ଭାଟକୁମରଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ଆଇନ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ପୁରୁଷୋତ୍ତମପୁର ବ୍ଲକରେ ମହିଳା, ଶିଶୁ ଓ ଲିଙ୍ଗ ସମାନତା ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଭାଟକୁମରଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଶନିବାର ଏକ ବ୍ୟାପକ ଆଇନ ସଚେତନତା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ପୁରୁଷୋତ୍ତମପୁର ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ (ସିଡିପିଓ) ଶ୍ରୀମତୀ ଲଳିତା ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ଅଧୀନ ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳୀ ମହାରଣାଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ “ମହିଳା, ଶିଶୁ ଓ ଲିଙ୍ଗ ସମାନତା” ବିଷୟକୁ କେନ୍ଦ୍ର କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଆଇନ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା। କାର୍ଯ୍ୟସ୍ଥଳରେ ମହିଳାଙ୍କ ଯୌନ ଉତ୍ପୀଡ଼ନ (ପ୍ରତିଷେଧ, ନିଷେଧ ଓ ପ୍ରତିକାର) ଆଇନ, ୨୦୧୩, ପାରିବାରିକ ହିଂସାରୁ ମହିଳାଙ୍କ ସୁରକ୍ଷା ଆଇନ, ଯୌତୁକ ନିରୋଧ ଆଇନ, ଶିଶୁମାନଙ୍କୁ ଯୌନ ଅପରାଧରୁ ସୁରକ୍ଷା (POCSO) ଆଇନ, କିଶୋର ନ୍ୟାୟ ଆଇନ, ବାଲ୍ୟ ବିବାହ ନିଷେଧ ଆଇନ, ନିଃଶୁଳ୍କ ଆଇନ ସେବା ଏବଂ ବିଭିନ୍ନ ସରକାରୀ ହେଲ୍ପଲାଇନ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ମହିଳା ସଶକ୍ତିକରଣ କେନ୍ଦ୍ରର ଜିଲ୍ଲା ସଂଯୋଜିକା ଶ୍ରୀମତୀ ଗୀତାଞ୍ଜଳୀ ମହାରଣା, ଲିଙ୍ଗ ବିଶେଷଜ୍ଞ (ସମ୍ବଳ) ଶ୍ରୀ ସମୀର କୁମାର ପାତ୍ର, ଲିଙ୍ଗ ବିଶେଷଜ୍ଞ (ସାମର୍ଥ୍ୟ) ଶ୍ରୀମତୀ ବବିତା ମହାରଣା, ସେବା ସମ୍ପାଦିକା ଶ୍ରୀମତୀ ଅଳକା ସାହୁ, ସୁପରଭାଇଜର ଶ୍ରୀମତୀ ଚିନ୍ମୟୀ ବେହେରା ଓ ଶ୍ରୀମତୀ ଜ୍ୟୋସ୍ନା କୁମାରୀ ସାହୁ ପ୍ରମୁଖ ଯୋଗଦେଇ ଆଇନ ସମ୍ପର୍କିତ ସୂଚନା ପ୍ରଦାନ କରିଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଭାଟକୁମରଡ଼ା ଗ୍ରାମ ପଞ୍ଚାୟତର ସମସ୍ତ ଅଙ୍ଗନୱାଡି କର୍ମୀ, ବ୍ୟାଙ୍କ ମିତ୍ର, ମିଶନ ଶକ୍ତି ମହିଳା ନେତ୍ରୀ, ସ୍ଥାନୀୟ ମହିଳା ଓ କିଶୋରୀ ବାଳିକାମାନେ ବହୁ ସଂଖ୍ୟାରେ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଗଞ୍ଜାମ ଜିଲ୍ଲାକୁ ବାଲ୍ୟ ବିବାହମୁକ୍ତ ଜିଲ୍ଲା ଭାବେ ଗଢ଼ି ତୋଳିବା ନିମନ୍ତେ ସମସ୍ତ ଉପସ୍ଥିତ ବ୍ୟକ୍ତିଙ୍କୁ ନେଇ ଏକ ସାମୂହିକ ଶପଥ ପାଠ କରାଯାଇଥିଲା। ସେହିପରି ମହିଳା ସହାୟତା ନମ୍ବର ୧୮୧, ଜରୁରୀ ସହାୟତା ନମ୍ବର ୧୧୨, ଶିଶୁ ସହାୟତା ନମ୍ବର ୧୦୯୮, ସାଇବର କ୍ରାଇମ ହେଲ୍ପଲାଇନ ୧୯୩୦, ନିଃଶୁଳ୍କ ଆଇନ ସହାୟତା ନମ୍ବର ୧୫୧୦୦ ସହିତ ସୁଭଦ୍ରା ଓ ମିଶନ ଶକ୍ତିର ବିଭିନ୍ନ ସହାୟତା ସେବାର ସଠିକ ବ୍ୟବହାର ସମ୍ପର୍କରେ ମଧ୍ୟ ସଚେତନ କରାଯାଇଥିଲା। ମହିଳା ଓ ବାଳିକାଙ୍କ ବିରୁଦ୍ଧରେ ସମସ୍ତ ପ୍ରକାରର ହିଂସାକୁ ଦୂର କରିବା, ଲିଙ୍ଗ ସମାନତାକୁ ପ୍ରୋତ୍ସାହନ ଦେବା, କନ୍ୟା ଭ୍ରୁଣ ହତ୍ୟା ରୋକିବା, ଶିଶୁରୁ ଆରମ୍ଭ କରି କିଶୋରୀ ଓ ମହିଳାଙ୍କ ସୁରକ୍ଷା ସମ୍ବନ୍ଧୀୟ ବିଭିନ୍ନ ଆଇନ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା।
ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ, ମହିଳା ସଶକ୍ତିକରଣ କେନ୍ଦ୍ର ଏବଂ ସେବା ଏନ୍‌ଜିଓର ମିଳିତ ଉଦ୍ୟମରେ ଜିଲ୍ଲା ଓ ବ୍ଲକ ସ୍ତରରେ ସାମୁଦାୟିକ ସମ୍ବେଦନଶୀଳତା କାର୍ଯ୍ୟକ୍ରମ, ସ୍କୁଲ ଓ କଲେଜ ସଚେତନତା ଅଭିଯାନ, ପଥପ୍ରାନ୍ତ ନାଟକ, ଦକ୍ଷତା ବିକାଶ ଅଧିବେଶନ ସମେତ ବିଭିନ୍ନ ସଚେତନତା ଓ ପ୍ରସାର କାର୍ଯ୍ୟକ୍ରମ ନିୟମିତ ଭାବେ ଆୟୋଜନ କରାଯାଉଛି। ଏହି ପଦକ୍ଷେପ ମାଧ୍ୟମରେ ଗଞ୍ଜାମ ଜିଲ୍ଲାରେ ମହିଳା ଓ ବାଳିକାମାନଙ୍କ ପାଇଁ ସୁରକ୍ଷା, ମର୍ଯ୍ୟାଦା ଓ ନ୍ୟାୟ ସୁନିଶ୍ଚିତ କରିବା ସହ ଏକ ଲିଙ୍ଗ ସମାନତାଭିତ୍ତିକ ସମାଜ ଗଠନ ଦିଗରେ ସକାରାତ୍ମକ ପଦକ୍ଷେପ ନିଆଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.