ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବକେୟା ସେମିଷ୍ଟାର ପରୀକ୍ଷା ଆୟୋଜନ ଏବଂ ତୁରନ୍ତ ରେଜିଷ୍ଟ୍ରେସନ ନମ୍ବର ପ୍ରଦାନ ଦାବିରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବାଲେଶ୍ଵର ଜିଲ୍ଲାର ୫ଟି ନର୍ସିଂ କଲେଜର ବିଏସସି ନର୍ସିଂ ଛାତ୍ରଛାତ୍ରୀମାନେ ଧାରଣାରେ ବସିଥିଲେ। ଅଭିଯୋଗ ଅନୁସାରେ, ୨୦୨୧-୨୨ ଶିକ୍ଷା ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ଏବେ ବି କେତେକ ସେମିଷ୍ଟାର ପରୀକ୍ଷା ଦେଇପାରି ନାହାନ୍ତି। ଫଳରେ ଆଗାମୀ ୨୭ ତାରିଖରେ ହେବାକୁ ଥିବା ଓଏସଏସଏସି ପରୀକ୍ଷା ପାଇଁ ଆବେଦନ କରିପାରୁ ନଥିବାରୁ ସେମାନଙ୍କ ଭବିଷ୍ୟତ ଅନ୍ଧକାର ମୁହଁରେ ପଡିଛି। ଏହାକୁ ନେଇ ଆକ୍ରୋଶ ପ୍ରକାଶ କରି ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଦିନତମାମ ବସି ରହିଥିଲେ। ଏହାଦ୍ୱାରା ବିଶ୍ୱବିଦ୍ୟାଳୟକୁ ଯାତାୟାତ ବ୍ୟାହତ ହୋଇଥିଲା। ଆନ୍ଦୋଳନସ୍ଥଳରେ ଏଫଏମ କଲେଜର ପୂର୍ବତନ ଛାତ୍ର ସଂସଦ ସଭାପତି ତଥା ବିଜେଡି ଛାତ୍ର ନେତା ହରେକୃଷ୍ଣ ପ୍ରଧାନ ଏବଂ ଲକ୍ଷ୍ମଣ ପ୍ରଧାନ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ସମର୍ଥନ ଜଣାଇଥିଲେ। ପରେ ସେମାନେ କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଏବଂ କୁଳସଚିବ କୁକୁମୀନା ଦାସଙ୍କ ସହ ଆଲୋଚନା କରି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଅନୁରୋଧ କରିଥିଲେ। ଛାତ୍ରଛାତ୍ରୀଙ୍କ ଦାବିକୁ ଗୁରୁତ୍ୱ ଦେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ବକେୟା ପରୀକ୍ଷା ଆୟୋଜନ କରାଯିବ ବୋଲି ବିଜ୍ଞପ୍ତି ପ୍ରକାଶ କରିବା ପରେ ଆନ୍ଦୋଳନକାରୀମାନେ ଧାରଣାରୁ ଓହରିଥିଲେ। ତେବେ ରେଜିଷ୍ଟ୍ରେସନ ନମ୍ବର ପ୍ରଦାନ ସମେତ ଅନ୍ୟ କେତେକ ଦାବି ସେମାନେ ପୁନର୍ବାର ଉପସ୍ଥାପନ କରିଛନ୍ତି। ଏହି ଆନ୍ଦୋଳନରେ ଗୀତାଞ୍ଜଳି ନନ୍ଦ, ପ୍ରିୟଙ୍କା ବାରିକ, ସେକ୍ ତନବୀର, ତପସ୍ୱିନୀ ତ୍ରିପାଠୀ, ମଧୁସ୍ମିତା ମହାନ୍ତି, ଶୁଭଙ୍କର ପ୍ରଧାନ, ସତ୍ୟନାରାୟଣ ପାତ୍ର, ଅର୍ପଣ କୁମାର ପରିଡା, ସଞ୍ଜୀବ ସୌରଭ ସ୍ୱାଇଁ, ସୂର୍ଯ୍ୟକାନ୍ତ ମହାକୁଡ ଏବଂ ଶିବମ ଶ୍ରୀ ଜେନା ପ୍ରମୁଖ ନେତୃତ୍ୱ ନେଇଥିଲେ। ଶତାଧିକ ଛାତ୍ରଛାତ୍ରୀ ଏଥିରେ ଯୋଗ ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।





