ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ ଦେଇ ଯାଇଥିବା ୨୬ ନମ୍ବର ଜାତୀୟ ରାଜପଥର ଚିଲିଗୁଡା ନିକଟରେ ଲାଗିଥିବା ଷ୍ଟ୍ରିଟ ଲାଇଟ୍ ସଂଯୋଗରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ତଳେ ଚିଲିଗୁଡା ନିକଟରେ ଏନ୍ଏଚ୍ ଡିଭିଜନ ପକ୍ଷରୁ ରାଜ୍ୟ ବାହାରର ଠିକା ସଂସ୍ଥା ଦ୍ୱାରା ଏହି ଅଞ୍ଚଳରେ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ କରାଯାଇଛି। ଏବଂ ରାତିରେ ପଥିକ ଓ ସ୍ଥାନୀୟ ଲୋକଙ୍କ ଗମନାଗମନର ସୁବିଧା ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ନୂତନ ଷ୍ଟ୍ରିଟ୍ ଲାଇଟ୍ ଗୁଡ଼ିକ ଲଗାଯାଇଛି। ହେଲେ ଏହି ଲାଇଟ୍ ଗୁଡ଼ିକ କାର୍ଯ୍ୟକ୍ଷମ ହେବା ଆରମ୍ଭରୁ ହିଁ ଏହାର ଅସଲ ଚେହେରା ପଦାରେ ପଡ଼ିଛି। ଅଭିଯୋଗ ଅନୁଯାୟୀ, ନୂତନ ଭାବେ ଲଗାଯାଇଥିବା ଏହି ଆଲୋକ ଗୁଡ଼ିକ ପ୍ରାରମ୍ଭରୁ ଧପ୍ ଧପ୍ (ଫ୍ଲିକରିଂ) ହେଉଥିବା ବେଳେ ଏବେ ଅଧିକାଂଶ ଲାଇଟ୍ ଅଚଳ ହୋଇପଡ଼ିଛି। ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ସାଧାରଣ ଲୋକଙ୍କ କାମରେ ଆସୁନାହିଁ। ଠିକା ସଂସ୍ଥାର ଅଧିକ ଲାଭଖୋର ମନୋଭାବ ଏବଂ ଅତ୍ୟନ୍ତ ନିମ୍ନମାନର ବୈଦ୍ୟୁତିକ ସରଞ୍ଜାମ ବ୍ୟବହାର ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହେଉଛି। ଏଣେ ଠିକା ସଂସ୍ଥା ସହିତ ଜାତୀୟ ରାଜପଥ ବିଭାଗର କିଛି ଅଧିକାରୀ ସଲାସୁତୁରା ଯୋଗୁଁ ନିମ୍ନମାନର ରାସ୍ତା କାର୍ଯ୍ୟ ସହ ବୈଦ୍ୟୁତିକ ସରଞ୍ଜାମ ଲଗାଯାଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଜାତୀୟ ରାଜପଥ କଡ଼ରେ ଆଲୋକୀକରଣ ବ୍ୟବସ୍ଥା ଫେଲ୍ ମାରିବା ଯୋଗୁଁ ଆଗକୁ ଦୁର୍ଘଟଣା ଆଶଙ୍କା ବୃଦ୍ଧି ପାଉଛି। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ, ତୁରନ୍ତ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ଏବଂ ଅଚଳ ଲାଇଟ୍ ଗୁଡ଼ିକୁ ବଦଳାଇ ନୂତନ କାର୍ଯ୍ୟକ୍ଷମ ଲାଇଟ୍ ଲଗାଇବାକୁ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଦାବି କରିଛନ୍ତି।





