ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ଲାଇଫ ଲାଇନ ସାଜିଥିବା ସାନ୍ଦୁଲ ନଦୀ ସମ୍ପୂର୍ଣ୍ଣ ସୁଖି ଗଲାଣି। ସାନ୍ଦୁଲ ନଦୀରେ ଜଳାଭାବ ଦେଖା ଦେଲାଣି। ଆଉ ସାନ୍ଦୁଲ ନଦୀ କୂଳରେ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ ଯୋଜନା ରେ ୧୫ ରୁ ଉର୍ଦ୍ଧ୍ବ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ବସିଛି। ଏମିତିରେ ତ ଚଳିତ ବର୍ଷ ହୀନବୃଷ୍ଟି ଯୋଗୁଁ ବର୍ଷାଦିନରୁ ହିଁ ନଈ, ନାଳ, ବନ୍ଧ, ପୋଖରୀ ସବୁଠିରେ ପାଣି କମ୍ ରହିଲା। ଅଭାବୀ ବର୍ଷା ଯୋଗୁଁ ଜଳାଶୟ ଗୁଡିକ ପୂର୍ଣ୍ଣ ହୋଇପାରି ନଥିଲା। ଫଳ ସ୍ୱରୁପ ଜଳାଶୟ ଗୁଡିକରେ ମାର୍ଚ୍ଚ, ଅପ୍ରେଲ ମାସ ଯାଏଁ ପାଣିଭରି ରହିବା କଥା ହେଲେ ମାର୍ଚ୍ଚ ମାସରୁ ପାଣି ଶୁଖି ସାରିଲାଣି ନଈ, ପୋଖରୀରୁ। ଗାଈଗୋରୁ ପିଇବା ପାଇଁ ମଧ୍ୟ ପାଣି ସମସ୍ୟା ଦେଖା ଦେଲାଣି। ନର୍ଲା, ସର୍ଗିଗୁଡା, ନର୍ଲାରୋଡ ଓ ବେହେରାପାଟିକୁ ସର୍ଗିଗୁଡା ଗେଟ୍ ଫାଟକ ନିକଟସ୍ଥ ସାନ୍ଦୁଲ ବ୍ରୀଜ୍ ନିକଟରୁ ଆରଡବ୍ଲୁଏସ୍ଏସ୍ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଛି । ସେହିଭଳି ସାନ୍ଦୁଲ ନଈ କଡେ କଡେ ରହିଥିବା ନିକଟସ୍ଥ ଗ୍ରାମ ଗୁଡିକ ମାଣ୍ଡେଲ, ରୁପ୍ରାରୋଡ, ଲାଖଗୁଡା, ଭୀମକେଲା, ପଲସାପଡ଼ା ଏଭଳି ଅନେକ ଗୁଡିଏ ଗ୍ରାମକୁ ବିଭାଗ ତରଫରୁ ପାନୀୟ ଜଳ ଯୋଗାଣ ଚାଲିଥିବା ବେଳେ ସାନ୍ଦୁଲ ନଈ ବର୍ତ୍ତମାନ ଜଳଶୂନ୍ୟ । ଶୂନ୍ୟଗର୍ଭା ସାନ୍ଦୁଲ ଆଉ ସକ୍ଷମ ନୁହଁ ପାନୀୟ ଜଳ ଯୋଗାଣ ପାଇଁ । ଅପ୍ରେଲ ମାସରୁ ସ୍ଥିତି ଏଭଳି ରହି ଆସିଛ। ମଇ ମାସ ଆରମ୍ଭରୁ ଅଞ୍ଚଳ ବାସୀ ଙ୍କୁ ଆଉ ପାନୀୟ ଜଳ ଠିକ ଭାବରେ ମିଳି ପାରୁନି। ମଇ ମାସ ଶେଷ ପ୍ରାୟ। ଜୁନ ମାସରେ ପାନୀୟ ଜଳ ମିଳିବା ସମ୍ଭାବନା କ୍ଷୀଣ।ଗତ ବର୍ଷ ମଧ୍ୟ ଏପ୍ରେଲ ମାସରୁ ଜଳ ଯୋଗାଣ ରେ ବ୍ୟାଘାତ ଉପୁଜିଥିଲା। ଚଳିତ ବର୍ଷ ମଧ୍ୟ ତଦ୍ରୁପ ସ୍ଥିତି ରହୁଛି। ଗତ ବର୍ଷ ସାରା ରାତି ଇନଟେକ କୂଅ ରେ ପାଣି ଟିକେ ଝରିଥିଲେ ବଡ କଷ୍ଟରେ ସକାଳେ ଅଧ ଘଣ୍ଟା ଚାଲୁଥିଲା ଜଳ ଯୋଗାଣ। ତାପରେ ଠପ୍। ଚଳିତ ବର୍ଷର ସ୍ଥିତି ମଧ୍ୟ ତଦୃପ। ଏହା କେବଳ ନର୍ଲା କିମ୍ବା ସର୍ଗିଗୁଡା ର ପ୍ରସଙ୍ଗ ହୋଇ ରହିନାହିଁ। ରୁପ୍ରାରୋଡ଼, ମାଣ୍ଡେଲ, ଭାନପୁର ସବୁଠି ପାନୀୟ ଜଳ ସମସ୍ୟା ଲାଗି ରହିଛି। ଆହୁରି ଦେଢ ମାସ ଖରା ବାକି ଅଛି। ଆଗକୁ ଆଗକୁ ପାନୀୟ ଜଳକଷ୍ଟ ସମସ୍ୟା ବଢିବାର ଯଥେଷ୍ଟ ସମ୍ବାବନା ରହିଛି। ପ୍ରଶାସନ ପକ୍ଷରୁ ନଈରେ ବାଲି ଆଡେଇ ଚହଲା ସବୁ କରିବା କଥା ହେଲେ ଏ ଯାବତ୍ ତାହା ମଧ୍ୟ କରାଯାଇନାହିଁ। ଏପଟେ ନର୍ଲା ଅଞ୍ଚଳର ଜଳସ୍ତର ମଧ୍ୟ କ୍ରମଶଃ ତଳକୁ ତଳ ଖସିବାରେ ଲାଗିଛି। ପ୍ରବଳ ରୌଦ୍ରତାପ ଯୋଗୁଁ ଅପ୍ରେଲ ମାସ ଆରମ୍ଭ ରୁ କୂଅ ସବୁ ଶୁଖି ସାରିଲାଣି। ଜଳସ୍ତର ଖସି ଯାଉଥିବା ଯୋଗୁଁ ନଳକୂଅ ଗୁଡିକରେ ମଧ୍ୟ ଆଉ ପ୍ରଚୁର ପାଣି ବାହାରି ପାରୁ ନାହିଁ। ଯଦି ବା ବାହାରୁଛି କଳଙ୍କି ଗୁଣ୍ଡ ମିଶା ମଇଳା ପାଣି ବାହାରୁଛି ଯାହା ପାନୀୟ ଯୋଗ୍ୟ ନୁହଁ। ନର୍ଲା ଅଞ୍ଚଳ ସମ୍ପୂର୍ଣ୍ଣ ଭାବରେ ଗ୍ରାମାଞ୍ଚଳ ହୋଇଥିବାରୁ ୮୫ ପ୍ରତିଶତ ଲୋକେ ପାନୀୟ ଜଳ ତଥା ସ୍ନାନ ଓ ଶୌଚ ପାଇଁ କୂଅ ଓ ପୋଖରୀ ଗୁଡିକ ଉପରେ ନିର୍ଭର କରିଥାନ୍ତି। ହେଲେ ଅଞ୍ଚଳର କେତେକ ପୋଖରୀ ଶୁଖି ସାରିଲାଣିତ ଆଉ କେତେ ଗୁଡିଏ ପୋଖରୀ ଅଳ୍ପଦିନ ମଧ୍ୟରେ ଶୁଖିଯିବ। ଜଳାଭାବ ଯୋଗୁଁ ନର୍ଲା ଅଞ୍ଚଳରେ ପାଣି ପାଇଁ ହା ହା କାର ଦେଖା ଦେବାକୁ ବସିଲାଣି। ପ୍ରଶାସନ ତରଫରୁ ନଈରେ ଚହଲା କରିଦେବା, ଟ୍ୟାଙ୍କର ସାହାଯ୍ୟରେ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରିବା, ନଳକୂଅ ଗୁଡିକ ସଫା ଓ ମରାମତି କରେଇବା ପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହେଉଛି।





