ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ପରିବାରର ଶୈକ୍ଷିକ ପତ୍ରିକା ‘ବଂଶଧାରା’ ଉନ୍ମୋଚିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ପରିବାର ଆନୁକୂଲ୍ୟରେ ପ୍ରକାଶିତ ଶୈକ୍ଷିକ ପତ୍ରିକା ‘ବଂଶଧାରା’ର ଭବ୍ୟ ଉନ୍ମୋଚନ ସମାରୋହ ବିଶ୍ୱନାଥପୁର କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ପତ୍ରିକାକୁ ପାରମ୍ପରିକ ଘୁମୁରା ବାଦ୍ୟ ସହ ମଞ୍ଚାସୀନ ଅତିଥିମାନେ ଉନ୍ମୋଚନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର ନିଜ ଆଶୀର୍ବଚନରେ ‘ବଂଶଧାରା’କୁ ଜିଲ୍ଲାର ଶିକ୍ଷା ମାନଚିତ୍ରରେ ଏକ ଉଲ୍ଲେଖନୀୟ ପଦକ୍ଷେପ ବୋଲି ବର୍ଣ୍ଣନା କରିଥିଲେ। ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ପତ୍ରିକାର ନିରନ୍ତର ଉନ୍ନତି ଓ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ବିକାଶ ଦିଗରେ ମାର୍ଗଦର୍ଶନ ଦେଇଥିଲେ। ମୁଖ୍ୟ ବକ୍ତା ବିଶିଷ୍ଟ କବି ତଥା ସଂଗଠକ ବିରଞ୍ଚି ନାରାୟଣ ମୁଣ୍ଡ ଶିକ୍ଷା କ୍ଷେତ୍ରରେ ସାହିତ୍ୟ ପତ୍ରିକାର ଭୂମିକା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାଏକ ଓ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ଘଡ଼େଇ ପ୍ରମୁଖ ଉପସ୍ଥିତ ରହି ନିଜ ନିଜ ଅଭିଭାଷଣରେ ଏହି ଶୈକ୍ଷିକ ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ। ପତ୍ରିକାର ସମ୍ପାଦକ ତଥା ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଷିଆ ମେହେର ସମ୍ପାଦକୀୟ ବକ୍ତବ୍ୟରେ କହିଲେ ଯେ, ‘ବଂଶଧାରା’ କେବଳ ଏକ ପତ୍ରିକା ନୁହେଁ; ଏହା ଲାଞ୍ଜିଗଡ଼ ଅଞ୍ଚଳର ଶିକ୍ଷା, ସାହିତ୍ୟ ଓ ସଂସ୍କୃତିର ଦର୍ପଣ ରୂପେ କାର୍ଯ୍ୟ କରିବ। ପ୍ରାରମ୍ଭରେ ଗୋପବନ୍ଧୁ ହାଇସ୍କୁଲ, ବିଶ୍ୱନାଥପୁରର ଶିକ୍ଷାର୍ଥୀବୃନ୍ଦ ଏକ ମନୋଜ୍ଞ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ସୁଢ଼ଳଦେବ ମୁଣ୍ଡ ସ୍ୱାଗତ ଅଭିଭାଷଣ ରଖିଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭୂଷଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ୨୦୨୬ ମସିହା ଦଶମ ଶ୍ରେଣୀ ପରୀକ୍ଷାରେ କୃତିତ୍ୱ ପ୍ରଦର୍ଶନ କରିଥିବା ଶିକ୍ଷାର୍ଥୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମଗ୍ର କାର୍ଯ୍ୟକ୍ରମକୁ ଶିକ୍ଷାବିତ୍ ତଥା ଲେଖକ ତପନ କୁମାର ଭୋଇ ଓ ସୁଧୀର କୁମାର ଧଙ୍ଗଡ଼ାମାଝୀଙ୍କ ସଂଯୋଜନା କରିଥିବା ବେଳେ ସମସ୍ତ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ତଥା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର କର୍ମଚାରୀ ସହଯୋଗ କରିଥିଲେ। ଅଞ୍ଚଳର ବହୁ ଶିକ୍ଷାବିତ୍, ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଏହି ନୂତନ ଶୈକ୍ଷିକ ପଦକ୍ଷେପକୁ ସ୍ୱାଗତ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.