ଡିଜେଲ ଓ ପେଟ୍ରୋଲ ସଂକଟ : ଚିନ୍ତାରେ ଚାଷୀ ଏବଂ ଜନସାଧାରଣ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଅଞ୍ଚଳରେ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବ ଦେଖାଦେଇଛି। ଗୁରୁବାର କୋକସରା, ମୋଟେର, ମହାଜନଗୁଡା ସହିତ ସ୍ଥାନୀୟ ଅଞ୍ଚଳର ପେଟ୍ରୋଲ ପମ୍ପ ଗୁଡ଼ିକରେ ତୈଳ ସଙ୍କଟ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବିଶେଷ କରି କୋକସରା ଏବଂ ମୋଟେର ଅଞ୍ଚଳରେ ଥିବା ପ୍ରମୁଖ ପେଟ୍ରୋଲ ପମ୍ପ ଗୁଡ଼ିକରେ ପେଟ୍ରୋଲ ଷ୍ଟକ୍’ ନ ଥିବାରୁ ଗାଡ଼ି ଚାଳକଙ୍କ ସମେତ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୋକସରା ବ୍ଲକର ମୋଟେର ଭଳି ବ୍ୟବସାୟିକ କେନ୍ଦ୍ରରେ ତେଲର ଅଭାବ ଯୋଗୁଁ ମାଲ ପରିବହନ କରୁଥିବା ଗାଡ଼ିଗୁଡ଼ିକ ମଧ୍ୟ ଠିଆ ହୋଇ ରହିଥିବା ବେଳେ ତୈଳ ପାଇଁ ଡହଡହ ଖରାରେ ଲୋକ ଜାର ରଖି ଛାଇ ଖୋଜି ଇତସ୍ଥିତ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଧାନ କାଟିବା ସମୟ ହୋଇଥିବାବେଳେ ଡିଜେଲ ନ ମିଳିବା କାରଣରୁ ଚାଷୀମାନେ ହତାଶ ହୋଇପଡ଼ିଛନ୍ତି। ଯେଉଁ କେତେକ ଟ୍ୟାଙ୍କରେ ପେଟ୍ରୋଲ ଓ ଡିଜେଲ ଷ୍ଟକ ରହିଛି ସେଠାରେ ଶହ ଶହ ଲୋକଙ୍କ ଲାଇନ୍ ଲାଗିଛି। ବିଶେଷ କରି ଦୈନନ୍ଦିନ କାର୍ଯ୍ୟ ପାଇଁ ବାଇକ୍ ଓ ଚାରିଚକିଆ ଯାନ ବ୍ୟବହାର କରୁଥିବା ଲୋକମାନେ ଅଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କେତେକ ଟାଙ୍କିରେ ବାଇକ୍ ପ୍ରତି ଗୋଟିଏ ଲିଟର ଦେଉଥିବାବେଳେ ବଡ଼ ଗାଡ଼ି ପାଇଁ ପେଟ୍ରୋଲ ଓ ଡିଜେଲ ସିମିତ ହିସାବରେ ଦିଆଯାଇଉଛି। ଅନ୍ୟପଟେ ପଡୋଶୀ ବ୍ଳକ ଗୁଡ଼ିକରେ ମଧ୍ୟ ସମାନ ଅବସ୍ଥା ରହିଥିବା ଜଣାପଡ଼ିଛି। ପେଟ୍ରୋଲ ଓ ଡିଜେଲ୍ ର ଘୋର ସଂକଟ ଦେଖା ଦେଇଥିବାବେଳେ କଳାବଜାରୀ ମଧ୍ୟ ଆରମ୍ଭ ହୋଇ ଗଲାଣି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, କେତେକ ଦେକାନ, ତଥା ରାସ୍ତା କଡ଼ରେ ୧୪୦ ଟଙ୍କା ଦରରେ ପେଟ୍ରୋଲ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଏପରି ସ୍ଥିତିରେ କେବେ ସୁଦ୍ଧା ପେଟ୍ରୋଲ ଓ ଡିଜେଲ୍ ସଂକଟ ଦୂର ହେବ ତାହା ସ୍ପଷ୍ଟ ଜଣାପଡିନାହିଁ। ଅନ୍ୟପଟେ କଳାବଜାରୀ ରୋକିବାକୁ ପ୍ରଶାସନ ମଧ୍ୟ ସଜାଗ ହେବା ଜରୁରୀ ରହିଛି। ତେବେ ଜିଲ୍ଲା ଯୋଗାଣ ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ସାଧାରଣରେ ଦାବି ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.