‘ସେଇଠୁ ଆରମ୍ଭ’ ଓ ‘ଓଡ଼ିଆ ନ୍ୟୁଜ ଡ଼ଟ୍ ଲାଇଭ୍’ ପକ୍ଷରୁ ବାଲେଶ୍ୱରରେ ଆୟୋଜିତ ହେଲା କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଦୈନିକ ଖବରକାଗଜ ‘ସେଇଠୁ ଆରମ୍ଭ’ ଓ ଡିଜିଟାଲ ମେଡ଼ିଆ ‘ଓଡ଼ିଆ ନ୍ୟୁଜ ଡ଼ଟ୍ ଲାଇଭ୍’ ପକ୍ଷରୁ ବାଲେଶ୍ୱର ସହରର ଖ୍ରୀଷ୍ଟିଆନ ହାଇସ୍କୁଲ ପରିସରରେ ଏକ କର୍କଟ ରୋଗ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭୁବନେଶ୍ୱରର ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡାକ୍ତର ରଂଜିତ କର ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଦୁଇ ଶହରୁ ଅଧିକ ଜନସାଧାରଣଙ୍କୁ କର୍କଟ ରୋଗର ପ୍ରାରମ୍ଭିକ ଲକ୍ଷଣ, ରୋଗର ନିଦାନ, ଶରୀରରେ କେଉଁ ଭଳି ସୂଚନା ଦେଖା ଦେଲେ କର୍କଟ ରୋଗର ପ୍ରାରମ୍ଭିକ ଅବସ୍ଥା ବୋଲି ଜାଣିପାରିବା, କେଉଁ ସବୁ କାରଣ ପାଇଁ କର୍କଟ ରୋଗ ହୋଇଥାଏ, କେଉଁଭଳି ପରିସ୍ଥିତିରେ ରୋଗର ପରୀକ୍ଷା କରିପାରିଲେ ଏଭଳି ମାରାତ୍ମକ ତଥା ବ୍ୟୟ ବହୁଳ ରୋଗରୁ ଆମେ ମୁକ୍ତ ହୋଇପାରିବା ଇତ୍ୟାଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରୋଜେକ୍ଟର ମାଧ୍ୟମରେ ସଚିତ୍ର ବୁଝାଇଥିଲେ। ‘ସେଇଠୁ ଆରମ୍ଭ’ର ସମ୍ପାଦକ ଶୁଭେନ୍ଦୁ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ କହିଥିଲେ କି, ଆସନ୍ତାଦିନରେ ପ୍ରତି ଘରେ କର୍କଟ ରୋଗରେ ଆକ୍ରାନ୍ତ ହେବାର ବିଭିନ୍ନ ସ୍ୱାସ୍ଥ୍ୟ ସଂଗଠନ ଗୁଡିକ ପୂର୍ବାନୁମାନ କରିଥିବାରୁ ଏକ ସଚେତନ ଗଣମାଧ୍ୟମ ସଂସ୍ଥା ଭାବରେ ଆମେ ପ୍ରାରମ୍ଭିକ ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଭଳି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରୁଛୁ, ଏବଂ ଆଗକୁ ଏଭଳି କାର୍ଯ୍ୟକ୍ରମ ବିଭିନ୍ନ ବ୍ଲକ ସ୍ତରରେ କରିବାର ଯୋଜନା ରଖିଛୁ ବୋଲି କହିଥିଲେ। ସମସ୍ତେ ସୁଖରେ ରୁହନ୍ତୁ ବା ନ ରୁହନ୍ତୁ ସୁସ୍ଥ ରୁହନ୍ତୁ- ଏଭଳି ଏକ ଜନ ଜାଗରଣ ଆରମ୍ଭ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ ଏବଂ ସ୍ୱରୂପ କୁମାର ଦାସ ଉପସ୍ଥିତ ରହି ଗଣମାଧ୍ୟମ ସଂସ୍ଥାର ଏଭଳି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଉଭୟ ପୂର୍ବତନ ବିଧାୟକ ଡାକ୍ତର ରଂଜିତ କରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ୧୮ ନମ୍ବର ୱାର୍ଡ କାଉନସିଲର୍ ଅର୍ପିତା ପ୍ରିୟଦର୍ଶିନୀ ପଟ୍ଟନାୟକ, ୨୯ ନମ୍ବର ୱାର୍ଡ କାଉନସିଲର୍ କାର୍ତ୍ତିକ ସାହୁ, ସମାଜସେବୀ ତଥା ସଂଗଠକ ଶେଖ୍ ଆନସର ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ସହଯୋଗ କରିଥିଲେ। ବିଶିଷ୍ଟ ଶିଳ୍ପପତି ଓ ସମାଜସେବୀ ସୁଶୀଲ ରାଠି, ବରିଷ୍ଠ ସାମ୍ବାଦିକ ତଥା କବି ରଞ୍ଜନ ବାଗ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ୱାସ୍ଥ୍ୟର ମହତ୍ୱ କେତେ ସେ ବାବଦରେ ଆଲୋଚନା କରିଥିଲେ। କବି ପ୍ରଶାନ୍ତ ଦାସ ଉକ୍ତ କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ଗଣମାଧ୍ୟମ ସଂସ୍ଥାର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହିତ ପରିବାରର ମହିଳା ସଚେତନ ହେଲେ ପରିବାର ସମ୍ପୂର୍ଣ୍ଣ ସୁସ୍ଥ ରହି ପାରିବ ବୋଲି ମତ ବ୍ୟକ୍ତ କରିଥିଲେ। ଏହି ଅବସରରେ ନିଆରା ଢଙ୍ଗରେ ବୃକ୍ଷ ଦେବତା ନିକଟରେ ଜଳ ପ୍ରଦାନ ପୂର୍ବକ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଉଦଘାଟନ କରାଯାଇଥିଲା। ଅତିଥିମାନଙ୍କୁ ମଧ୍ୟ ଉତ୍ତରୀୟ ସହିତ ବୃକ୍ଷ ଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.