିକା, ଲେଲିନ କୁମାର, ଖଣ୍ଡୁଳ ମାଳି ସୁରକ୍ଷା ସମିତି କାର୍ତିକ ମାଝୀ, ସମ୍ପାଦକ ବ୍ରିଟିଶ କୁମାର, ସିପିଆଇ ସଂଜୟ ସୁନାନୀ, ରାଜେଶ ଯାନୀ, ଦାସ ନଦୀବାଲିଆ, ଡ୍ରିଂଜୁ ହିକକା, ନିରଞ୍ଜନ, ସାହିବୁ ପୁଷିକା, କୃଷ୍ଣ ହିକକା, କୁଣଜି କୁଟ୍ରିକା, ନବଘନ, ପ୍ରମୁଖ ନେତୃତ୍ୱ ନେଇଁ ଥିବା ବେଳେ ସମସ୍ତ ସଂଗ୍ରାମୀ ନେତା,କର୍ମକର୍ତ୍ତା ଓ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷମାନେ ସାମିଲ ହୋଇଥିଲେ।




