ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ ଆନୁକୂଲ୍ୟରେ ସୁଶ୍ରୀ ଅରୁଣା ରାୟଙ୍କ ସଂପାଦିତ ‘ଗୋପବନ୍ଧୁ ସୂକ୍ତିସିନ୍ଧୁ’ ଗ୍ରନ୍ଥ ସ୍ରଷ୍ଟା ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି। ଏହି ଉନ୍ମୋଚନ ଉତ୍ସବରେ ପୌରୋହିତ୍ୟ କରି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ସମସ୍ତେ ଗୋପବନ୍ଧୁଙ୍କ ପରି ଜାତିପ୍ରେମୀ ଓ ଦୁଃଖୀ ଦରିଦ୍ରଙ୍କ ସେବା ପାଇଁ ଉତ୍ସର୍ଗୀକୃତ ହେବା ଆବଶ୍ୟକ ବୋଲି ବକ୍ତବ୍ୟ ରଖିଥିଲେ।
‘ଗୋପବନ୍ଧୁ ସୂକ୍ତିସିନ୍ଧୁ’ ଗ୍ରନ୍ଥ ଉନ୍ମୋଚନ କରି ଫକୀରମୋହନ ସାହିତ୍ୟ ପରିଷଦର ସଭାପତି ଡକ୍ଟର ସୁବାସ ଚନ୍ଦ୍ର ପାତ୍ର, ‘ସମାଜ’ ଉତ୍ତର ଓଡ଼ିଶା ସଂସ୍କରଣର ସଂପାଦନା ମୁଖ୍ୟ କୁଳମଣି ବାରିକ ଓ ପ୍ରାବନ୍ଧିକ ପ୍ରଫେସର ଡକ୍ଟର ଶିରୀଶଚନ୍ଦ୍ର ଜେନା ଗ୍ରନ୍ଥ ସଂପର୍କରେ ତଥା ଗୋପବନ୍ଧୁଙ୍କର ଜୀବନୀ ଓ ସାରସ୍ୱତ ସାଧନା କଥା ଉଲ୍ଲେଖ କରିଥିଲେ। ବିଶେଷ ଭାବରେ ଇଂରାଜୀ ସାହିତ୍ୟରେ ବିଭିନ୍ନ ଦେଶପ୍ରେମୀ କବିଙ୍କ ସହ ଗୋପବନ୍ଧୁଙ୍କର ତୁଳନାତ୍ମକ ଆଲୋଚନା କରିବା ସଙ୍ଗେସଙ୍ଗେ ବାଲେଶ୍ୱରର ମହୀୟସୀ ମହିଳାମାନଙ୍କ ମଧ୍ୟରେ ଅରୁଣା ରାୟ ଅନ୍ୟତମ ବୋଲି ସ୍ୱୀକାର କରିବା ସହିତ ତାଙ୍କର ସଂପାଦିତ ଗ୍ରନ୍ଥ ସମାଜକୁ ଦିଗ୍ଦର୍ଶନ ଦେବ ବୋଲି ପ୍ରକାଶ କରିଥିଲେ।
ଅତିଥି କୁଳମଣି ବାରିକ ଗୋପବନ୍ଧୁଙ୍କ ଜୀବନଯାତ୍ରାର ବହୁ ଅନାଲୋଚିତ କାହାଣୀକୁ ଉଦ୍ଧାର କରି ତାଙ୍କର ସମଗ୍ର ସାହିତ୍ୟକୃତି ଦେଶ ଓ ଜାତି ପାଇଁ ଉତ୍ସର୍ଗୀକୃତ ଥିଲା ବୋଲି ମତ ରଖିଥିଲେ। ଡକ୍ଟର ଶିରୀଶଚନ୍ଦ୍ର ଜେନା ଉଲ୍ଲିଖିତ ସୂକ୍ତିଗୁଡ଼ିକର ବିଭିନ୍ନ ଦିଗରୁ ଆଲୋଚନା କରି ତାହା ସମାଜର ପ୍ରତ୍ୟେକ ଅଂଶକୁ କିପରି ପ୍ରଭାବିତ କରିଛି ତାହା ପ୍ରକାଶ କରିବା ସଙ୍ଗେସଙ୍ଗେ ଗୋପବନ୍ଧୁଙ୍କ ସୂକ୍ତିସବୁକୁ ଭୀମଭୋଇଙ୍କ ରଚନା ସମକକ୍ଷ ବୋଲି ପ୍ରକାଶ କରିଥିଲେ।
ଲେଖିକା ଅରୁଣା ରାୟ ବିଭିନ୍ନ କବିଙ୍କର ସୂକ୍ତିଗୁଡିକୁ ସଂଗ୍ରହ କରି ପ୍ରକାଶ କରିବା ତଥା ପୌରାଣିକ ଓ ଐତିହାସିକ ମାନ୍ୟତା ଲାଭ କରିଥିବା ବିଭିନ୍ନ ଚରିତ୍ରକୁ ଲୋକଲୋଚନକୁ ଆଣିବାରେ ଆଗ୍ରହୀ ବୋଲି ପ୍ରକାଶ କରିଥିଲେ। ପ୍ରାରମ୍ଭରେ ଅରୁଣା ରାୟଙ୍କ ସଂପର୍କରେ ଏକ ସଙ୍ଗୀତ ପରିବେଷଣ କରି କଲ୍ୟାଣୀ ନନ୍ଦ ଶ୍ରୋତାଗଣଙ୍କୁ ମୁଗ୍ଧ କରିଥିଲେ। ଶ୍ରୋତାମାନଙ୍କ ମଧ୍ୟରେ ଥିବା କବି ଶ୍ରୀଦେବ ଓ ସୁଷମା ମହାପାତ୍ର ଲେଖିକାଙ୍କ ଗ୍ରନ୍ଥ ଓ ଗୋପବନ୍ଧୁଙ୍କ ଜୀବନକାହାଣୀ ଦ୍ୱାରା ସେମାନେ କିପରି ଉଦ୍ବୁଦ୍ଧ ବୋଲି ସୂଚାଇ ଥିଲେ। ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ପ୍ରାରମ୍ଭିକ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ମଞ୍ଚ ଆବାହନ ଓ ଅନ୍ୟତମ ଯୁଗ୍ମ ସଂପାଦକ ଶାନ୍ତିଲତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରଫେସର ରଶ୍ମିରେଖା ପତି ଲେଖିକାଙ୍କୁ ଉପାୟନ ପ୍ରଦାନ କରି ତାଙ୍କର ଦୀର୍ଘଜୀବନ କାମନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ନିବାରଣ ଜେନା, ତପନ ରାୟ, ଦୀପକ ବୋଷ, ପ୍ରଫୁଲ୍ଲ କୁମାର ଦାସ, ପ୍ରଭାକର ସାହୁ, ଡ. ସାରଙ୍ଗଧର ତ୍ରିପାଠୀ, ଡାକ୍ତର ଲକ୍ଷ୍ମୀକାନ୍ତ ହୋତା, ଡ. ଭାଗବତ ପ୍ରସାଦ ଦାସ, କୃଷ୍ଣା ପ୍ରଧାନ, ଶାନ୍ତି ବିଶି, ସଙ୍ଗୀତା ବାରିକ, ପୁଷ୍ପଲତା ଚକ୍ରବର୍ତ୍ତୀ, ଊର୍ମିଳା ନାୟକ, ଭାସ୍କରଚନ୍ଦ୍ର ମିଶ୍ର, ନରେନ୍ଦ୍ର ପାଣିଗ୍ରାହୀ, ଦୈତାରୀ ବେହେରା, ଅଞ୍ଜଳି ପଣ୍ଡା, ଡ. ହେମମାଳା ଦାଶ, ତପନ କୁମାର ପଣ୍ଡା ପ୍ରମୁଖ ବହୁ ସାରସ୍ୱତ ସାଧକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।





