ସୁବର୍ଣ୍ଣପୁରରେ ପୂରାଉଆଁସ : ଲଙ୍କାପୋଡି ଏକ ନିଆରା ପରମ୍ପରା

ସୋନପୁର,୩୧/୮ : ଶୁକ୍ରବାର ସପ୍ତପୁରୀ ଅମାବାସ୍ୟା ଅବସରରେ ସୁବର୍ଣ୍ଣପୁର ଜିଲାର ସଦର ଓ ଗାଁ ଗାଁରେ ପାରମ୍ପାରିକ ପୂରା ଉଆଁସ ପର୍ବ ପାଳିତ ହୋଇଯାଇଛି । ସୁବର୍ଣ୍ଣୁରର ପ୍ରସିଦ୍ଧ ଲଙ୍କାପୋଡି ପରମ୍ପରା ଅତି ପ୍ରାଚୀନ । ଏହି ସଂସ୍କୃତି ଓ ପରମ୍ପରା ଯୋଗୁଁ ସହରର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛି । ବିଭିନ୍ନ ଗ୍ରାମରେ ବାଳିକାମାନେ ପ୍ରଥମେ ଗ୍ରାମର ଇଷ୍ଟ ଦେବାଦେବୀଙ୍କଠାରେ ଭୋଗ ଅର୍ପଣ କରିଥିଲେ । ଉପଖଣ୍ଡର ଆଭ୍ୟନ୍ତରୀଣ ଗ୍ରାମ ଗୁଡିକରେ ଅଧିକ ଧୁମଧାମ ସହକାରେ ଏହି ପର୍ବ ପାଳିତ ହୋଇଥିବା ଜଣାଯାଇଛି । କିଛିକାଂଶରେ ଘରକରଣା କଳା ଶିକ୍ଷା ସହ ଜଡିତ ଏହି ପର୍ବ ପାଳନ ଅବସରରେ ଛୋଟ ଛୋଟ ବାଳିକାମାନେ ଗାଁ ଦାଣ୍ଡରେ ଅସ୍ଥାୟୀ ମାଟି ଘର ତିଆରି ପୂର୍ବକ ଟୋକେଇ, କୁଲା ଓ ମାଟିର କୁଢିଁକାଁଚି ଆଦି ସାମଗ୍ରୀ ନେଇ ରନ୍ଧାବଢାର ଖେଳ ଖେଳିଥିଲେ ।

ଅପରପକ୍ଷରେ ଛୋଟଛୋଟ ବାଳକମାନେ କାଠ ତଥା ମାଟି ତିଆରି ଚକଲଗା ଘୋଡା, ହାତୀ, ହନୁମାନ ଓ ବଳଦକୁ ଫୁଲମାଳରେ ସଜେଇ ଗାଁ ଦାଣ୍ଡରେ ଟାଣିଥିଲେ । ଏହି ଅବସରରେ ବାଳିକାମାନେ ଉକ୍ତ ଘୋଡା, ବଳଦମାନଙ୍କୁ ବନ୍ଦାପନା ପୂର୍ବକ ସମ୍ବର୍ଦ୍ଧିତ କରିବା ସହ ବାଳକମାନଙ୍କୁ ରାଶିଲଡୁ, ଲିଆଲଡୁ, ହୁର୍ମ ଲଡୁ ତଥା ଖୁଡିଆ, ତିଆସି, ବଟର୍ଲା, କାନ୍ଦୁଳ ଓ ମୁଗ୍ଫଲି ଆଦି ବିଭିନ୍ନ ଚଣାଭଜା ଖାଇବାକୁ ଦେଇଥିଲେ । ଅନେକ ଗ୍ରାମରେ ବାଳକବାଳିକାମାନେ ଗାଁ ପାଖ ପଡିଆକୁ ଯାଇ ବହୁଡୁଡୁ ଓ ଛିଲୋଲାଇ ଆଦି ପଙ୍କରମ୍ପଙ୍କରକ୍ଟକ ଗ୍ରାମୀଣ ଖେଳ ମଧ୍ୟ ଖେଳିଥିଲେ । ଏହି ଦିନରେ ସହରର ଗରୀବ ଠାରୁ ଆରମ୍ଭ କରି ଧନୀ ପର୍ଯ୍ୟନ୍ତ ସବୁ ଶ୍ରେଣୀର ପରିବାରର ବାଳକ ମାନେ ସଂନ୍ଧ୍ୟାରେ ମାଟି ନିର୍ମିତ ଏକ ସ୍ୱତନ୍ତ୍ର ହନୁମାନ ମୂର୍ତ୍ତିର ଲାଞ୍ଜରେ ଅଗ୍ନି ସଂଯୋଗ କରି ରାଜରାସ୍ତାରେ ବାହାରି ପଡିଥାନ୍ତି ଏକ ବିରାଟ ଶୋଭାଯାତ୍ରାରେ ।

ସାଧାରଣତଃ ମାଟିରେ ନିର୍ମିତ ଏହି ହନୁମାନ ଗୁଡିକ ବିକଟମୁଖୀ, ତ୍ରିଭଙ୍ଗି, ଭୃକୁଟିଆ ଭାବରେ ତିଆରି କରାଯାଇଥାଏ । ଲାଞ୍ଜଟି ବଙ୍କା ହୋଇଆସି ମୁଣ୍ଡ ଉପରେ ସଂଯୋଗ ହୋଇଥାଏ । ଏହାକୁ ମାଟିଚକ ଲାଗିଥିବା ଏକ ବାଉଁଶ ଫ୍ରେମ ଉପରେ ସଜ୍ଜିତ କରାଯାଇଥାଏ । ଏହି ହନୁମାନ ମାନଙ୍କ ଲାଞ୍ଜରେ ନିଆଁ ଲଗାଇ ରାମ ଲକ୍ଷ୍ମଣ ଜାନକୀ, ଜୟ ବୀର ହନୁମାନକୀ.. ନାରା ଦେଇ ସହରବାସୀ ଅତି ଆନନ୍ଦ ଉଲ୍ଲାସର ସହ ଲଙ୍କାପୋଡି ଉତ୍ସବ ପାଳନ କରିଥିଲେ । ଠିକ ସେହିପରି ସନ୍ଧ୍ୟାରେ ସ୍ଥାନିୟ ଟାଉନହଲ ଠାରେ ହୋଇଥିବା କାର୍ଯ୍ୟକ୍ରମରେ ସପ୍ତପୁରୀ ଅମାବାସ୍ୟା ରାତିରେ ଏଭଳି ଭୃକୁଟିଆ ମାଟି ହନୁମାନ ମାନଙ୍କ ଲାଙ୍ଗୁଡରେ ନିଆଁ ଲଗାଇ ସହର ପରିକ୍ରମା କରିବା ପଛରେ ଏକ ବିରାଟ ଐତିହାସିକ ପୁଷ୍ଠଭୂମଶ ରହିଥିବାରୁ ଏ ଦିଗରେ ଆହୁରି ଗବେଷଣା କରାଯିବା ଆବଶ୍ୟକ ବୋଲି ଆଜି ରାତିରେ ସ୍ଥାନୀୟ ଟାଉନ ହଲ ଠାରେ ଆୟୋଜିତ ଲଙ୍କାପୋଡି ମହୋତ୍ସବରେ ମୁଖ୍ୟଅତିଥି ଭାବରେଯୋଗ ଦେଇ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ପଣ୍ଡା ମତ ପ୍ରକାଶ କରିଛନ୍ତି । ଉତ୍ସବର ମୁଖ୍ୟ ଆୟୋଜକ ଶ୍ୟାମା ଓଁ ପ୍ରସାଦ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ପୁରୁଷୋତ୍ତମ ମିଶ୍ର, ସମାଜସେବୀ ଶ୍ରୀବତ୍ସ ମଲ୍ଲିକ ଓ ଭବାନୀପାଟଣାର ବରିଷ୍ଠ ସାମ୍ବାଦିକ ତଥା ସଂସ୍କୃତି ଗବେଷକ ଉମାଶଙ୍କର କର ପ୍ରମୁଖ ଯୋଗ ଦେଇଥିଲେ ।

ଏହି ଅବସରରେ ଅନୁଷ୍ଠିତ ପାରମ୍ପାରିକ ଟେରାକୋଟା ହନୁମାନ ସାଜସଜ୍ଜା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ପୁର୍ବରୁଏହି ଉପଲକ୍ଷେ ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଏହା ସହିତ ସଂସ୍କୃତି ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଉମାଶଙ୍କର କର ଓ ଟେରାକୋଟା ଶିଳ୍ପୀ ଦିଲୀପ ରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥିରେ ପଦ୍ମଲୋଚନ ମହଲା, ମନୋଜ ବାରିକ, କାଶିନାଥ ମିଶ୍ର, ଗୌରୀଶଙ୍କର ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ । ସୂଚନା ଯୋଗ୍ୟ ଯେ, ହନୁମାନ ମାନଙ୍କୁ ବିଭିନ୍ନ ଭଙ୍ଗୀରେ ସଜାଇ ଟାଉନହଲରେ ଆୟୋଜିତ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିଥିଲେ । ଏଥିରେ ସହରର ବହୁ ବୁଦ୍ଧିଜୀବୀଙ୍କ ସହ ସହରର ଅନେକ ଜନତା ସାମିଲ ହୋଇଥିଲେ ।

ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ ସାହୁଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.