ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଯୁବ ସୃଜନଶୀଳ ପ୍ରତିଭା ଅର୍ଚ୍ଚିଶା (ରୋଲି) ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଅଳଙ୍କୃତ ଇଗ୍ନାଇଟ୍ ୨୦୨୬’ କାର୍ଯ୍ୟକ୍ରମରେ ପ୍ରଥମ ସ୍ଥାନ ଅଧିକାର କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଶ୍ଵବିଦ୍ୟାଳୟ ସ୍ତରରେ ପ୍ରଥମଥର ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ଏହାକୁ ଆହୁରି ଗୁରୁତ୍ୱପୂର୍ଣ୍ଣ କରିଥିଲା। କାର୍ଯ୍ୟକ୍ରମ ସମୟରେ ୟୁନିଭର୍ସିଟି ପରିସର ଉତ୍ସାହ ଓ ଉଦ୍ଦୀପନାରେ ମୁଖରିତ ହୋଇ ଉଠିଥିଲା। ପ୍ରତିଭାଗୀମାନେ ଉତ୍ସାହର ସହିତ ଏହି ପ୍ରମୁଖ କ୍ରିଏଟିଭ୍ ୱର୍କଶପ୍ରେ ଅଂଶଗ୍ରହଣ କରିଥିଲେ। ପ୍ରଥମଥର ପାଇଁ ୟୁନିଭର୍ସିଟିରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଛାତ୍ରଛାତ୍ରୀ ଓ ଦର୍ଶକମାନଙ୍କ ଠାରୁ ବିପୁଳ ଉତ୍ସାହ ଓ ସ୍ୱୀକୃତି ମିଳିଥିଲା।
ଥର୍ମୋକଲ୍ ଦ୍ୱାରା ବ୍ଲକ୍-ବାଇ-ବ୍ଲକ୍ ସୃଜନଶୀଳ ପ୍ରତିଯୋଗିତାରେ ଅର୍ଚ୍ଚିଶା ନିର୍ଣ୍ଣାୟକ ଭୂମିକାରେ ଥିଲେ ଓ ପ୍ରତିଭାଗୀମାନଙ୍କୁ ବେଶ୍ ପ୍ରଭାବିତ କରିଥିଲେ। ନିର୍ଦ୍ଧାରିତ ସମୟ ମଧ୍ୟରେ ଏହି ଚ୍ୟାଲେଞ୍ଜରେ ସଠିକତା, ଧୈର୍ଯ୍ୟ, ଗତି ଓ ସୃଜନଶୀଳ ଚିନ୍ତନର ଆବଶ୍ୟକତା ଥିଲାବେଳେ ଅର୍ଚ୍ଚିଶା ଏହାକୁ ସଫଳତାର ସହିତ ସମ୍ପନ୍ନ କରିଥିଲେ।ଚାପପୂର୍ଣ୍ଣ ପରିସ୍ଥିତି ଓ କଠିନ ସାମଗ୍ରୀ ସତ୍ତ୍ୱେ ଅର୍ଚ୍ଚିଶାଙ୍କ କଳାତ୍ମକ ପ୍ରଦର୍ଶନ ଓ ସ୍ଥାପତ୍ୟ ଶୈଳୀପୂର୍ଣ୍ଣ କଳ୍ପନାଶକ୍ତି ସମସ୍ତଙ୍କ ଠାରୁ ଅଲଗା ଭାବେ ଉଦ୍ଭାସିତ ହୋଇଥିଲା। ଏହାର ଫଳସ୍ୱରୂପ ସେ ପ୍ରଥମ ସ୍ଥାନ ହାସଲ କରି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ପାଲଟିଥିଲେ।

କାର୍ଯ୍ୟକ୍ରମର ସମାପନୀ ଅଧିବେଶନରେ ଅର୍ଚ୍ଚିଶା ମଞ୍ଚ ଉପରେ ହଠାତ୍ ଦିଆ ଯାଇଥିବା ଡାନ୍ସ ଚ୍ୟାଲେଞ୍ଜକୁ ଆତ୍ମବିଶ୍ୱାସର ସହିତ ଗ୍ରହଣ କରିଥିଲେ। ତାଙ୍କର ଉତ୍ସାହଭରା ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା ଏବଂ ଶେଷରେ ସମଗ୍ର ସଭାଗୃହ ତାଳି ଓ ଉତ୍ସାହପୂର୍ଣ୍ଣ ଅଭିବାଦନରେ ଗୁଞ୍ଜରି ଉଠିଥିଲା। ପ୍ରତିଭାଗୀମାନେ ଏହି ପ୍ରଦର୍ଶନକୁ କାର୍ଯ୍ୟକ୍ରମର “ନିଖୁଣ ସମାପନ” ବୋଲି ବର୍ଣ୍ଣନା କରିଥିଲେ, ଯାହା ଏହି କର୍ମଶାଳାକୁ ସୃଜନଶୀଳତା, ଆତ୍ମବିଶ୍ୱାସ ଓ ଯୁବ ପ୍ରତିଭାର ଉତ୍ସବରେ ପରିଣତ କରିଥିଲା। ଅର୍ଚ୍ଚିଶା ପାଣିଗ୍ରାହୀ (ରୋଲି) ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଝିଅ। ତାଙ୍କର ଏହି ଉଲ୍ଲେଖନୀୟ ସଫଳତା ଓ ୟୁନିଭର୍ସିଟି ମଞ୍ଚରେ ପ୍ରାପ୍ତ ପରିଚୟ ଓ ହଫଳତାକୁ ନେଇ ତାଙ୍କର ପିତାମାତା ଅରୁଣାଂଶୁ ପାଣିଗ୍ରାହୀ ଓ ରୋନାଲିସା ପଣ୍ଡା ଗର୍ବ ଓ ଆନନ୍ଦ ପ୍ରକାଶ କରିଛନ୍ତି।





