ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଲଡୁଗାଁ ଗ୍ରାମର ଏକ ଭଡ଼ା ଘରୁ ମଙ୍ଗଳବାର ଜଣେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରିଛି। ମୃତ ମହିଳାଙ୍କ ବାପ ଘର ଲୋକେ ହତ୍ୟା ଅଭିଯୋଗ ଆଣିବା ପରେ ମହିଳାଙ୍କ ସ୍ବାମୀ କୁ କୋକସରା ଥାନାରେ ଅଟକ ରଖି ପୁଲିସ ପଚରାଉଚରା କରୁଥିବା ସୂଚନା ମିଳିଛି। ସୂଚନା ଅନୁସାରେ, ଲଡୁଗାଁ ଗ୍ରାମର ସୁରଞ୍ଜନ ଦାସଙ୍କ ଦ୍ବିତୀୟ ଝିଅ ସୁପ୍ରିତି ଦାସ ଓ ଜ୍ବାଇଁ ନୂଆପଡା ଜିଲ୍ଲା ସିଙ୍ଗଝର ଗ୍ରାମର ପ୍ରଭାସ ଦାସ ଦିର୍ଘ ୫ବର୍ଷ ତଲେ ବୈଦିକ ରୀତିରେ ବିବାହ କରିଥିଲେ। ଏବଂ ସେମାନେ ଲଡୁଗାଁ ସ୍ଥିତ ଏକ ଭଡାଘରେ ରହି ଆସୁଥିଲେ। ତେବେ ମଙ୍ଗଳବାର ଘର ଭିତରେ ସୁପ୍ରିତି ର ଝୁଲନ୍ତା ମୃତଦେହ ଦେଖିବାକୁ ପାଇ ସ୍ବାମୀ ପ୍ରଭାସ ଦାସ ଉଦ୍ଧାର କରି ଶ୍ବଶୁର ଘର ଲୋକଙ୍କୁ ଖବର ଦେଇଥିଲେ। ଏହା ପରେ ସେମାନେ ପହଞ୍ଚି କୋକସରା ଥାନା ପୁଲିସ କୁ ଖବର ଦେବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା। ପରେ ସାଇଣ୍ଟିଫିକ୍ ଟିମ୍ ସାହାଯ୍ୟରେ ତଦନ୍ତ କରିବା ସହ ଶବ ଜବତ୍ କରି କୋକସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦେଇଥିଲେ। ସେଠାରେ ଶବ ବ୍ୟବଛେଦ ହେବାପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପଟେ ମୃତ ମହିଳାଙ୍କ ବାପ ଘର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। ପୁଲିସ ମୃତ ମହିଳାଙ୍କ ସ୍ବାମୀ ପ୍ରଭାସ ଦାସଙ୍କୁ କୋକସରା ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। କୋକସରା ଥାନା ପୁଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଥିବା ଥାନା ପକ୍ଷରୁ ସୂଚନା ମିଳିଛି।





