ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ବିଜେପୁର ବନ ବିଭାଗ ଅଧିନରେ ଥିବା ପାହାଡ଼ପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଟାଙ୍ଗପଦର ଗ୍ରାମ ନିକଟସ୍ଥ ଜଙ୍ଗଲରେ ଲକ୍ଷାଧିକ ଟଙ୍କାର ଗଛ ଦିନ ଦ୍ବିପହରରେ କାଟି ନେଉଥିବା ଅଭିଯୋଗ ହୋଇଛିI ସୂଚନାନୁସାରେ ପଟାଙ୍ଗପଦର ଗ୍ରାମରୁ ବୋରପଦର ଯିବା ରାସ୍ତା କଡରେ ଥିବା ଶହେ ବର୍ଷ ପୂରାତନ ମୂଲ୍ୟବାନ ଗଛ ଗୁଡ଼ିକ ଥିବାବେଳେ କିଛି ବ୍ୟକ୍ତି ସପ୍ତାହେ ହେଲା ଗଛ ଗୁଡିକୁ ମେସିନ ଦ୍ୱାରା କାଟି ମୁଖ୍ୟ ଅଂଶ ଗୁଡ଼ିକ ନେଇଯାଇଛନ୍ତି। ଗତକାଲି ବୁଧବାର ଦିନ ମଧ୍ୟ ପୁଣି ମେସିନ ଲଗାଇ କାଟୁଥିବା ବେଳେ ପଟାଙ୍ଗପଦର ଗ୍ରାମର ଜଣେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ। କଟା ଯାଇଥିବା ଗଛ ଗୁଡିକର ମୋବାଇଲରେ ଫୋଟ ଉଠାଇଥିଲେ ଏବଂ ବ୍ୟକ୍ତିଗତ ଜାଗାରେ ଥିବା ଗଛ ଗୁଡିକୁ କାଟି କିଛି ବ୍ୟକ୍ତି ନେଉଥିବା ବିଜେପୁର ଫରେଷ୍ଟରଙ୍କୁ ଫୋନ ଯୋଗେ ଜଣାଇଥିଲେ। ବିଜେପୁର ଫରେଷ୍ଟର ଗୁରୁବାର ଦିନ ଘଟଣାସ୍ଥଳକୁ ଯାଇ କଟାଯାଇଥିବା ଗଛର ବଳକା ଅଂଶ ଗୁଡିକୁ ଜବତ କରି ଆଣିଥିଲେ। ଏନେଇ ବିଜେପୁର ଫରେଷ୍ଟର ପଦ୍ମଲୋଚନ ଶବରଙ୍କୁ ପଚାରିବାରୁ ବୁଧବାର ଦିନ ପଟାଙ୍ଗପଦର ଗ୍ରାମର ଜଣେ ଫୋନ ଯୋଗେ ଅଭିଯୋଗ କରିଥିଲେ ଯେ ତାଙ୍କର ପଟା ଜମି ପ୍ଲଟରେ ଥିବା କିଛି ଗଛଗୁଡ଼ିକୁ କୌଣସି ବ୍ୟକ୍ତି ମାନେ ମେସିନ ଦ୍ୱାରା କାଟି ନେଇଯାଉଛନ୍ତି।ତେଣୁ ଆଜି ମୁ ଟିମ୍ ସହିତ ଘଟଣା ସ୍ଥଳକୁ ଯାଇ ଗଛ କାଟିଥିବା ଦେଖିଲି ଏବଂ ଗଛର ବଳକା ପଡିଥିବା ଅବଶିଷ୍ଟାଂଶ ଜବତ କରି ବିଜେପୁର ବିଟଙ୍କୁ ଅଣାଗଲା। ଆସନ୍ତା କାଲି ଯାଇ ଅଭିଯୋଗ କାରୀଙ୍କ ଅନୁସାରେ ଜମିର ପଟ୍ଟା ଅନୁସାରେ ତାହା ବ୍ୟକ୍ତିଗତ ନା ଜଙ୍ଗଲ ଜମି ତଦନ୍ତ କରାଯିବ। ଏହା ସହିତ ଗଛ କିଏ କାଟିଛି ତାର ମଧ୍ୟ ତଦନ୍ତ କରାଯିବା ସହ ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଥିଲେ।





