ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଟକର୍ଲା ଗ୍ରାମ ପଞ୍ଚାୟତର ସୁରିଙ୍ଗ ପଦରରେ ସୋମବାର ଅପରାହ୍ନ ୪ ଟା ବେଳେ କଳାହାଣ୍ଡି ଜିଲ୍ଲାପାଳ ସଚୀନ ପାୱାର ପ୍ରକାଶ ପାମ ଅଏଲ ଚାରା ରୋପଣର ଶୁଭାରମ୍ଭ କରିଛନ୍ତି। କେନ୍ଦ୍ର ସରକାରଙ୍କର ପାମ ଅଏଲ ଯୋଜନାରେ ଚାଷୀଙ୍କୁ ମାଗଣାରେ ପାମ ଅଏଲ ଚାରା, ସବସିଡିରେ ଔଷଧ, ଚାଷ ସାମଗ୍ରୀ, ଗଭୀର ନଳକୂଅ, ମୋଟର ପମ୍ପ ପ୍ରଭୃତି ପ୍ରଦାନ କରାଯାଇ ଚାଷୀଙ୍କୁ ପଡିଆ ଜମିରେ ପାମ ଅଏଲ ଚାଷ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି। ଚଳିତ ବର୍ଷ ବର୍ଷା ଋତୁ ଆରମ୍ଭରେ ଚାଷୀ ପାମ ଅଏଲ ଚାଷ ଆରମ୍ଭ କରିଥିବାରୁ ଟକର୍ଲାର ଭେଙ୍କେଟ ରାଓଙ୍କ ୧୫ ଏକର ଚାଷ ଜମିରେ ପ୍ରଥମ ଭାବରେ ପାମ ଅଏଲ ଚାରା ରୋପଣ କରି ଜିଲ୍ଲାପାଳ କେନ୍ଦ୍ର ସରକାରଙ୍କ ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି। ଇତ୍ୟବସରରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ, ଟକର୍ଲା ସରପଞ୍ଚ ରାମଚନ୍ଦ୍ର ସାହୁ, ନର୍ଥ ଡିଭିଜନର ଡିଏଫଓ ପ୍ରଭାକର ବର୍ମା, କୃଷି ବିଭାଗର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୋଦ କୁମାର ବେହେରା, ଏଡିଏଓ ଶିଶିର ବିଶୋଇ, ନର୍ଲା ସହକାରୀ କୃଷି ଅଧିକାରୀ ପ୍ରବୀଣ କୁମାର ସାହୁ, ଉଦ୍ୟାନ ବିଭାଗରୁ ଡିଡିଏଚ ଅଜୟ ପ୍ରଧାନ, ଏଡିଏଚ ମୋନାଲିସା ପ୍ରଧାନ, ଏଏଚଓ ଅନନ୍ତ ନାରାୟଣ ପଣ୍ଡା, ଜିଲ୍ଲାରେ ପାମ ଅଏଲ ଚାଷକୁ ପ୍ରମୋଟ କରୁଥିବା ସର୍ବେସାଇ ଏଡିବୁଲ ଅଏଲ କମ୍ପାନୀର ଜିଏମ ପ୍ରଭାକର ରାଓ, ଏଜିଏମ ଚନ୍ଦ୍ର କୁମାର, ମ୍ୟାନେଜର ରଞ୍ଜନ କୁମାର ଦାସ, ଅଫିସ ଆସିଷ୍ଟାଣ୍ଟ କିସାନ ପ୍ରଧାନ, ନର୍ଲା ଫିଲ୍ଡ ଅଫିସର ପ୍ରୀତିମୟୀ ମିଶ୍ର ଓ ପାମ ଅଏଲ ଚାଷୀ ଭେଙ୍କେଟ ରାଓ, ପିପି ରେଡ୍ଡି ପ୍ରମୁଖ ଉପସ୍ଥିତ ଥିଲେ। ଭେଙ୍କେଟ ରାଓଙ୍କ ଆଗରୁ ପ୍ରସ୍ତୁତ କରା୍ାଇଥିବା ଫିଲ୍ଡରେ ଦୁଇ ଫୁଟ/ଦୁଇ ଫୁଟର ଗାତ ପାଖରେ ପାମ ଅଏଲ ଚାରା ଗଛକୁ ଦୀପ ଦେଇ, ଫୁଲ ଚନ୍ଦନ ଲଗେଇ, ନାରିକେଳ ଭାଙ୍ଗି, ଗାତରେ ପିଡିଆ ଦେଇ ଜିଲ୍ଲାପାଳ ପ୍ରଥମ ଚାରା ରୋପଣ କରିଥିଲେ। ଏହାପରେ ନର୍ଥ ଡିଭିଜନ ର ଡିଏଫଓ ଶ୍ରୀ ବର୍ମା ଦ୍ୱିତୀୟ ଚାରା ରୋପଣ କରି ଚାଷର ଶୁଭାରମ୍ଭ କରିଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ୫ ବର୍ଷ ଧରି “ସର୍ବେସାଇ ଏଡିବୁଲ ଅଏଲ କମ୍ପାନୀ” ଜରିଆରେ କେନ୍ଦ୍ର ସରକାରଙ୍କ ଉଦ୍ୟାନ ବିଭାଗ ତରଫରୁ ଜିଲ୍ଲାର ଚାଷୀ ମାନଙ୍କୁ ପଡିଆ ଜମିରେ ପାମ ଅଏଲ ଚାଷ କରିବା ପାଇଁ ସରକାର ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି। ମାଗଣାରେ ଚାରା ପ୍ରଦାନ, ପରିବହନ ଶୁଳ୍କ ଛାଡ କରାଯାଉଥିବା ବେଳେ ଏହି ଚାଷ ପାଇଁ କୃଷି ଉପକରଣ ଓ ସାର, କୀଟ ନାଶକ ଔଷଧ ମଧ୍ୟ ମାଗଣାରେ ପ୍ରଦାନ କରୁଛନ୍ତି ସରକାର। ଗତ ବର୍ଷ ନର୍ଲା ବ୍ଲକ ଅଞ୍ଚଳରେ ପ୍ରଥମ କରି ଚାଷୀଙ୍କୁ ଏହି ଚାଷ ପାଇଁ ଚାରା ପ୍ରଦାନ କରାଯାଇ ୨୦୦ ଏକର ଚାଷ କରାଯାଇଛି। ପାଶ୍ଚାତ୍ୟ ଦେଶରୁ ପାମ ଅଏଲ ତେଲ ଆମଦାନୀ କରୁଥିଲେ ଭାରତ ସରକାର। କୌଣସି କାରଣରୁ ଏହା ବନ୍ଦ ହୋଇଯିବା ପରେ ଖାଇବା ତେଲ ସଙ୍କଟ ଭାରତରେ ଦେଖା ଦେଇଛି। ହେଲେ ଆନ୍ଧ୍ର ପ୍ରଦେଶ, ପଶ୍ଚିମ ବଙ୍ଗ ଓ ମହାରାଷ୍ଟ୍ର ରାଜ୍ୟରେ ଏହାର ଉତ୍ପାଦନ ବଢିବା ଓ ଖାଇବା ତୈଳ ସଙ୍କଟ ଅର୍ଦ୍ଧାଧିକ କମିବା ପରେ ଓଡିଶାରେ ମଧ୍ୟ ଏହି ପାମ ଅଏଲ ଚାଷ କୁ ପ୍ରୋତ୍ସାହିତ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର। ଏହି ପାମ ଅଏଲ ଗଛ ରୋପଣର ତିନି ବର୍ଷରୁ ଉତ୍ପାଦନ ଆରମ୍ଭ ହୋଇ ୩୦ ବର୍ଷ ପର୍ଯ୍ୟନ୍ତ ପ୍ରତି ମାସରେ ଫଳ ଅମଳ ହୋଇଥାଏ। ଏହା ଏକ ଅର୍ଥକାରୀ ଫସଲ ବୋଲି ଜଣାପଡିଛି। କଳାହାଣ୍ଡିରେ କଳିତ ବର୍ଷ ୧୦୦୦ ହେକ୍ଟର ଜମିରେ ଏହି ପାମ ଅଏଲ ଚାଷ କରାଯିବାର ଲକ୍ଷ୍ୟ ରଖାଯାଇଥିବା ଜଣାପଡିଛି।







