ରଥଯାତ୍ରା ପାଇଁ ବାଲେଶ୍ୱର ଦେଇ ଗଡ଼ିବ ଦୁଇଟି ସ୍ପେଶାଲ ଟ୍ରେନ୍

କୋଲକାତା ଓ ମାଲଦା ଟାଉନ୍ ରୁ ପୁରୀକୁ ସିଧା ସଂଯୋଗ, ବାଲେଶ୍ୱରରେ ରହିବ ଷ୍ଟପେଜ୍

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆସନ୍ତା ରଥଯାତ୍ରା ଅବସରରେ ଶ୍ରଦ୍ଧାଳୁ ଓ ଯାତ୍ରୀମାନଙ୍କ ସୁବିଧା ପାଇଁ ଦକ୍ଷିଣ ପୂର୍ବ ରେଳବାଇ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ କରାଯିବ। ଉଭୟ ଟ୍ରେନ୍ ବାଲେଶ୍ୱର ରେଳ ଷ୍ଟେସନରେ ରହଣି କରିବାକୁ ଥିବାରୁ ବାଲେଶ୍ୱର ଏବଂ ଆଖପାଖ ଅଞ୍ଚଳର ଯାତ୍ରୀମାନେ ସିଧାସଳଖ ପୁରୀ ଯାତ୍ରାର ସୁବିଧା ପାଇବେ। ରେଳବାଇ ସୂଚନା ଅନୁଯାୟୀ, ୦୩୧୦୧/୦୩୧୦୨ କୋଲକାତା-ଖୋର୍ଦ୍ଧା ରୋଡ୍-କୋଲକାତା ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ କରିବ। ୦୩୧୦୧ ଟ୍ରେନ୍ କୋଲକାତାରୁ ଜୁଲାଇ ୧୨, ୧୪, ୧୫, ୨୧, ୨୨ ଓ ୨୩ ତାରିଖ ରାତି ୧୧ଟା ୫୦ ମିନିଟ୍‌ରେ ଛାଡ଼ି ପରଦିନ ସକାଳ ୯ଟା ୩୫ ମିନିଟ୍‌ରେ ଖୋର୍ଦ୍ଧା ରୋଡ୍‌ରେ ପହଞ୍ଚିବ। ସେହିପରି ୦୩୧୦୨ ଟ୍ରେନ୍ ଖୋର୍ଦ୍ଧା ରୋଡ୍‌ରୁ ଜୁଲାଇ ୧୪, ୧୭, ୧୮, ୨୨, ୨୫ ଓ ୨୬ ତାରିଖ ଅପରାହ୍ନ ୩ଟା ୪୦ ମିନିଟ୍‌ରେ ଛାଡ଼ି ପରଦିନ ରାତି ୨ଟାରେ କୋଲକାତାରେ ପହଞ୍ଚିବ।

ସେହିଭଳି ୦୩୪୦୩/୦୩୪୦୪ ମାଲଦା ଟାଉନ୍-ପୁରୀ-ମାଲଦା ଟାଉନ୍ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ମଧ୍ୟ ଚଳାଚଳ କରିବ। ୦୩୪୦୩ ଟ୍ରେନ୍ ଜୁଲାଇ ୧୪ ଓ ୨୨ ତାରିଖ ଦିନ ୧ଟା ୧୦ ମିନିଟ୍‌ରେ ମାଲଦା ଟାଉନ୍‌ରୁ ଛାଡ଼ି ପରଦିନ ସକାଳ ୫ଟା ୩୦ ମିନିଟ୍‌ରେ ପୁରୀରେ ପହଞ୍ଚିବ। ୦୩୪୦୪ ଟ୍ରେନ୍ ପୁରୀରୁ ଜୁଲାଇ ୧୭ ଓ ୨୫ ତାରିଖ ସନ୍ଧ୍ୟା ୬ଟାରେ ଛାଡ଼ି ପରଦିନ ସକାଳ ୯ଟା ୨୦ ମିନିଟ୍‌ରେ ମାଲଦା ଟାଉନ୍‌ରେ ପହଞ୍ଚିବ। ଦକ୍ଷିଣ ପୂର୍ବ ରେଳବାଇ ଅଧୀନରେ ଉଭୟ ସ୍ପେଶାଲ ଟ୍ରେନ୍ ଆଣ୍ଡୁଲ, ଖଡ଼ଗପୁର ଓ ବାଲେଶ୍ୱର ଷ୍ଟେସନରେ ରହଣି କରିବ। ଫଳରେ ବାଲେଶ୍ୱର ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଶ୍ରଦ୍ଧାଳୁମାନେ ରଥଯାତ୍ରା ଦର୍ଶନ ପାଇଁ ପୁରୀ ଯିବାରେ ବିଶେଷ ସୁବିଧା ପାଇବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.