ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକରେ ଘନେଇବାରେ ଲାଗିଛି ଶିକ୍ଷକ ସମସ୍ୟା। ପ୍ରତି ମାସରେ ବ୍ଲକ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ମାନେ ଅବସର ନେଇଥିବାରୁ ଏହି ସମସ୍ୟା ଅଧିକ ଜଟିଳ ହେବାରେ ଲାଗିଛି। ମଙ୍ଗଳବାର ଠାରୁ ଅସୁରଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳରେ ଧାରଣା ଦେଇଛନ୍ତି ଅଭିଭାବକ ଓ ଅଭିଭାବିକା ମାନେ। ସେମାନେ ବିଦ୍ୟାଳୟରେ ଶିକ୍ଷକ ସମସ୍ୟାକୁ ନେଇ ଅସହଯୋଗ ଆନ୍ଦୋଳନ କରି ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟକୁ ଛାଡୁ ନଥିବା ଦେଖିବାକୁ ମିଳିଛି। ବିଦ୍ୟାଳୟ ଖୋଲା ରହିଛି। ଶିକ୍ଷକ ମାନେ ଆସି ଶ୍ରେଣୀ ଗୃହରେ ବସିଛନ୍ତି। ହେଲେ କ୍ଲାସ ରୁମ ଖାଲି ପଡିଛି। ଅଭିଭାବକ ତଥା ପରିଚାଳନା ସମିତିର ସଭାପତି ଚନ୍ଦ୍ରମଣି ରଣା ଙ୍କ ନେତୃତ୍ବରେ ସମିତିର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ସରପଞ୍ଚ ସାର୍ଥିକ ମାଝୀ, କରୁଣାକର ନାଏକ, ନକୁଳ ମହାନନ୍ଦ, ଅଭିଭାବିକା ଲୀଳାବତୀ ମାଝୀ, ମମତା ଗଉଡ, ଲୀଳା ବାହୁକଙ୍କ ସମେତ ୬୦ ରୁ ଉର୍ଦ୍ଧ୍ୱ ଅଭିଭାବକ ଅଭିଭାବିକା ମାନେ ବିଦ୍ୟାଳୟର ମୁଖ୍ୟ ଫାଟକରେ ଧାରଣା ଦେଇଥିବା ଦେଖିବାକୁ ମିଳିଛି। ୧୯୫୮ ମସିହାରୁ ଚାଲିଆସୁଥିବା ଏହି ବିଦ୍ୟାଳରେ ପ୍ରଥମ କରି ଶିକ୍ଷକ ସମସ୍ୟା ଦେଖା ଦେଇଛି। ବିଦ୍ୟାଳୟ ରେ ବାଟିକା ରୁ ଅଷ୍ଟମ ଶ୍ରେଣୀ ଯାଏଁ ୯ ଗୋଟି କ୍ଲାସ ରହିଥିବା ବେଳେ ୧୩୩ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ ରତ।ବର୍ତ୍ତମାନ ଏଇଠି କାର୍ଯ୍ୟରତ ଅଛନ୍ତି ମାତ୍ର ୩ ଜଣ ଶିକ୍ଷକ। ସେଥି ମଧ୍ୟରୁ ଜଣେ ବିଏଲଓ ଭାବରେ କାର୍ଯ୍ୟ କରୁଥିବାରୁ ସେ ଶିକ୍ଷାଦାନ କରି ପାରୁ ନାହାନ୍ତି। ବାକି ରହିଲେ ଦୁଇଜଣ ଶିକ୍ଷକ। ଜଣେ ପ୍ରଧାନ ଶିକ୍ଷକ ଓ ଆଉ ଜଣେ ସହକାରୀ ଶିକ୍ଷକ। ଗତ ମଇ ମାସରେ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଗ୍ରେସନ ପଟ୍ଟନାୟକ ଅବସର ନେଲେ। ଜୁନ ମାସରେ ସହକାରୀ ଶିକ୍ଷକ ଡିସିଲାଲ ପଧାନ ଅବସର ନେଇ ଚାଲିଯିବା ପରେ ବିଦ୍ୟାଳୟ ଏବେ ଅନାଥ ଭଳି ପ୍ରତୀୟମାନ ହେଉଛି । ବିଦ୍ୟାଳୟରେ ଶିକ୍ଷକ ସମସ୍ୟା ଯୋଗୁଁ ପାଠପଢା ଠପ ହୋଇ ପଡିଛି। ଏଣୁ ମଙ୍ଗଳବାର ଠାରୁ ବିଦ୍ୟାଳୟକୁ ପିଲା ମାନଙ୍କୁ ନଛାଡି ଅଭିଭାବକ ଓ ଅଭିଭାବିକା ମାନେ କରୁଛନ୍ତି ଅସହଯୋଗ ଆନ୍ଦୋଳନ। ଏହା ଅନିର୍ଦ୍ଦିଷ୍ଟ କାଳ ଯାଏଁ ଚାଲିବ ବୋଲି କହୁଛନ୍ତି ଅଭିଭାବକ। ଏବିଇଓ ଗୋବର୍ଦ୍ଧନ ମାଝୀ ଆସି ଜଣେ ଶିକ୍ଷକ ବ୍ୟବସ୍ଥା କରିଦେବେ ବୋଲି କହିବା ପରେ ମଧ୍ୟ ଅଭିଭାବକ ମାନେ ନାରାଜ ହୋଇ ପ୍ରତ୍ୟାଖ୍ୟାନ କଲେ ପ୍ରସ୍ତାବକୁ। ଅଭିଭାବକ ମାନଙ୍କ ଦାବୀ ଆଉ ୩ ଜଣ ଶିକ୍ଷକ ବିଦ୍ୟାଳରେ ନଦେବା ପର୍ଯ୍ୟନ୍ତ ଆନ୍ଦୋଳନ ବଳବତ୍ତର ରହିବ।





