ଅସୁରଗଡ଼ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସଂପନ୍ନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ଼ ଗ୍ରାମରେ ନବ ଦିନ ବ୍ୟାପି ଚାଲିଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆଜି ନାମଯଜ୍ଞର ପୂର୍ଣ୍ଣାହୁତି ସହ ସଂପନ୍ନ ହୋଇଛି। ୧୯ରେ ଧାନ୍ୟାଧିବାସ, ୨୦ରେ ମଣ୍ଡଳକରଣ, ୨୧ରେ ଶାଳା ସଂସ୍କାର, ସୂର୍ଯ୍ୟ ପୂଜା , ଗୋପୂଜା, ଅଗ୍ନିସ୍ଥାପନ, ୨୨ରେ ମହାସ୍ନାନ, ୨୩ରେ ବିଗ୍ରହମାନଙ୍କ ପ୍ରାଣପ୍ରତିଷ୍ଠା ଓ ନଗର ଭ୍ରମଣ, ୨୪ ରେ ବିଗ୍ରହମାନଙ୍କ ସିଂହାସନ ବିଜେ ଓ ଅପରାହ୍ନରେ ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ୨୫ ତାରିଖ ସକାଳୁ ନାମାରମ୍ଭ ହୋଇ ୨୬ରେ ଅହୋରାତ୍ର ନାମ ସଂକିର୍ତ୍ତନ ଏବଂ ୨୭ ତାରିଖ ସକାଳେ ପୂର୍ଣ୍ଣାହୁତି, ନଗର କିର୍ତ୍ତନ ସହ ଏହି ଭବ୍ୟ ଉତ୍ସବ ସମାପନ ହୋଇଛି। ୨୦ ରୁ ୨୩ ତାରିଖ ପର୍ଯ୍ୟନ୍ତ ରାତିରେ ଗଞ୍ଜାମର ଭାରତଳୀଳା, ସଂଚାର, ନୂଆପଡ଼ାର ଦଣ୍ଡନୃତ୍ୟ ଆଦି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଛତ୍ରପୁରର ପଣ୍ଡିତ ମନୋଜ କୁମାର ପାଢୀ ଓ ସାଥି ପଣ୍ଡିତ ବୃନ୍ଦ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ। ଜନସାଧାରଣ ଭଗବାନ ଶ୍ରୀରାମଙ୍କ ଦର୍ଶନ କରିବା ସହ ମିନାବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଭରପୁର ମଜା ଉଠାଇଥିଲେ। ୧୬ ପ୍ରହର ନାମଯଜ୍ଞରେ କର୍ତ୍ତା ଭାବରେ ଡମ୍ବରୁ ରଣା ଓ ତାଙ୍କ ପତ୍ନୀ କମଳା ରଣା, ମୁଖ୍ୟ ପୂଜକ ଭାବରେ ଅର୍ଜ୍ଜୁନ ମିଶ୍ର, ସହଯୋଗୀ କଳ୍ପତରୁ ପାଢୀ ଓ ମାଝୀଗୌରୀ ପଣ୍ଡା ଦାଇତ୍ୱ ନିର୍ବାହ କରିଥିଲେ। ପରିଚାଳନା ସମିତିର ସଭାପତି ଘନଶ୍ୟାମ ପଧାନ ଓ ସମ୍ପାଦକ ତୁଷାରକାନ୍ତ ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିବାବେଳେ ମାଣ୍ଡେଲର ପୂର୍ବତନ ସରପଞ୍ଚ ସାର୍ଥିକ ମାଝୀ, ଗୋବିନ୍ଦ ଗଉଡ, ନିର୍ମଳ ଗଉଡ, ନରୋତ୍ତମ ଗଉଡ, ଅମର୍ତ୍ତ୍ୟ ଗଉଡ ଜଗଦିଶ ଗଉଡ, ବାରିକ ଗଉଡ, ନାବିକ ଗଉଡ, ତ୍ରୀଲୋଚନ ପଧାନଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.