ଜିଲ୍ଲା କାରାଗାରରୁ କଏଦୀ ଫେରାର ଘଟଣା: ଅଧିକ୍ଷକଙ୍କ ସମେତ ଜେଲ ୱାର୍ଡରଙ୍କ ନିଲମ୍ବନ ଦାବୀ କଲା ଜିଲ୍ଲା ଯୁବ ବିଜେଡି 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜିଲ୍ଲା କାରାଗାରରୁ ଜଣେ କଏଦୀ ଫେରାର ଘଟଣା ଜେଲର ସୁରକ୍ଷା ବ୍ୟବସ୍ଥା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତିନୋଟି ଚୋରି ମାମଲାରେ ଜଣେ ବିଚାରାଧୀନ କଏଦୀ ଜଗନ୍ନାଥ ଶବର ଜେଲ ପାଚେରୀ ଡେଇଁ ଫେରାର ହେବା ଏକ ସାମାନ୍ୟ ଘଟଣା ନୁହେଁ ଏଥିପାଇଁ ଜେଲ ଅଧୀକ୍ଷକଙ୍କ ସମେତ ଜେଲ ଓ୍ବାର୍ଡରକୁ ନିଲମ୍ବନ କରାଯିବା ପାଇଁ ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଦାବି କରିଛନ୍ତି। ପୂର୍ବରୁ ମଧ୍ୟ ଦୁଇ ବର୍ଷ ତଳେ ପୋକ୍ସୋ ଆକ୍ଟରେ ସଜା କାଟୁଥିବା ଦୁଇ ଜଣ କଏଦୀ ଜିଲ୍ଲା କାରାଗାର ଭବାନୀପାଟଣାରୁ ଫେରାର ହୋଇଥିଲେ। ବାରମ୍ବାର କଏଦୀ ମାନେ କିଭଳି ଭାବରେ ଜେଲ ସୁରକ୍ଷା ବ୍ୟବସ୍ଥାକୁ ମାତ ଦେଇ ଫେରାର ହେବାରେ ସଫଳ ହେଉଛନ୍ତି ତାହାର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି। ରାଜ୍ୟରେ ଥିବା ସମସ୍ତ ଜେଲକୁ ସରପ୍ରାଇଜ ଭିଜିଟ କରିବା ପାଇଁ ସମସ୍ତ ଜିଲ୍ଲାପାଳ ଓ ଏସପି ମାନଙ୍କୁ ନିର୍ଦ୍ଦେଶ ରହିଥିଲେ ସୁଦ୍ଧା ଜେଲ ପରିଦର୍ଶନରେ କତୃପକ୍ଷ ମାନଙ୍କ ଅବହେଳା ଏଥିରୁ ସ୍ପଷ୍ଟ ବାରି ହେଉଛି। ଜେଲରେ ଅନେକ ଦୁର୍ଦ୍ଦାନ୍ତ ଅପରାଧୀ ମାନେ ସଜା କାଟୁଥିବା ବେଳେ ଏହିଭଳି ଚରମ ଅବହେଳା ଓ ଢିଲା ସୁରକ୍ଷା ବ୍ୟବସ୍ଥା ନେଇ ଜେଲ ଡିଜି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଯୁବ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଶ୍ରୀ ଠାକୁର ଚେତାବନୀ ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.