ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଜାତୀୟ ଶିକ୍ଷା ନୀତି ଅନୁସାରେ ପ୍ରକାଶିତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟ ପୁସ୍ତକରେ ସାଂଘାତିକ ତ୍ରୁଟି ରହିଛି। ଫଳରେ ରାଜ୍ୟର ପ୍ରାକ୍ ଶିକ୍ଷା ବ୍ୟବସ୍ଥା ଭୁଶୁଡିବାକୁ ବସିଲାଣି। ଏଥିପାଇଁ ବିଜେପି ସରକାରକୁ ସମ୍ପୂର୍ଣ୍ଣ ଦାୟୀ କରିବା ସହ ତ୍ରୁଟି ପୂର୍ଣ୍ଣ ପୁସ୍ତକକୁ ବିରୋଧ କରି ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ‘ଶିକ୍ଷା ବଞ୍ଚାଅ ଆନ୍ଦୋଳନ’ କାର୍ଯ୍ୟକ୍ରମ ସାରା ରାଜ୍ୟରେ ହାତକୁ ନିଆଯାଇଛି। ଏହି କ୍ରମରେ ଆଜି କଳାହାଣ୍ଡି ଜିଲ୍ଲା ଯୁବ ଓ ଛାତ୍ର ବିଜେଡି ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ହସ୍ପିଟାଲ ଛକ ସ୍ଥିତ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଏକ ବିଶାଳ ଶୋଭାଯାତ୍ରାରେ ହଜାରେରୁ ଉର୍ଦ୍ଧ୍ବ ବିଜେଡି କର୍ମୀ ଆସି ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ କରିବା ସହ ମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ ଓ କୋକେଇ ଯାତ୍ରା କରି ନିଆରା ପ୍ରତିବାଦ କରାଯାଇଛି। ଏହା ସହିତ ତ୍ରୁଟି ପୂର୍ଣ୍ଣ ପୁସ୍ତକକୁ ପ୍ରତ୍ୟାହାର କରି ନୂତନ ପାଠ୍ୟ ପୁସ୍ତକ ପ୍ରଦାନ କରିବାକୁ ଦାବି କରିଥିଲେ।
ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଛନ୍ତି ଯେ, ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି ରହିବା ସହ ଏଥିରେ ୩୮୦ କୋଟି ଟଙ୍କାର ଦୁର୍ନୀତି ହୋଇଛି। ବର୍ତ୍ତମାନ ପିଲାଙ୍କ ପାଖରେ ବହି ନଥିବାରୁ ପାଠପଢ଼ାରେ ବ୍ୟାଘାତ ଘଟୁଛି। ଆଉ ଏଥିପାଇଁ ଗଣଶିକ୍ଷା ବିଭାଗ ଏବଂ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ। ଏଣୁ ଜାତୀୟ ଶିକ୍ଷା ନୀତି ଲାଗୁ ନ କରି ପୁରୁଣା ପାଠ୍ୟକ୍ରମ ଅନୁସାରେ ପିଲାଙ୍କୁ ଶିଘ୍ର ନୂତନ ପୁସ୍ତକ ପ୍ରଦାନ କରିବାକୁ ଯୁବ ଓ ଛାତ୍ର ବିଜେଡି ଦାବି କରିଛି। ସୂଚନାଯୋଗ୍ୟ ଯେ, ତ୍ରୁଟି ପୂର୍ଣ୍ଣ ବହିରେ କଳାହାଣ୍ଡି ଜିଲ୍ଲାର ନିୟମଗିରି କୁ ଝାରଖଣ୍ଡର ବୋଲି ବହିରେ ଉଲ୍ଲେଖ ଅଛି। ସେହିଭଳି ଆଇଜାକ ନ୍ୟୁଟନଙ୍କୁ ପାଇଲଟ, କୋଣାର୍କ ସୂର୍ଯ୍ୟ ମନ୍ଦିରର ଭୁଲ ଫଟୋଚିତ୍ର ଭଳି ମାଳମାଳ ତଥ୍ୟଗତ ଓ ବର୍ଣ୍ଣନା ତ୍ରୁଟି ସାମନାକୁ ଆସିବା ପରେ ରାଜ୍ୟରେ ତୁମ୍ବିତୋଫାନ ଉଠିଥିଲା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିବାବେଳେ କଳାହାଣ୍ଡି ଯୁବ ଓ ଛାତ୍ର ବିଜେଡି ସିବିଆଇକୁ ହସ୍ତାନ୍ତର ପାଇଁ ଦାବି କରିଛି । ୨/୩ ମାସ ପରେ ପିଲାଙ୍କ ପରୀକ୍ଷା ଅଛି କିନ୍ତୁ ବିଜେପି ସରକାର ଏଥିପାଇଁ ଯତ୍ନଶୀଳ ନ ହୋଇ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ସହ ଖେଳ ଖେଳୁଛି । ପାଠ୍ୟପୁସ୍ତକ ଗୁଣାବତ୍ତା ଓ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ସହ କୌଣସି ସାଲିସ ବରଦାସ୍ତ କରାଯିବ ନାହିଁ ବୋଲି ବିଜେଡି ନେତୃମଣ୍ଡଳୀ ନିଜ ଭାଷଣରେ କହିଥିଲେ।

ପରେ ଜିଲ୍ଲାପାଳଙ୍କ ଜରିଆରେ ଏକ ସ୍ମାରକପତ୍ର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ପ୍ରଦାନ କରାଯାଇଛି। ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ସେଥିରେ ଦାବି ରହିଛି। ଯୁବ ବିଜେଡି ସଭାପତି ଅବିନାଶ ଠାକୁର ଏବଂ ଛାତ୍ର ବିଜେଡି ସଭାପତି ଆଜିତ ସାହୁଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାଏକ, ନର୍ଲା ବ୍ଳକ୍ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ନଗରପାଳ ବିଷ୍ଣୁ ପ୍ରଧାନ, ରାଜ୍ୟ ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ରାଜେନ୍ଦ୍ର ହୋତା, ରାଜ୍ୟ ଯୁବ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପ ସଭାପତି ମନିନ୍ଦ୍ର ମହାନ୍ତି, ରାଜ୍ୟ ଉପ ସଭାପତି ସିଲ୍ପା ପାଣି, ରାଜ୍ୟ ବିଜେଡି ସମ୍ପାଦକ ଆଦିତ୍ୟ ନନ୍ଦ, ମହିଳା ଜୋନ ସଭାନେତ୍ରୀ ଲଳିତା ନାଏକ, ମହିଳା ସଭାନେତ୍ରୀ ସବିତା ପ୍ରଧାନ, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୁଧିରା ମେହେର, ବରିଷ୍ଠ ବିଜେଡି ନେତା ପ୍ରଦୀପ ମୁଣ୍ଡ, ଜିତେନ୍ଦ୍ର ମହାନ୍ତି, ଟିକେଲାଲ ସାହୁ, ପୂର୍ବତନ ପୌରାଧ୍ୟକ୍ଷ ସଂଯୁକ୍ତା ବେହେରା, ବିଜେଡି ନେତା ପ୍ରଶାନ୍ତ ନାଏକ, ସାମନ୍ତ ଖମାରୀ, ବଦ୍ରିନାରାୟଣ ପଟ୍ଟନାୟକ, ପରମାନନ୍ଦ ମାଝୀ, ଛାତ୍ର ରାଜ୍ୟ ବରିଷ୍ଠ ଉପସଭାପତି ଚିରାଗ ସିଂହଦେଓ, ରାଜ୍ୟ ଛାତ୍ର ସାଧାରଣ ସମ୍ପାଦକ ନିଳାମ୍ବର ସାହୁ, ଭବାନୀପାଟଣାର ସମସ୍ତ କାଉନସିଲର ଏବଂ ସାରା ଜିଲ୍ଲାର ଯୁବ ଛାତ୍ର କର୍ମକର୍ତ୍ତା ଉପସ୍ଥିତ ଥିଲେ।






