କବିତା: ଜୟ ମା’ ବିରଜା

ଜୟ ମା’ ବିରଜା ତିନି ପୁରେ ପୂଜା
ଧ୍ବଜା ଉଡ଼େ ଯାଜପୁରେ।
ତୋହର ପ୍ରସାଦୁ ଯଯାତି କେଶରୀ
ରାଜା ହେଲେ ଉତ୍କଳରେ।।

ମହାଭାରତ ଓ କାହିଁ କେତେ ଶାସ୍ତ୍ରେ
ତୋର ମହିମା ବର୍ଣ୍ଣିତ।
ମହିଷା ଲାଙ୍ଗୁଳ ଏକ ହସ୍ତେ ଧରୁ
ଦ୍ୱିତୀୟ ତୋ ଶୂଳ ହସ୍ତ।।

ବ୍ରହ୍ମା ଆରମ୍ଭିଲେ ଏକ ପୁଣ୍ୟ ଯଜ୍ଞ
ଉତ୍କଳ ଜାହ୍ନବୀ ତୀରେ।
ସେ ଯଜ୍ଞ ଉତ୍ଥିତା ମାତା ଜଗନ୍ମାତା
ବାସ ବିରଜା ତୀର୍ଥରେ।।

ଶ୍ରୀଯଜ୍ଞ ବରାହ ସ୍ୱୟଂ ସାକ୍ଷୀ ଛନ୍ତି
ପୁଣ୍ୟ ଦଶାଶିନି ଘାଟେ।
ସପତ ମାତୃକା ବିଜେ ଛନ୍ତି ପୁଣି
ବୈତରଣୀ ଆରପଟେ।।

ଦଶ ଅଶ୍ୱମେଧ ସମ୍ପାଦିଲେ ପୁଣି
ରାଜା ଯଯାତି କେଶରୀ।
କାନ୍ୟକୁବ୍ଜ ଠାରୁ ଦଶ ସସ୍ର ବିପ୍ର
ସୁଖେ ଆଣିଥିଲେ ବରି।।

ସେ ସ୍ମୃତିକୁ ବହି ଏବେ ରାଜୁଥାଇ
ଦଶାଶ୍ବମେଧର ଘାଟ।
ଯଜ୍ଞ ଯୋଗୁଁ ସିନା ଯାଗପୁରୁ ନାମ
ଯାଜପୁର ହେଲା ଖ୍ୟାତ।।

ତୋ ପିଠରେ ବିଜେ ପୁଣ୍ୟ ନାଭିଗୟା
କ୍ଷେତ୍ର ପରମ ପାବନ।
ପିତର ପୁରୁଷ ମୋକ୍ଷ ଲଭିଥାନ୍ତି
ପାଇ ତହିଁ ପିଣ୍ଡ ଦାନ।।

ବରାହ, ବିରଜା, ବିପ୍ର, ବୈତରଣୀ,
ବେଦ ଯୋଗୁଁ ଅଟେ ପୁଣି।
ପଞ୍ଚ ବ’ କାର ଏ କ୍ଷେତ୍ରବର ଖ୍ୟାତ
ବଖାଣି ଅଛନ୍ତି ଜ୍ଞାନୀ।।

ଗଦା କ୍ଷେତ୍ର ବୋଲି ପ୍ରସିଦ୍ଧ ଜଗତେ
ଦୁଆରେ କଂସା କବାଟ।
ଭୈରବୀ ଭୈରବ ରଡ଼ି ଡାକ ଦେବେ
କଳିଯୁଗ ହେଲେ ଅନ୍ତଃ।।

ଜଗତେ ପ୍ରସିଦ୍ଧ ପୁଣ୍ୟ ଶକ୍ତି ପୀଠ
ଏକାବନ ମଧ୍ୟେ ସ୍ଥାନ।
ଦ୍ୱି ଭୁଜା ମୂରତି ବିରଳ ଜଗତେ
ମାଆ ମୋର ମହୀୟାନ।।

ଜୟ ମା’ ବିରଜା ତୋତେ କରେ ପୂଜା
ଜୟ ମା’ ମଙ୍ଗଳମୟୀ।
ହୃଦୟ ମୋହର ପୂଜା ବେଦୀ ହେଉ
ତବ ନିରାଜନା ପାଇଁ।।

ଅର୍ଜୁନୀ ଚରଣ ବେହେରା
ମୋ -7693091971

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.