ପ୍ରଧାନ ଶିକ୍ଷକ ଉଗ୍ରସେନ ପଟ୍ଟନାୟକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଗ୍ରସେନ ପଟ୍ଟନାୟକଙ୍କ ଅବସର ପାଇଁ ଅସୁରଗଡ କ୍ଲଷ୍ଟର ତରଫରୁ ଏକ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ଗତ ୩୧/୫ ରେ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରାଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକ ଅବସର ଗ୍ରହଣ କରିଛନ୍ତି। ଅସୁରଗଡ କ୍ଲଷ୍ଟର ସଂଯୋଜକ ହେମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ ଯୋଗଦାନ କରି ଦୀପ ପ୍ରଜ୍ୱଳନ ପୂର୍ବ ମକ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଅମିତ କୁମାର ଶର୍ମା, ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଭାସ୍କର ସା, ଅବସରପ୍ରାପ୍ତ ଲାଞ୍ଜିଗଡର ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦ୍ରୋଣ ରଣା, ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଅସୁରଗଡର ବରିଷ୍ଠ ନାଗରିକ ନାବିକ ଗୌଡ, ଅବସରପ୍ରାପ୍ତ ଶିକ୍ଷକ ଗିରିଧାରୀ ଗୌଡ, ଦିଲୀପ କୁମାର ଗହୀର, ସହକାରୀ ଶିକ୍ଷକ ଡିସିଲାଲ ପଧାନ ପ୍ରମୁଖ ମଞ୍ଚାସୀନ ରହି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କ ସମୟାନୁବର୍ତ୍ତିତା, ଅମାୟୀକ ସ୍ୱଭାବ, ଛାତ୍ର ବତ୍ସଳତା ପ୍ରଭୃତି ଉପରେ ବର୍ଣ୍ଣନା କରିଥିଲେ। ମୁଁ ମୋର କର୍ମ ସ୍ଥଳି ଏହି ବିଦ୍ୟାଳୟକୁ ଗୋଟିଏ ମନ୍ଦିର ବୋଲି ବିବେଚନା କରି ଆସିଛି। ନିଷ୍ଠାର ସହ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେଇ ମୋର କର୍ତ୍ତବ୍ୟରେ କେବେ ଅବହେଳା କରିନାହିଁ। ମୋର ଷ୍ଟାଫ ମୋତେ ସବୁ କ୍ଷେତ୍ରରେ ପୂର୍ଣ୍ଣ ସହଯୋଗ କରିଛନ୍ତି। ଛାତ୍ରଛାତ୍ରୀ, ଷ୍ଟାଫ, ଗ୍ରାମବାସୀଙ୍କ ମୋ ପ୍ରତି ସ୍ନେହ ଶ୍ରଦ୍ଧାକୁ ମୁଁ କେବେ ମଧ୍ୟ ଭୁଲି ପାରିବି ନାହିଁ ବୋଲି ଅବସର ନେଇଥିବା ଶିକ୍ଷକ ଶ୍ରୀ ପଟ୍ଟନାୟକ ତାଙ୍କ ବିଦାୟୀ ବକ୍ତବ୍ୟରେ କହିଥିଲେ। ଏବିଇଓ ଶ୍ରୀ ମାଝୀ ଏବଂ ନର୍ଲା ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ଶ୍ରୀ ଶର୍ମା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପଟ୍ଟନାୟକଙ୍କୁ ତାଙ୍କର ଫାଇନାଲ ପେନସନର ସମସ୍ତ କାଗଜ ପତ୍ର ମଞ୍ଚରେ ଅର୍ପଣ କରିଥିଲେ।ଖଇରମାଲ ସିଆରସିସି ଫିରୋଜ ପଧାନ ମଞ୍ଚ ପରିଚାଳନା କରିଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଡିସିଲାଲ ପଧାନ, ଅର୍ଜୁନ ମିଶ୍ର, ବିଶ୍ୱରଞ୍ଜନ ମିଶ୍ର, ଲକ୍ଷପତି ବଗର୍ତ୍ତି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅସୁରଗଡ କ୍ଲଷ୍ଟର ତରଫରୁ ମାନପତ୍ର, ଉପଢୌକନ ଓ ସ୍ମୃତି ଚିହ୍ନ ସ୍ୱରୁପ କାଠର ଗଣେଶ ମୂର୍ତ୍ତି ପ୍ରଦାନ କରାଯାଇଥିଲା। ସେହିଭଳି ଅସୁରଗଡ ବିଦ୍ୟାଳୟ ଶିକ୍ଷକ ମାନେ, ଛାତ୍ରଛାତ୍ରୀ ମାନଙ୍କ ତରଫରୁ ଓ ଅନ୍ୟ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନେ ବ୍ୟକ୍ତିଗତ ଭାବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ବିଭିନ୍ନ ଉପହାର ମାନ ପ୍ରଦାନ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.