ଏ ବର୍ଷ ରଜ ସଂକ୍ରାନ୍ତିରେ ବାଲେଶ୍ଵର କୁମ୍ଭକ୍ଷେତ୍ର ପରଷିବ ୨୫ ପ୍ରକାର ବ୍ୟଞ୍ଜନର ‘ବୁଢୀମା ଥାଳି’ ସହ ୧୦ରୁ ଅଧିକ ରଜ ଦୋଳିର ଆସର

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵରର ବହୁ ଚର୍ଚ୍ଚିତ କୁମ୍ଭକ୍ଷେତ୍ର ଚଳିତ ରଜ ସଂକ୍ରାନ୍ତି ୨୦୨୬କୁ ଏକ ସ୍ମରଣୀୟ ଉତ୍ସବରେ ପରିଣତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତିନି ଦିନ ଧରି ପାଳିତ ହେବାକୁ ଥିବା ଏହି ନିଆରା ରଜ ମହୋତ୍ସବରେ ପରମ୍ପରା ସହ ଆଧୁନିକତାର ସୁନ୍ଦର ମିଶ୍ରଣ ଦେଖିବାକୁ ମିଳିବ ବୋଲି ଶିଳ୍ପୀ କେଶୁ ଦାସ ଜଣାଇଛନ୍ତି। ସୂଚନା ଅନୁଯାୟୀ ଆମ୍ବ, ପଣସ ଓ ରଜ ପାନର ମଜା ନେବା ସହ ପର୍ଯ୍ୟଟକମାନେ ୧୦ରୁ ଅଧିକ ପ୍ରକାରର ଆକର୍ଷଣୀୟ ରଜ ଦୋଳିରେ ଝୁଲି ପାରିବାର ବ୍ୟବସ୍ଥା କରାଯାଇଛି।

ଏହି ଉତ୍ସବର ମୁଖ୍ୟ ଆକର୍ଷଣ ପାଲଟିବ ଲେକ୍ ଭ୍ୟୁ ଡାଇନିଂ ସ୍ପେସରେ ପରଷା ଯିବାକୁ ଥିବା ବିରଳ ‘ବୁଢୀମା ଥାଳି’। ମାତ୍ର ୩୦୦ ଟଙ୍କାରେ ଉପଲବ୍ଧ ହେବ ଏହି ପାରମ୍ପରିକ ଖାଦ୍ୟ ଥାଳି। ଏହି ଥାଳିରେ ୨୫ ପ୍ରକାରର ପାରମ୍ପରିକ ଓଡ଼ିଆ ବ୍ୟଞ୍ଜନ ରହିବ। ସେଗୁଡିକ ହେଲା ପୁଦିନା ଚଟଣି, ନିମପତ୍ର ଭଜା, କଞ୍ଚା ଥାଲକୁଡ଼ି ପତ୍ର ଚଟଣି, ବଡ଼ି ଚୁରା, ବାଇଗଣ ଭର୍ତା ଭଳି ବ୍ୟଞ୍ଜନରୁ ଆରମ୍ଭ କରି ଗନ୍ଧଳି ପତ୍ର ପକୁଡ଼ି, ପଦ୍ମପତ୍ର ପକୁଡ଼ି, ମଦରଙ୍ଗା ପକୁଡ଼ି, ହିଡ଼ିମିଚା ପକୁଡ଼ି ଭଳି ଦୁର୍ଲଭ ଭଜା ସବୁ ଏଥିରେ ସ୍ଥାନ ପାଇବ। ଏହା ବ୍ୟତୀତ ଥାଳିରେ ରହିବ ଭେଣ୍ଡି ତରକାରି, କଦଳୀ ମଞ୍ଜା ରାଇତା, ସାତ ଶାଗ ଭଜା, ଶାଗ ଚଡଚଡି, ଡାଲି, ମାଛ ଘାଣ୍ଟ, ବରା ଝୋଳ, ଦହିଆଳୁ, ମାଛ ଝୋଳ, ମାଛ ବିହନ ବରା, ଆମ୍ବ ଖଟା, ମାଛ ଖଟା, ଟକଭେଣ୍ଡି ପତ୍ର ଖଟା, କାଞ୍ଜି, ପାମ୍ପଡ, ସାଲାଡ୍ ଓ ମାଣ୍ଡିଆ ଇତ୍ୟାଦି ସହିତ ଏହି ଖାଦ୍ୟ ଥାଳିକୁ ପ୍ରସ୍ତୁତ କରିଯିବ।

ଆୟୋଜକଙ୍କ କହିବା ଅନୁସାରେ ତିନିଦିନରେ କିଛି ତିଅଣ ପରିବର୍ତ୍ତନ ହୋଇପାରେ। ଖାଦ୍ୟ ସହ ସଂସ୍କୃତିକୁ ଯୋଡିବା ପାଇଁ ଏଠାରେ ସ୍ଥାନୀୟ ଜଉକଣ୍ଢେଇ ଶିଳ୍ପୀଙ୍କ ଠାରୁ ଉଚିତ୍ ମୂଲ୍ୟରେ ମନପସନ୍ଦର ଜଉକଣ୍ଢେଇ କିଣିବାର ବ୍ୟବସ୍ଥା ମଧ୍ୟ କରାଯାଇଛି। ତେବେ ଦୈନିକ ମାତ୍ର ୫୦ଟି ବୁଢୀମା ଥାଳି ପରଷା ଯିବାର ବ୍ୟବସ୍ଥା ଥିବାରୁ ଆଜି ଠାରୁ ଅଗ୍ରୀମ ଦେଇ ଥାଳି ବୁକ୍ କରିବାକୁ ଅନୁରୋଧ କରାଯାଇଛି। ଯେଉଁ ମାନେ ଆଗ୍ରହୀ ସେମାନେ 9861104590 ନମ୍ବରରେ ଯୋଗାଯୋଗ କରି ନିଜ ଥାଳି ବୁକ୍ କରିପାରିବେ। ପରମ୍ପରା, ସ୍ୱାଦ ଓ ମନୋରଞ୍ଜନର ଏହି ମିଳନସ୍ଥଳୀରେ ଏଥର ରଜକୁ ସବୁଠୁ ଖାସ୍ କରିବାର ସୁଯୋଗ ହାତଛଡା କରନ୍ତୁ ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.