ସିକେରକୁପା ପୋଲରେ ଟ୍ରଲର ଦୁର୍ଘଟଣା: ୯ ଘଣ୍ଟା ପରେ ସ୍ବାଭାବିକ ହେଲା ଯାତାୟତ

ପୂର୍ତ୍ତ ବିଭାଗର ଉଦାସୀନତାକୁ ନେଇ ଜନ ଅସନ୍ତୋଷ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଭବାନିପାଟଣା-ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥର ସିକେରକୁପା ଅଣ-ଓସାରିଆ ପୋଲରେ ରବିବାର ବିଳମ୍ବିତ ରାତିରେ ଏକ ଲୁହା ଛଡ଼ ବୋଝେଇ ଟ୍ରଲର ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ପ୍ରାୟ ୯ ଘଣ୍ଟା ଧରି ଏହି ଗୁରୁତ୍ବପୂର୍ଣ୍ଣ ରାଜପଥର ଯାତାୟତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିଲା।ସୂଚନା ଅନୁଯାୟୀ, ଛତିଶଗଡ଼ର ରାୟପୁରୁ ଠାରୁ ବିଶାଖାପାଟଣା ଆଡ଼କୁ ଯାଉଥିବା ସିଜି-୦୪-ଏମଇ-୯୫୯୭ ନମ୍ବର ବିଶିଷ୍ଟ ଟ୍ରଲରଟି ପୋଲ ଉପରେ ସୃଷ୍ଟି ହୋଇଥିବା ବଡ଼ ଗାତରେ ପଡ଼ିଯାଇଥିଲା। ଟ୍ରଲରଟି ରାସ୍ତା ମଝିରେ ଅଟକି ରହିବାରୁ ଉଭୟ ପାର୍ଶ୍ବରେ ଶହ ଶହ ଯାନବାହାନ ଅଟକି ରହିଥିଲା। ବସ୍, ଆମ୍ବୁଲାନ୍ସ ଓ ମାଲବାହୀ ଗାଡ଼ି ସମେତ ଶତାଧିକ ଗାଡ଼ିର ଲମ୍ବା ଧାଡ଼ି ଲାଗିଯାଇଥିଲା, ଯାହାଫଳରେ ପ୍ରବଳ ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା। ଘଟଣାସ୍ଥଳରେ ଖବର ପହଞ୍ଚିବା ପରେ ସିକେରକୁପା ଫାଣ୍ଡି ଅଧିକାରୀ ମୂରଲୀ ମୋହନ ପିଡିକାଙ୍କ ନେତୃତ୍ବରେ ପୁଲିସ ବାହିନୀ ପହଞ୍ଚିବା ପରେ ଦୁଇଟି ହାଇଡ୍ରା ସାହାଯ୍ୟରେ ଟ୍ରଲରଟିକୁ ରାସ୍ତା କଡ଼କୁ ହଟାଯିବା ପରେ ଆଜି ସକାଳେ ପ୍ରାୟ ୯ ଘଣ୍ଟା ପରେ ଯାତାୟତ ସ୍ବାଭାବିକ ହୋଇପାରିଥିଲା। ସ୍ଥାନୀୟ ବାସିନ୍ଦା ଓ ପଥଚାରୀଙ୍କ ଅଭିଯୋଗ ଅନୁଯାୟୀ, ସିକେରକୁପା ପୋଲଟି ଦୀର୍ଘ ଦିନ ହେଲା ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ପୋଲ ମଝିରେ ଥିବା ବିପଦଜନକ ଗାତ ଯୋଗୁଁ ଏଠାରେ ପ୍ରାୟ ଦିନେ ଛୋଟ-ବଡ଼ ଦୁର୍ଘଟଣା ଘଟୁଛି। ବିଶେଷ କରି ରାତି ସମୟରେ ଅନ୍ଧାର ଯୋଗୁଁ ପଥଚାରୀ ଓ ବାଇକ୍ ଆରୋହୀମାନେ ଏହି ଗାତରେ ପଡ଼ି ଗୁରୁତର ଆହତ ହେଉଛନ୍ତି। ଏହି ମରଣଯନ୍ତା ରାସ୍ତା ସମ୍ପର୍କରେ ପୂର୍ତ୍ତ ବିଭାଗର ଉଚ୍ଚ ପଦାଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି। ପୂର୍ତ୍ତ ବିଭାଗର ଚରମ ଉଦାସୀନତା ଓ ବେପରୁଆ ମନୋଭାବ ଯୋଗୁଁ ବାରମ୍ବାର ଏପରି ଦୁର୍ଘଟଣା ଘଟୁଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତୁରନ୍ତ ପୋଲର ମରାମତି କରିବାକୁ ସରକାରଙ୍କ ନିକଟରେ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.