ପ୍ରତିକୂଳ ପାଗରେ ନର୍ଲାର ରଥଯାତ୍ରା ସଂମ୍ପନ୍ନ : ବାଟରେ ଅଟକିଗଲେ ତିନି ଠାକୁର, ଶୁକ୍ରବାର ଦ୍ୱିତୀୟ ଦିନ ରଥଯାତ୍ରା 

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ସାରା ରାଜ୍ୟ ରଥଯାତ୍ରାକୁ ନେଇ ଉତ୍ସବ ମୁଖର ହୋଇ ଉଠିଥିବା ବେଳେ କଳାହାଣ୍ଡି ଜିଲ୍ଲା ନର୍ଲାରେ ଝିପି ଝିପି ବର୍ଷା ପାଗ ସତ୍ତ୍ୱେ ଆନନ୍ଦ ଉହ୍ଲାସ ଓ ଶାନ୍ତି ଶୃଙ୍ଖଳାର ସହ ତିନି ଠାକୁରଙ୍କ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପବିତ୍ର ଘୋଷ ଯାତ୍ରା ଗୁରୁବାର ଭୋର ୫ ଟା ବେଳେ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ସକାଳ ୬ ଘଣ୍ଟା ସମୟରେ ମଙ୍ଗଳ ଆଳତୀ ସାଙ୍ଗକୁ ଶ୍ରୀ ଜୀଉ ମାନଙ୍କ ସମସ୍ତ ରୀତି ନୀତି ଆରମ୍ଭ ହୋଇଯାଇଥିଲା। ନେତ୍ରୋତ୍ସବ ଓ ନବ ଯୌବନ ଦର୍ଶନ ଦେଇଥିଲେ ତିନି ଠାକୁର। ଦିନ ତମାମ ପୂଜାପାଠ ପରେ ଅପରାହ୍ନ ୪ ଟା ବେଳେ ଚତୁର୍ଦ୍ଧା ମୂର୍ତ୍ତି ପହଣ୍ଡି ବିଜେ କରିଥିଲେ।

ନର୍ଲାର ବରିଷ୍ଠ ନାଗରିକ ଜଗନ୍ନାଥ ପ୍ରେମୀ ଚନ୍ଦ୍ର ଶେଖର (ମନ୍ମଥ) ପୂଝାରୀ ଓ ଚୁଳମଣି ଗଉଡିଆ ଛେରା ପହରା କରିଥିଲେ। ଶ୍ରୀ ଜୀଉ ମାନେ ମନ୍ଦିରରୁ ରଥ ରଖାଯାଇଥିବା ଚାରି ଛକଯାଏଁ ଘଣ୍ଟ, ଶଙ୍ଖ ବାଦ୍ୟରେ ପହଣ୍ଡିରେ ଯାଇଥିଲେ । ଯୁବ ପଣ୍ଡା ଅଜୟ ନନ୍ଦ ସୁଦର୍ଶନ ବିଗ୍ରହ କୁ ଧରି ସବା ଆଗରେ ଚଲିଥିବା ବେଳେ, ତାଙ୍କ ପରେ ବିଦ୍ୟାଧର ପତି ଗରୁଡ ବିଗ୍ରହକୁ ଧରିଥିଲେ। ମଧୁସୂଦନ ପାଢ଼ୀ, ମନ୍ମୟ ଚାନ୍ଦ, ସୁଜିତ ଚାନ୍ଦ, ପ୍ରଭୋବ ଚାନ୍ଦ, ସୁରେନ୍ଦ୍ର ଚାନ୍ଦ, ସୁବୋଧ ମିଶ୍ର, ଲଣ୍ଡା ଚାନ୍ଦ, ସୁଧର୍ମା ପଣ୍ଡା, ନାରାୟଣ ପଣ୍ଡା, ପୂର୍ଣ୍ଣଚନ୍ଦ୍ର ପଣ୍ଡା, ପଦ୍ମନାଭ ପଣ୍ଡା, ଅମନ ଅଗ୍ରୱାଲା, ଜିତୁ ପଧାନ, ଗୌତମ ଚିନ୍ଦା, ଶମ୍ଭୁ ଜଡା ପ୍ରମୁଖ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ ପହଣ୍ଡି କରି ରଥଯାଏଁ ନେଇ ଆସିଥିଲେ। ପ୍ରଭୁଙ୍କ ଆସନ ପରିପାଟି କଥା ବାସନ୍ତୀ ସାହୁ, ଲକ୍ଷ୍ମୀ ଗୌଡିଆ, କେତକୀ ଜଡା, ମଞ୍ଜୁ ଗଉଡ଼, ପ୍ରଜ୍ଞା କେଡିଆ, ସୁନୀତା ଗୋଉଡ଼ିଆ, ଗୀତା ପଧାନ, ସଙ୍ଗୀତା ବେହେରା, ସୁନୀତା ନାଏକ, ପୁଷ୍ପାଞ୍ଜଳୀ ସାହୁ ପ୍ରମୁଖ ବୁଝିଥିବା ବେଳେ ମହିଳା ଭକ୍ତ ମାନେ ଠାକୁର ମାନଙ୍କୁ ଚାମର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସ୍ୱେଚ୍ଛାସେବୀ ବିମଲ କୁମାର କେଡିଆ, ମହେନ୍ଦ୍ର ଗଉଡ଼ ପ୍ରମୁଖ ଠାକୁର ମାନଙ୍କ ପହଣ୍ଡି ରେ ସହଯୋଗ କରିଥିଲେ। କର୍ତ୍ତା ଚିରଞ୍ଜିବୀ ଗଉଡିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ରଥାରୁଢ ପୂର୍ବରୁ କେଡିଆ ପରିବାର ତରଫରୁ ବିମଲ କୁମାର କେଡିଆଙ୍କ ଭୋଗଲାଗି ନୈବେଦ୍ୟ କରାଯିବା ପରେ ଶ୍ରୀ ଜୀଉମାନେ ରଥାରୁଢ ହୋଇଥିଲେ। ତିନିଠାକୁର ପହଣ୍ଡି ସାରି ରଥାରୁଢ ହେବାପରେ ଅପରାହ୍ନ ଠିକ୍ ୬.୦୦ ସମୟରେ ରଥ ଟଣା ଯାଇଥିଲା। ମୁଖ୍ୟ ପୂଜକ ନାରାୟଣ ପଣ୍ଡା, ସହକାରୀ ସୁଦାମ ପଣ୍ଡା, ମଧୁ ପାଢ଼ୀ, ମନ୍ମୟ ଚାନ୍ଦ, ସଞ୍ଜୟ ପଣ୍ଡା, ପ୍ରଭାବ ଚାନ୍ଦ, ନିଖିଲ ଚାନ୍ଦ ପ୍ରମୁଖ ରଥ ଉପରେ ପୂଜନ ଦାଇତ୍ୱ ନିର୍ବାହନ କରିଥିଲେ। ପ୍ରତିବର୍ଷ ନର୍ଲା ରଥଯାତ୍ରାରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥାଏ। ଚଳିତ ବର୍ଷ ଲଘୁଚାପ ଜନିତ ବର୍ଷା ସକାଳୁ ଚାଲିଥିବା ବେଳେ ବର୍ଷା ସତ୍ବେ ରଥଯାତ୍ରାରେ ପ୍ରବଳ ଭକ୍ତଙ୍କ ଗହଳି ଦେଖିବାକୁ ମିଳିଥିଲା। ଅବଶ୍ୟ ଅପରାହ୍ନ ୩.୩୦ ଠାରୁ ୬.୩୦ ଯାଏଁ ଠାକୁର ମାନଙ୍କ ପହଣ୍ଡି ବିଜେ ରୁ ରଥ ଟାଣିବା ସମୟ ପର୍ଯ୍ୟନ୍ତ ବର୍ଷା ଟିକେ ଥମି ରହିବାରୁ ପ୍ରବଳ ଜନ ସମାଗମ ହୋଇଥିଲା ନର୍ଲା ରଥ ଯାତ୍ରାରେ। ଏପଟେ ମାଉସୀ କାଳିଆ, ବଳିଆ ଓ ଦେବୀ ସୁଭଦ୍ରାଙ୍କୁ ଅପେକ୍ଷା କରି ରହିଥିଲେ ମଧ୍ୟ ରଥ ମାଉସୀ ମନ୍ଦିର ପର୍ଯ୍ୟନ୍ତ ପହଞ୍ଚି ପାରିନଥିଲେ ଠାକୁର ମାନେ। ବାଟରେ ରହିଯାଇଥିଲା ରଥ। ଭକ୍ତ ସାଲବେଗ ରୂପୀ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡା ପ୍ରତିବର୍ଷ ଠାକୁରଙ୍କୁ ବାଟରେ ରହଣିର ସମସ୍ତ ଦାଇତ୍ୱ ନେଇଥାନ୍ତି। ଭୋଗରାଗ ସହ ରାତି ୧୦ ଟା ଯାଏଁ ଭଜନ କୀର୍ତ୍ତନ ରେ ଆପ୍ୟାୟିତ କରିଥାନ୍ତି ତିନି ଠାକୁରଙ୍କୁ। ପ୍ରବଳ ଭକ୍ତ ସମାଗମ ଲାଗି ରହିଥାଏ। ମାଉସୀ ତିନି ଠାକୁର ମାନଙ୍କ ଆଗମନର ପଥକୁ ଚାତକ ପରି ଚାହିଁ ରହିଥିବା ବେଳେ ବାଟରେ ଅଟକି ଗଲେ ତିନି ଠାକୁର।

ଶୁକ୍ରବାର ଅପରାହ୍ନ ୫ ଟାରେ ପୁଣି ଅନୁଷ୍ଠିତ ହେବ ଦ୍ଵିତୀୟ ଦିନ ରଥଯାତ୍ରା। ଚଳିତ ବର୍ଷ ନର୍ଲା ସମେତ ଅଞ୍ଚଳର ସମସ୍ତ ୧୦ ଗୋଟି ରଥଯାତ୍ରାରେ ପ୍ରବଳ ଭିଡ ଯୋଗୁଁ କିଛି ବ୍ୟତିକ୍ରମର ଆଶଙ୍କାରେ ଆମେ ଯାତ୍ରା ଗୁଡିକ ଉପରେ ତୀକ୍ଷ୍ମଣ ନଜର ରଖିଥିଲୁ ବୋଲି ନର୍ଲା ଥାନା ଆଇ ଆଇ ସି ବିଜୟ ରାଜ ମାଝୀ ମତବ୍ୟକ୍ତ କରିଛନ୍ତି। ନର୍ଲା ଚାରିଛକ ରଥଯାତ୍ରାରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗଦାନ କରି ଠାକୁରଙ୍କ ଆଶିଷ ଭିକ୍ଷା କରିଥିବା ଦେଖିବାକୁ ମିଳିଥିଲା। ନର୍ଲା ଅଞ୍ଚଳର ନର୍ଲା ସମେତ ତୁଳାପଡା, ମାଣ୍ଡେଲ, ବୁଢ଼ୀପଦର ଦେବଗିରି ମଠ, ଲାଖଗୁଡା, ରୁପ୍ରାରୋଡ, ରୁପ୍ରା, ସରିଆଁ, ସେରଗଡ, ପଲମ୍, ଉଲିକୁପା ଏସବୁ ସ୍ଥାନରେ ମଧ୍ୟ ଶାନ୍ତି ଶୃଙ୍ଖଳାର ସହ ରଥଟଣା ସମ୍ପନ୍ନ ହୋଇଯାଇଛି। ନର୍ଲା ପୋଲିସ ବିଭିନ୍ନ ସ୍ଥାନରେ ଉପସ୍ଥିତ ରହି ଶୃଙ୍ଖଳା ବଜାୟ ରଖିଥିଲେ।ନର୍ଲା ରେ ଶୁକ୍ରବାର ପୁଣି ଦ୍ୱିତୀୟ ଦିନ ରଥଟଣା ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.