ଡଙ୍ଗରିଆ ଶିକ୍ଷା ନିକେତନ ଛାତ୍ରୀ ନିବାସରେ ରାତ୍ରୀ ଯାପନ କରୁଛନ୍ତି ମେଟ୍ରୋନଙ୍କ ସ୍ୱାମୀ !

କାରଣ ଦର୍ଶାଅ ନୋଟିସ ମାଗି ଚୁପ ବସିଛି କଲ୍ୟାଣ ବିଭାଗ

ରାୟଗଡ/ବିଷମକଟକ,୫/୯ : ଆଦିବାସୀ ଅଧ୍ୟୁଷିତ ରାୟଗଡ ଜିଲ୍ଳାରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧମାନଙ୍କ ଶିକ୍ଷାର ଉନ୍ନତି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିବା ସହ ଏହି ଜନଜାତିମାନେ ବସବାସ କରୁଥିବା ଅଂଚଳରେ ସ୍ୱତନ୍ତ୍ର ଆବାସିକ ବିଦ୍ୟାଳୟମାନ ସ୍ଥାପନ କରି ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ଭାବେ ରଖିବା ସହ ଏମାନଙ୍କ ଦେଖାରଖା କରିବା ନିମନ୍ତେ ସ୍ୱତନ୍ତ୍ର ଭାବେ କଲ୍ୟାଣ ବିଭାଗ ପକ୍ଷରୁ କର୍ମଚାରୀ ନିୟୋଜିତ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀମାନେ ଛାତ୍ରଛାତ୍ରୀମାନଙ୍କ ସୁରକ୍ଷା ଦିଗରେ କୈାଣସି ଦୃଷ୍ଟି ଦେଉ ନ ଥିବା ଭଳି ପରିଲିକ୍ଷିତ ହୋଇଛି ରାୟଗଡ ଜିଲ୍ଳା ବିଷମକଟକ ବ୍ଳକ ଅନ୍ତର୍ଗତ ଚାଟିକଣାସ୍ଥିତ ଡଙ୍ଗରିଆ ଶିକ୍ଷା ନିକେତନ(ଆରସିକଣା)ରେ ।

ଏହି ବିଦ୍ୟାଳୟଟି ସ୍ୱତନ୍ତ୍ର ଭାବେ ଡଙ୍ଗରିଆ କନ୍ଧ ଛାତ୍ରୀମାନଙ୍କ ନିମନ୍ତେ ସ୍ଥାପନା କରାଯାଇଛି । ବିଦ୍ୟାଳୟରେ ୨୮୦ଜଣ ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଛାତ୍ରୀମାନଙ୍କ ରହିବା ପାଇଁ ପୃଥକ ପୃଥକ ଛାତ୍ରାବାସମାନ ସ୍ଥାପନା କରାଯାଇଛି । ସ୍ୱତନ୍ତ୍ର ଭାବେ ଛାତ୍ରୀମାନଙ୍କ ସୁବିଧା ଅସୁବିଧା ବୁଝିବା ନିମନ୍ତେ ଛାତ୍ରୀବାସରେ ମହିଳା ମେଟ୍ରୋନଙ୍କୁ ଜିଲ୍ଳା କଲ୍ୟାଣ ବିଭାଗ ପକ୍ଷରୁ ନିଯୁକ୍ତ ଦିଆଯାଇଛି । ଛାତ୍ରୀମାନଙ୍କ ସୁରକ୍ଷା ପାଇଁ ଛାତ୍ରୀ ନିବାସରେ ବିନା ଅନୁମତିରେ କୈାଣସି ହେଲେ ପୁରୁଷ କର୍ମଚାରୀ କିମ୍ବା ମେଟ୍ରୋନଙ୍କ ସ୍ୱାମୀ ମଧ୍ୟ ପରିସର ଭିତରକୁ ଯାଇ ପାରିବେ ନାହିଁ ବୋଲି ବିଭାଗର କଡା ନିର୍ଦ୍ଦେଶ ଓ ନିୟମ ରହିଥିବା ବେଳେ ବେଖାତିର ଭାବେ ଏହି ନିୟମ ଓ ନିର୍ଦ୍ଦେଶକୁ ଉଲଂଘନ କରି ବିଦ୍ୟାଳୟରେ କାର୍ଯ୍ୟରତ ମେଟ୍ରୋନ ଅନ୍ନପୂର୍ଣ୍ଣା ମଲ୍ଳିକ ଏବଂ ତାଙ୍କ ସ୍ୱାମୀ ଛାତ୍ରୀ ନିବାସ ମଧ୍ୟରେ ରାତ୍ରୀ ଯାପନ କରି ଆସୁଛନ୍ତି । ଛାତ୍ରୀ ନିବାସରେ ମେଟ୍ରୋନ ଶ୍ରୀମତି ମଲ୍ଳିକଙ୍କ ସ୍ୱାମୀ ରାତ୍ରୀ ଯାପନ କରୁଥିବା ସମ୍ବନ୍ଧରେ ଅଭିଯୋଗ ପାଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମଂଜୁଳା କାଡ୍ରକା ସଂପୃକ୍ତ ମେଟ୍ରୋନଙ୍କୁ ତାଗିତ କରିଥିବା ସତ୍ବେ ପ୍ରଧାନ ଶିକ୍ଷୟତ୍ରୀଙ୍କ କଥା ନ ଶୁଣିବାରୁ ଏ ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆର୍କଷଣ କରିଥିଲେ ।

ତେବେ ଘଟଣା ସଂକ୍ରାନ୍ତରେ ବିଭାଗୀୟ ଅଧିକାରୀ ମୁହଁ ଖୋଲିବ ପାଇଁ ପ୍ରସ୍ତୁତ ନାହାନ୍ତି । ତେବେ ସରକାରଙ୍କ ନିୟମକୁ ଉଲଂଘନ କରାଯାଇଥିବା ନେଇ ଜିଲ୍ଳାପାଳଙ୍କ କଲ୍ୟାଣ ବିଭାଗ ଚିଠି ସଂଖ୍ୟା ୨୩୩୧/୨୦୧୯,ତାରିଖ ୨୨/୦୮/୧୯ ପ୍ରକାରେ ବିଦ୍ୟାଳୟର ମେଟ୍ରୋନ ଶ୍ରୀମତି ଅନ୍ନପୂର୍ଣ୍ଣା ମଲ୍ଳିକଙ୍କୁ ୩ଦିନ ମଧ୍ୟରେ ନିଜ ଉତ୍ତର ରଖିବାକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା । କିନ୍ତୁ ଏ ନେଇ ବିଭାଗୀୟ ଅଧିକାରୀ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ସେ ନେଇ କିଛି ସୂଚନା ମିଳିପାରିନାହିଁ । କେଉଁ ପରିସ୍ଥିତିରେ ମେଟ୍ରୋନଙ୍କ ସ୍ୱାମୀ ଛାତ୍ରୀ ନିବାସ ମଧ୍ୟରେ ରାତ୍ରୀ ସମୟରେ ରହୁଥିଲେ ବୋଲି ସ୍ଥାନୀୟ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା, ଚାଟିକୋଣାର ସ୍ୱତନ୍ତ୍ର ଅଧିକାରୀ ସୁରେଶ ଚନ୍ଦ୍ର ଦୀକ୍ଷିତଙ୍କ ଫୋନ ଯୋଗେ ଯୋଗାଯୋଗ କରିବାରୁ ସେ ଅଭିଯୋଗ ପାଇବା ପର ଠାରୁ ଅନେକ ସମୟରେ ସରପ୍ରାଇଜ୍ ଭିଜିଟ୍ କରିଛନ୍ତି ଏବଂ ଏ ସଂକ୍ରାନ୍ତରେ କୈାଣସି ତଥ୍ୟ ପାଇ ନ ଥିବା ପ୍ରକାଶ କରିଛନ୍ତି । ସେହିପରି ଜିଲ୍ଳା ମଙ୍ଗଳ ଅଧିକାରୀ ନନ୍ଦଲାଲ ବିଶ୍ୱାଳଙ୍କୁ ତାଙ୍କ ଫୋନରେ ବାରମ୍ବାର ଫୋନ କରିଥିଲେ ମଧ୍ୟ ଯୋଗାଯୋଗା ସମ୍ଭବ ହୋଇ ନ ଥିଲା । ପରିଶେଷରେ ଏ ସଂକ୍ରାନ୍ତରେ ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ ଯୋଗାଯୋଗ କରିଥିବା ବେଳେ ଘଟଣା ସଂପର୍କରେ ସେ ଅବଗତ ନ ଥିବା ପ୍ରକାଶ କରିଥିବା ସହ ଯଦି ଘଟଣାରେ ସତ୍ୟତା ଥାଏ ତେବେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ନିର୍ଦ୍ଦେଶ ଦିଆଯିବ ଏବଂ ସେ ସ୍ୱତନ୍ତ୍ର ଭାବେ ଉକ୍ତ ବିଦ୍ୟାଳୟକୁ ଯାଇ ଘଟଣାର ଅନୁଧ୍ୟାନ କରିବେ ବୋଲି ପ୍ରକାଶ କରିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in
For latest news & updates, click on bell button and subscribe to notifications.

Like us on Facebook👇

 http://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.