ନର୍ଲାରେ ପାଳିତ ହେଲା ସାବିତ୍ରୀ ବ୍ରତ       

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ଦେଶରେ ସାବିତ୍ରୀ ବ୍ରତ ପାଳିତ ହେଉଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଅଞ୍ଚଳର ଚାରିଆଡେ ସାବିତ୍ରୀ ବ୍ରତ ପାଳିତ ହୋଇଛି। ନର୍ଲାରୋଡ ଶିବ ମନ୍ଦିର, ଚାରିଛକ ସ୍ଥିତ ଜଗନ୍ନାଥ ମନ୍ଦିର, ନର୍ଲା ତ୍ରୀନାଥ ମନ୍ଦିର, ରେଖପୁର ରାଧାକୃଷ୍ଣ ମନ୍ଦିର, ନର୍ଲାରୋଡ ରାଧାକୃଷ୍ଣ ମନ୍ଦିର, ସର୍ଗିଗୁଡା ନାମଯଜ୍ଞ ମଣ୍ଡପ, ବୁଢୀପଦରର ଦେବଗିରି ମଠ ପ୍ରଭୃତି ସ୍ଥାନରେ ସାମୁହିକ ଭାବରେ ସାବିତ୍ରୀ ବ୍ରତ ପାଳନ କରିଥିଲେ ମହିଳା ମାନେ। ସ୍ୱାମୀଙ୍କ ଦୀର୍ଘାୟୁ ମନାସୀ ଏ ବ୍ରତ କରିଥାନ୍ତି ସଧବା ନାରୀ ମାନେ। ଉପବାସ ରଖି ବ୍ରତ କରିଥାନ୍ତି। ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନର୍ଲା ବ୍ଲକ୍ ର ସର୍ଗିଗୁଡା ପ୍ରହରୀ ମଣ୍ଡପ ଠାରେ ସାମୁହିକ ଭାବରେ ସାବିତ୍ରୀ ବ୍ରତ ପାଳନ କରିଛନ୍ତି ସର୍ଗିଗୁଡାର ୫୦ ରୁ ଉର୍ଦ୍ଧ୍ୱ ସଧବା ନାରୀ ମାନେ। ଆଜି ସକାଳୁ ବ୍ରତୀ ମାନେ ମଣ୍ଡପକୁ ଲିପାପୋଛା କରିବା ସହ ସୁନ୍ଦର ଭାବରେ ସଜାଇଥିଲେ ପୂଜା ସ୍ଥଳିକୁ। ଗାଁ ର ସମସ୍ତ ବ୍ରତୀ ମାନେ ସମବେତ ଭାବରେ ପୂଜା କରିଥିଲେ ମଣ୍ଡପରେ । ପଣ୍ଡିତ ଦୁଃଖିଶ୍ୟାମ ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ। ଏଥିରେ ଗଣପତି ପୂଜା, ଲକ୍ଷ୍ମୀ ନାରାୟଣ ପୂଜା ଓ ସାବିତ୍ରୀ ସତ୍ୟବାନ ଏଵଂ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହୋଇଥିଲା। ସର୍ଗିଗୁଡାର ଯୁବଗୋଷ୍ଠୀ ପ୍ରହରୀ ମଣ୍ଡପ ଠାରେ ପୂଜାକାର୍ଯ୍ୟ ପରିଚାଳନା କରିଥିଲେ। ସର୍ଗିଗୁଡା ନାମଯଜ୍ଞ ମଣ୍ଡପରେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ୱ ସମୟ ହୋଇଗଲାଣି ସାବିତ୍ରୀ ବ୍ରତ ଅନୁଷ୍ଠିତ ହୋଇ ଆସୁଛି। ସେହିଭଳି ନର୍ଲାରୋଡ ଶିବ ମନ୍ଦିରରେ ନର୍ଲାରୋଡ, ତୁଳା ଗାଁ ଓ ସର୍ଗିଗୁଡାର ସଧବା ନାରୀ ମାନେ ସମବେତ ହୋଇ ସାବିତ୍ରୀ ବ୍ରତ ପାଳନ କରିଥିଲେ। ଏଥିରେ ନର୍ଲାରୋଡ ସେବାକାରୀ କିନ୍ନର ସଂଘର ସଦସ୍ୟା କିନ୍ନର ପାୟଲ, ସ୍ୱିଟି, ବିନୁ, ଦୁର୍ଗା ପ୍ରମୁଖ ସେମାନଙ୍କ ଗୁରୁଙ୍କ ମଙ୍ଗଳ ମନାସୀ ସାବିତ୍ରୀ ବ୍ରତ କରିଥିଲେ । ପଣ୍ଡିତ ନୃସିଂହ ଚରଣ ପାଢୀ ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.